ମାଳିସାହିରୁ ରୂପଜୀବୀଙ୍କ ମୃତଦେହ ଜବତ ଘଟଣା: ଅନ୍ଧାରରେ ପୁଲିସ, ହତ୍ୟା ନେଇ ବଢ଼ୁଛି ସନ୍ଦେହ

ଭୁବନେଶ୍ବର: ମାଳିସାହିରୁ ରୂପଜୀବୀଙ୍କ ମୃତଦେହ ଜବତ ଘଟଣାର ୪୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୁଲିସ ତାଙ୍କ ପରିଚୟ ପାଇପାରୁ ନାହିଁ। ସେ ବାଂଲାଦେଶୀ ହୋଇଥିବା ଚର୍ଚା ହେଉଥିଲେ ମଧ୍ୟ ପୁଲିସ କିଛି ଠୋସ୍‌ ପ୍ରମାଣ ପାଇପାରି ନାହିଁ। ଯେଉଁ ଠିକଣା ମିଳିଛି ତାହା ପୁଣି ସନ୍ଦେହଜନକ। ତେବେ ପୁଲିସ ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ମାଳିସାହିର କିଛି ବାସିନ୍ଦାଙ୍କୁ ଥାନାକୁ ଡକାଇଥିଲା। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ୩୦ରୁ ଊର୍ଧ୍ବ ମହିଳା ଓ ଯୁବକ ଥାନାରେ ହାଜର ହୋଇଥିଲେ। ପୁଲିସ ଜଣ ଜଣ କରି ମାରାଥନ ଜେରା କରିଥିଲା। ପାଖାପାଖି ୩ ଘଣ୍ଟାର ଜେରା ପରେ ମଧ୍ୟ ସେମାନଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା। ରୂପଜୀବୀ ଜଣଙ୍କ ଦୀର୍ଘଦିନ ଧରି ସେଠାରେ ରହୁଥିଲେ ବି ଅନ୍ୟମାନଙ୍କ ନିକଟରେ ତାଙ୍କ ସଂପର୍କରେ ତଥ୍ୟ ନଥିବା ସନ୍ଦେହ ସୃଷ୍ଟି କରିଛି। ପ୍ରକୃତରେ ଏମାନେ ରୂପଜୀବୀଙ୍କ ବିଷୟରେ ଜାଣି ନାହାନ୍ତି ନା ତଥ୍ୟ ଲୁଚାଇବା ପାଇଁ ଏଭଳି ଅଭିନୟ କରୁଛନ୍ତି ତାହା ସନ୍ଦେହ ସୃଷ୍ଟି କରିଛି। ସେହିପରି ଘରମାଲିକ ଓ ପଡ଼ୋଶୀଙ୍କ ଉପରେ ମଧ୍ୟ ପୁଲିସ ସନ୍ଦେହ କରୁଛି। କାରଣ ରୂପଜୀବୀଙ୍କ ମୃତ୍ୟୁ ପରେ କାହିଁକି ପଡ଼ୋଶୀ ଘରର ଯୁବତୀ ଓ ମହିଳାମାନେ ଫେରାର୍‌ ହୋଇଗଲେ। ସମସ୍ତ ଘଟଣା ବିଷୟରେ ଅବଗତ ହୋଇ ୩ଦିନ ବିତିଯାଇ ଥିଲେ ମଧ୍ୟ ସେଠାକୁ ଫେରୁ ନାହାନ୍ତି। ପୁଲିସ ପଚାରଉଚରା ପାଇଁ ଖୋଜୁଥିବା ଜାଣିବା ପରେ ମଧ୍ୟ ସେମାନେ ଥାନାରେ ହାଜର ହୋଇ ସେମାନଙ୍କ ମତ ରଖୁନାହାନ୍ତି। ସେହିପରି ଘର ମାଲିକ ରୂପଜୀବୀଙ୍କ ପରିଚୟପତ୍ର ରଖି ନଥିବା କହୁଛନ୍ତି। ପ୍ରକୃତରେ ସେ ପରିଚୟପତ୍ର ରଖିନାହାନ୍ତି ନା ତଥ୍ୟ ଲୁଚାଇବା ପାଇଁ ପୁଲିସକୁ ଦେଉ ନାହାନ୍ତି? ଫଳରେ ରୂପଜୀବୀଙ୍କ ମୃତ୍ୟୁ ରହସ୍ୟମୟ ହେବାରେ ଲାଗିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତରେ ଅନେକ କିଛି ତଥ୍ୟ ଲାଗିବ ବୋଲି ପୁଲିସ ଅନୁମାନ କରୁଛି।

ପ୍ରକାଶ ଥାଉ କି, ୨୮ ତାରିଖ ସନ୍ଧ୍ୟାରେ ଖାରବେଳନଗର ଥାନା ପୁଲିସ ମାଳିସାହିରୁ ଲାବଣ୍ୟ (ଛଦ୍ମନାମ)ଙ୍କ ମୃତଦେହକୁ ସନ୍ଦେହଜନକ ଅବସ୍ଥାରେ ଜବତ କରିଥିଲା। ଗତ ୨ ବର୍ଷରୁ ଊର୍ଧ୍ବ ହେବ ଆସି ଏଠାରେ ରହୁଥିଲେ। ମଝିରେ ‌ପଶ୍ଚିମବଙ୍ଗ ପଳାଇଥିଲେ। ୬ମାସ ତ‌ଳେ ପୁଣିଥରେ ଏଠାକୁ ଆସିଥିଲେ। ୨୮ ତାରିଖ ଅପରାହ୍‌ଣ ସାଢ଼େ ୪ଟାରେ ପାଖ ଘରେ ଥିବା ରୂପଜୀବୀମାନେ ଲାବଣ୍ୟଙ୍କୁ ଡାକିଥିଲେ। ହେଲେ ସେ ଜବାବ ଦେଇ ନଥିଲେ। ପରେ ତାଙ୍କ ଶବ ଝୁଲୁଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ଏ ସଂପର୍କରେ ପୁଲିସକୁ ଜଣାଇଥିଲେ। ଖବରପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ପଠାଇଥିଲା।

ସମ୍ବନ୍ଧିତ ଖବର