ରାଜ୍ୟ ବାହାରେ ରହି ମଧ୍ୟ ଓଡ଼ିଶାକୁ ନେଇ ଅନାବିଳ ପ୍ରେମ। ପିଲା ଦିନୁ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଶିକ୍ଷା ଗ୍ରହଣ ଓ ସେହି ସଂସ୍କୃତିରେ ବଡ଼ ହୋଇଥିଲେ ମଧ୍ୟ ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ପାଇଁ ଦୃଢ଼ ପ୍ରତିଜ୍ଞାବଦ୍ଧ ସେ। ବାହାରେ ପାଠ ସାରି ଯେତେବେଳେ ରେଭେନ୍ସାରେ ସ୍ନାତକୋତ୍ତର ପଢ଼ିବାକୁ ଆସନ୍ତି, ସେତେବେଳେ ଓଡ଼ିଶୀ ନୃତ୍ୟ ଓ ସଂସ୍କୃତି ସହ ଓଡ଼ିଶାର ସଂସ୍କୃତି ବିଷୟରେ ସେ ବିସ୍ତତ ଭାବେ ଜାଣିବାକୁ ପାଆନ୍ତି। ଓଡ଼ିଶା ସଂସ୍କୃତିରେ ଭରପୂର ହୋଇଥିଲେ ହେଁ ଏତେ ପଛୁଆ କାହିଁକି ତାହା ତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ତେଣୁ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରଚାର ପାଇଁ ଉଦ୍ୟମ ଆରମ୍ଭ କଲେ ମମତା ମିଶ୍ର।

Advertisment

publive-image

ମମତାଙ୍କ ବୟସ ପାଖାପାଖି ୪୦। ବିବାହ ପରେ ନିଜ ପରିବାର ସହ ପୁନେରେ ରୁହନ୍ତି। ୨୦୧୦ରୁ ପୁନେରେ ‘କଳିଙ୍ଗ କଳା କେନ୍ଦ୍ର’ ନାମରେ ଏକ ଅନୁଷ୍ଠାନ କରି ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ ଶିକ୍ଷା ଦେଉଛନ୍ତି। ଅଣ ଓଡ଼ିଆମାନଙ୍କୁ ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ ଶିକ୍ଷା ଦେବା ସହ ଓଡ଼ିଆ ପର୍ବ ରଜ, କୁମାର ପୂର୍ଣ୍ଣମା, ରଥଯାତ୍ରା ଆଦି ପର୍ବ ପାଳନ କରନ୍ତି। ସ୍ୱତନ୍ତ୍ର ଦିନଗୁଡ଼ିକରେ ଓଡ଼ିଆ ପିଠାପଣା ଆରିଷା, କାକରା, ମଣ୍ଡା, ପୋଡ଼ ପିଠା କରିି ବାଣ୍ଟନ୍ତି। ନିଜ ଅନୁଷ୍ଠାନରେ ଜଗନ୍ନାଥଙ୍କୁ ସ୍ଥାପନ ସହ ଛାତ୍ରଛାତ୍ରୀଙ୍କୁ ପୋଷାକ ସମ୍ବଲପୁରୀ ବାନ୍ଧ କପଡ଼ାରେ ତିଆରି କରିଛନ୍ତି। ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ମମତା ନିଜେ ଶିକ୍ଷା ଦେଉଥିବା ବେଳେ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଶିଷ୍ୟାମାନେ ଯାଇ ସେଠାରେ ନୃତ୍ୟ ପ୍ରଶିକ୍ଷଣ ଦିଅନ୍ତି। ବର୍ତ୍ତମାନ ‘କଳିଙ୍ଗ କଳା କେନ୍ଦ୍ର, ପୁନେ’ରେ ଓଡ଼ିଶୀ ନୃତ୍ୟରେ ୨୫ ଜଣ ଓ ସଂଗୀତରେ ୨୫ ଜଣ ଛାତ୍ରଛାତ୍ରୀଙ୍କ ସମେତ ୮୦% ଅଣଓଡ଼ିଆ ଶିକ୍ଷାଗ୍ରହଣ କରୁଛନ୍ତି। ତେବେ ମମତା କୁହନ୍ତି, ଅଣଓଡ଼ିଆମାନଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟ ପ୍ରତି ସ୍ୱତନ୍ତ୍ର ଆଗ୍ରହ ରହିଛି। ପୁଣି ଆମର ଇଷ୍ଟ ଜଗନ୍ନାଥଙ୍କ ବିଷୟରେ ମୁଁ ବହୁ କାହାଣୀ କିମ୍ବଦନ୍ତୀ ଛାତ୍ରଛାତ୍ରୀମାନଙ୍କୁ କୁହେ।