ଭୁବନେଶ୍ୱର : କମ୍ପାନି ନାମ ଓ ଲୋଗୋ ଛପା ଥିବା କ୍ୟାରି ବ୍ୟାଗ୍ ପାଇଁ ଏବେ ବି ବିଭିନ୍ନ ସପିଂ ମଲ୍ ପକ୍ଷରୁ ଗ୍ରାହକମାନଙ୍କଠାରୁ ଅଧିକ ଟଙ୍କା ନିଆଯାଉଛି। କମ୍ପାନି ନାମ ଥିବା କ୍ୟାରି ବ୍ୟାଗ୍ ପାଇଁ ଅଧିକ ଟଙ୍କା ନେବା ବେଆଇନ ବୋଲି ଚଣ୍ଡୀଗଡ଼ ଖାଉଟି କମିସନ୍ ରାୟ ଦେଇଛନ୍ତି। ଏହା ସତ୍ତ୍ବେ ବିଭିନ୍ନ ସପିଂ ମଲ୍ ଏହି ଆଇନକୁ ନ ମାନି କ୍ୟାରି ବ୍ୟାଗ ପାଇଁ ଅଧିକ ଟଙ୍କା ଦାବି କରୁଛନ୍ତି। ମାର୍କେଟ୍ ବିଲ୍ଡିଂର ଏକ ସପିଂ ମଲ୍ରେ କ୍ୟାରି ବ୍ୟାଗ୍ ପିଛା ୧୦ ଟଙ୍କା ନିଆଯାଉଥିବା ନୀଳାଦ୍ରିବିହାରର ଜଣେ ଗ୍ରାହକ ଅଭିଯୋଗ କରିଛନ୍ତି। ୫ ହଜାର ଟଙ୍କାର ପୋଷାକ କିଣିଥିବା ଗ୍ରାହକଜଣକ ଏନେଇ ପ୍ରତିବାଦ କରିବାରୁ ତାଙ୍କୁ ସେଲ୍ସମ୍ୟାନ୍ କହିଥିଲେ, କୋଲକାତାରେ ରହୁଥିବା ମହାପ୍ରବନ୍ଧକଙ୍କୁ ଯୋଗାଯୋଗ କରନ୍ତୁ।
କେବଳ ମାର୍କେଟ୍ ବିଲ୍ଡିଂ ନୁହେଁ, ସହରର ଅନ୍ୟ କେତେକ ସପିଂ ମଲ୍ରେ ଏବେ ବି କ୍ୟାରିବ୍ୟାଗ୍ ପାଇଁ ଅଧିକ ଟଙ୍କା ଦାବି କରାଯାଉଛି। କେଉଁଠି ଏହା ୫ ଟଙ୍କା ତ କେଉଁଠି ୧୮ ଟଙ୍କା। ତେବେ ଏନେଇ ଅଭିଯୋଗ ହେଉ ନଥିବାରୁ ଅନାୟାସରେ ଏହା ଚାଲୁ ରହିଛି ବୋଲି ଗ୍ରାହକଜଣକ କହିଛନ୍ତି। ତେଣୁ ରାଜ୍ୟ ଖାଉଟି ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାହକମାନେ ନିବେଦନ କରିଛନ୍ତି।
କଞ୍ଜୁମର ଫୋରମର ଆଇନ ଅନୁଯାୟୀ, କୌଣସି ସପିଂ ମଲ୍ ନିଜ ବ୍ରାଣ୍ଡ୍ର ପ୍ରଚାର କରୁଥିବା କ୍ୟାରିବ୍ୟାଗ୍ ବାବଦରେ ଗ୍ରାହକମାନଙ୍କଠାରୁ ଟଙ୍କା ନେଇପାରିବ ନାହିଁ। ଗ୍ରାହକମାନଙ୍କୁ ଜିନିଷ ସହ ମାଗଣାରେ କ୍ୟାରି ବ୍ୟାଗ୍ ଯୋଗାଇଦେବା ଷ୍ଟୋର୍ର ଦାୟିତ୍ବ। ଯଦି କୌଣସି ଷ୍ଟୋର୍ କ୍ୟାରି ବ୍ୟାଗ୍ ବଦଳରେ ଗ୍ରାହକମାନଙ୍କଠାରୁ ଟଙ୍କା ନିଏ, ତେବେ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ନିୟମ ରହିଛି। ଏହି ଆଧାରରେ ଅତୀତରେ କିଛି ସପିଂ ମଲ୍ ଉପରେ ମୋଟା ଅଙ୍କର ଜରିମାନା ହୋଇଛି।
ସୂଚନାଯୋଗ୍ୟ, ପଞ୍ଚକୁଲାର ବଳଦେବ ନାମକ ଜଣେ ବ୍ୟକ୍ତି ୨୦୧୯ ମସିହା ମାର୍ଚ୍ଚ ୧୯ ତାରିଖରେ କଞ୍ଜୁମର ଫୋରମ୍ରେ ଏକ ଅଭିଯୋଗ କରିଥିଲେ। ତାଙ୍କର ଅଭିଯୋଗ ଅନୁଯାୟୀ, କିଣାକିଣି କରିବାକୁ ଯାଇଥିବା ସପିଂ ମଲ୍ ତାଙ୍କଠାରୁ କ୍ୟାରି ବ୍ୟାଗ୍ ବାବଦରେ ୧୮ ଟଙ୍କା ଦେବାକୁ କହିଥିଲା। ସେ ଏହାକୁ ବିରୋଧ କରି ଟଙ୍କା ଦେବାକୁ ମନା କରିଦେଇଥିଲେ। ଏହାପରେ ବ୍ୟକ୍ତିଜଣକ ବାଧ୍ୟ ହୋଇ କଞ୍ଜୁମର ଫୋରମ୍ରେ ଅଭିଯୋଗ କରିଥିଲେ। କ୍ୟାରି ବ୍ୟାଗ୍ରେ ସମ୍ପୃକ୍ତ ସପିଂ ମଲ୍ ନିଜ ଷ୍ଟୋର୍ର ବିଜ୍ଞାପନ କରାଉଥିବାରୁ କ୍ୟାରି ବ୍ୟାଗ୍ ପାଇଁ ଅତିରିକ୍ତ ଟଙ୍କା ଦେବା ଆଇନ ବିରୁଦ୍ଧ ବୋଲି ରାୟ ଆସିଥିଲା। ସେଇ ଆଧାରରେ ବିଭିନ୍ନ ସମୟରେ ଅଭିଯୋଗ ମୁତାବକ କିଛି ସପିଂ ମଲ୍ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଜରିମାନା ଆଦାୟ କରାଯାଉଛି।