କାନ୍ଥ ଫାଟି ଆଁ କଲାଣି, ଭୁଶୁଡି ଯିବ ବଜାର!

ଭୁବନେଶ୍ବର: କାନ୍ଥ ଫାଟି ଆଁ କଲାଣି। ଛାତ ଉପରେ ଅନାବନା ଗଛ ଚରିଗଲାଣି । କାନ୍ଥ ଓ ଛାତରୁ ଅତଡ଼ା ଖସି ଗଲାଣି। କଳଙ୍କି ଲାଗି ରଡ୍‌ ବି ଖସିପଡ଼ିବା ଅବସ୍ଥା ହେଲାଣି। ଖୋଦ୍‌ ରାଜଧାନୀର ବଜାରର ଏ ରୁଗ୍‌ଣ ଚିତ୍ର ଯେମିତି ପ୍ରତି ମୁହୂର୍ତରେ ଗଳିପଡ଼ିବି ବୋଲି ଡରାଉଛି। ବଜାରର କିଛି ସ୍ଥାନକୁ ବ୍ୟବହାର ନିଷେଧ ବୋଲି ଚିହ୍ନେଇ ଦିଆଗଲାଣି। ଅଥଚ ପ୍ରଶାସନର ନିଦ ଭାଙ୍ଗୁନି। ରାଜଧାନୀରେ ମଲ୍‌ ସଂସ୍କୃତି ଆରମ୍ଭ ହେବା ଦିନରୁ ପ୍ରଶାସନ ମଧ୍ୟ ବ୍ୟବସାୟୀମାନଙ୍କୁ ମଲ୍‌ ସଦୃଶ ଦୋକାନ ‌ଘର ତିଆରି କରି ଦେଇଥିଲା। ମାତ୍ର ଯେବେଠୁ ପ୍ରଶାସନ ଦୋକାନ ଘର ମାଲିକଙ୍କୁ ଘର ହସ୍ତାନ୍ତର କରିଛି, ସେବେଠୁ ଯେମିତି ସବୁ ଦାୟିତ୍ବ ସାରି ଦେଇଛି। ବଜାର ନିର୍ମାଣ କରିଛି ସତ କିନ୍ତୁ ଯୁଗୋପଯୋଗୀ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇନାହିଁ। ଫଳରେ ବଜାରଗୁଡ଼ିକର ସ୍ଥିତି ରୁଗ୍‌ଣ ପାଲଟିଛି। ବାସ୍ତବରେ ଏଠି କିଛି ଅଘଟଣ ନଘଟିଲେ ପ୍ରଶାସନର ନିଦ ଭାଙ୍ଗେନି। ବୋଧେ ପ୍ରଶାସନ ସେମିତି କିଛି ଅଘଟଣ ଘଟିବା ଅପେକ୍ଷାରେ ରହିଛି।

ନୂଆ କମ୍ପ୍ଲେକ୍ସକୁ ସ୍ଥାନାନ୍ତର କେବେ
ଲିଙ୍ଗରାଜ ମାର୍କେଟ୍‌ କମ୍ପ୍ଲେକ୍ସର ସ୍ଥିତି ଏମିତି ଯେ କେଉଁ ମୁହୂର୍ତରେ କାହା ମୁଣ୍ଡ ଉପରେ ଅତଡ଼ା ନ ଖସିବ ‌କହି ହେବ ନାହିଁ। ଅସିଆ କାଳର ଭୂତକୋଠି ସଦୃଶ ପାଲଟିଛି ପୁରୁଣା ଭୁବନେଶ୍ବରରର ଏହି ମାର୍କେଟ୍‌ କମ୍ପ୍ଲେକ୍ସ। ୧ଶହରୁ ଊର୍ଧ୍ବ ଦୋକାନ ଘର ଏହି କମ୍ପ୍ଲେକ୍ସ ପରିସରରେ ଅଛି। ସେଥିମଧ୍ୟରୁ ମାତ୍ର ଅଳ୍ପ ‌କିଛି ଦୋକାନ ଘର ଚାଲିଥିବା ବେଳେ ଅନ୍ୟଗୁଡ଼ିକ ଗୋଦାମ ଘର ଭାବେ ବ୍ୟବହୃତ ହେଉଛି। ବିଏମ୍‌ସି ସମସ୍ତ ଆନୁଷଙ୍ଗିକ ମୌଳିକ ସୁବିଧା ଯୋଗାଇ ଦେବା ଦାୟିତ୍ବରେ ଥିଲେ ମଧ୍ୟ ଏ ବାବଦରେ ଚିନ୍ତା କରିନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେଇ ମାର୍କେଟ୍‌ ନିକଟରେ ନୂଆ କରି ଲିଙ୍ଗରାଜ ମାର୍କେଟ୍‌ କମ୍ପ୍ଲେକ୍ସ ଗତ ବର୍ଷ ନଭେମ୍ବର ମାସରୁ ଉଦ୍‌ଘାଟନ ହେଲାଣି। କିନ୍ତୁ ଏପର୍ଯ୍ୟନ୍ତ ପୁରୁଣା ମା‌ର୍କେଟ୍‌ର ବ୍ୟବସାୟୀମାନଙ୍କୁ ସ୍ଥାନାନ୍ତର ବାବଦରେ ସାମାନ୍ୟତମ ସୂଚନା ଦିଆଯାଇନାହିଁ। ତେଣୁ ପୁରୁଣା ମାର୍କେଟ୍‌ରେ ଦୟନୀୟ ଅବସ୍ଥାରେ ଥିବା ବ୍ୟବସାୟୀମାନେ ଏକ ସାମ୍ଭାବ୍ୟ ଦୁର୍ଘଟଣାକୁ ଅପେକ୍ଷା କରିବା ହିଁ ସାର ହୋଇଛି।

୬ ବର୍ଷ ହେଲା ବାବୁଙ୍କ ପାଦ ପଡ଼ିନି
ସିଆର୍‌ପି ଅଞ୍ଚଳରେ ପ୍ରିୟଦର୍ଶିନୀ ମାର୍କେଟ୍‌ ହେଉଛି ଏକ ଲ୍ୟାଣ୍ଡ୍‌ମାର୍କ। ସ୍ଥାନୀୟ ଓ ପାଖାପାଖି ଅଞ୍ଚଳର ବହୁ ବ୍ୟକ୍ତିବିଶେଷ ଏହି ବଜାର ଉପରେ ନିର୍ଭରଶୀଳ। ‌ଏଠାରେ ପାଖାପାଖି ୩ଶହ ଦୋକାନ ଘର ରହିଥିବା ବେଳେ ୨୫୦ ଦୋକାନ ଘର ସକ୍ରିୟ ରହିଛି। ତେବେ ମାର୍କେଟ୍‌ର ସ୍ଥିତି ଏମିତି ଯେ, ଆଖି ଯଦି ଛାତ ଉପରକୁ ଚାଲିଯାଏ ମନରେ ଶଙ୍କା ପଶିଯାଏ। ବଜାରର ରୁଗ୍‌ଣ ସ୍ଥିତିକୁ ସଜାଡ଼ିବା ତ ଦୂରର କଥା, ଦୀର୍ଘ ୬ ବର୍ଷରୁ ଊର୍ଧ୍ବ ହେଲାଣି ମାର୍କେଟ୍‌ ଭିତରେ ବିଡିଏର ବାବୁମାନଙ୍କର ପାଦ ପଡ଼ିନାହିଁ ବୋଲି ପ୍ରିୟଦର୍ଶିନୀ ବଜାର ବ୍ୟବସାୟୀ ସଂଘର ସଭାପତି ଶରତ ରାଉତ କହିଛନ୍ତି। ଏହି ପରିସର ମଧ୍ୟରେ ଅଧିକାଂଶ ସ୍ଥାନ ଏବେ ଡମ୍ପିଂରେ ପରିଣତ ହୋଇଛି। ଭଙ୍ଗା ଦଦରା ଜିନିଷର କବାଡ଼ିଖାନା ଭଳି ସ୍ଥାନେସ୍ଥାନେ ଅନୁଭବ ହେବ। ପରିଚ୍ଛନ୍ନତା କଥା ତ ନ କହିବା ଭଲ। କିଛି ସ୍ଥାନ ଏମିତି ଗନ୍ଧଉଛି ଯେ ମାର୍କେଟ୍‌କୁ ଗଲେ ନାକରେ ହାତ କିମ୍ବା କାନି ଦେବାକୁ ପଡ଼ିବ।

ଅଭିଶପ୍ତ ମାର୍କେଟ୍‌ ବାରଭୁଜା ମଲ୍‌
ଖଣ୍ଡଗିରିସ୍ଥିତ ବାରଭୁଜା ମଲ୍‌ ବ୍ୟବସାୟୀଙ୍କୁ ବ୍ୟବସାୟ ଅପେକ୍ଷା ବେଶୀ ଯନ୍ତ୍ରଣା ଦେଉଛି। ବାସ୍ତବରେ କେଇଜଣ ହାତଗଣତି ବ୍ୟବସାୟୀଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବ୍ୟବସାୟୀଙ୍କୁ ହାତ ବାନ୍ଧି ବସିବାକୁ ପଡ଼ୁଛି। ୨୦୦୬ରେ ୧୫୦ ଦୋକାନ ଘରକୁ ନେଇ ଏହା ସ୍ଥାପନ ହୋଇଥିଲା। ୫୦ରୁ ୬୦ଟି ଦୋକାନ ଖୋଲା ରହୁଥିବା ବେଳେ ଅନ୍ୟ ସମସ୍ତ ଦୋକାନ ଘର ବନ୍ଦ ପଡ଼ିଛି। ଏହି ମାର୍କେଟ୍‌ ପରିସରରେ ମଧ୍ୟ କବାଟ ଝରକା ଭାଙ୍ଗିରୁଜି ଗଲାଣି। କିଛି ଦୋକାନଘର ସାମ୍ନାରେ ବର୍ଜ୍ୟବସ୍ତୁ ପଡ଼ି ରହିଛି। ଏମିତି ବି ସେଠାରେ ଆଶା ମୁତାବକ ଗ୍ରାହକଙ୍କ ପାଦ ପଡ଼ୁନଥିବା ବେଳେ ଖଣ୍ଡଗିରି ଫ୍ଲାଏ ଓଭର ତିଆରି ହେବା ପରେ ବ୍ୟବସାୟର ସ୍ଥିତି କ’ଣ ହେବ ସେନେଇ ଭାଳେଣି ପଡ଼ିଲାଣି। ମଲ୍‌ର ଚାରି ପାଖ‌ ଆବର୍ଜନାରେ ଭର୍ତି। ଅନ୍ଧାରର ଫାଇଦା ନେଇ ମଦ୍ୟପମାନେ କିଛି ସ୍ଥାନକୁ ଅଘୋଷିତ ବାର୍‌ ଭାବେ ଧରି ନେଇଛନ୍ତି। ମାତ୍ର ଦୀର୍ଘ ୫ ବର୍ଷ ହେଇଗଲାଣି ବିଡିଏ ଏହାର ରକ୍ଷଣାବେକ୍ଷଣ ନେଇ ଗୁରୁତ୍ବ ଦେଉନାହିଁ।

ସମ୍ବନ୍ଧିତ ଖବର