ସାଇକେଲରେ ମାଲକାନଗିରିରୁ ଭୁବ‌େନଶ୍ବର ଯାତ୍ରା

ଭୁବନେଶ୍ବର: ନିଜ ଅଞ୍ଚଳର ରହିଥିବା ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ଗତମାସ ୧୬ତାରିଖରୁ ମାଲକାନଗିରିରୁ ସାଇକେଲରେ ଯାତ୍ରା କରିଥିବା ୧୭ଜଣ ଆଦିବାସୀ ଓ ଉପାନ୍ତ ଅଞ୍ଚଳର ୭୦ଜଣ ଗ୍ରାମବାସୀ ଆଜି ରାଜଧାନୀରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ସେମାନେ ନିଜର ଦାବି ଜଣାଇଛନ୍ତି। ଜିଲ୍ଲା ଓ ବ୍ଲକ୍‌ସ୍ତର ଅଧିକାରୀଙ୍କ ନିକଟ‌ରେ ବାରମ୍ବାର ସମସ୍ୟା ଜଣାଇ ପ୍ରତାରିତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଅଧିବାସୀମାନେ ଏପରି ନିଆରା ଢଙ୍ଗରେ ସାଇକେଲ ଚଳାଇ ଭୁବନେଶ୍ବର ଆସିବାକୁ ନିଷ୍ପତ୍ତି ନେଇଥିଲେ। ସାଇକେଲ ଆରୋହୀଙ୍କ କହିବା କଥା, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଜଣାଇବା ପାଇଁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ୨୫ଦିନର ଯାତ୍ରା ଭିତରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ମୌଳିକ ସେବା ଅଧିକାର ସଂପର୍କିତ ସଚେତନତା ସଭା, ଦସ୍ତଖତ ଅଭିଯାନ, ପୋଷ୍ଟକାର୍ଡ ଅଭିଯାନ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୧୦ଲକ୍ଷ ଲୋକଙ୍କୁ ଏ ସଂପର୍କରେ ସଚେତନ କରାଯାଇଥିବା ସେମାନେ ସୂଚନା ଦେଇଛନ୍ତି।

ରାଜଧାନୀରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ଏହି ଉପଲକ୍ଷେ ଉତ୍କଳ ମଣ୍ଡପରେ ଏକ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ମକରନ୍ଦ ମୁଦୁଲି, ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ଓଡ଼ିଶା ଶ୍ରମଜୀବୀ ମଞ୍ଚର ରାଜ୍ୟ ଆବାହକ ଅଞ୍ଜନ ପ୍ରଧାନ, ମହିଳା ଶ୍ରମଜୀବୀ ମଞ୍ଚର ଶାନ୍ତି ଭୋଇ ପ୍ରମୁଖ ଅତିଥିଭାବେ ଯୋଗ‌ ଦେଇଥିଲେ। ଆସନ୍ତାକାଲି (ମଙ୍ଗଳବାର) ଲୋୟର ପିଏମ୍‌ଜିରେ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ପରେ ସ୍ବାସ୍ଥ୍ୟ ଓ ଶିକ୍ଷାମନ୍ତ୍ରୀଙ୍କ ସହିତ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର