ମମିତା ମେହେର ହତ୍ୟା ମାମଲା: ଡିସିପି କାର୍ଯ୍ୟାଳୟ ଘେରିଲା ବିଜେପି ଯୁବମୋର୍ଚ୍ଚା

ପୁଲିସ ସହ ଧସ୍ତାଧସ୍ତି, ଶତାଧିକ ଗିରଫ

ଭୁବନେଶ୍ବର: ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ଆଜି ଭୁବନେଶ୍ବର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଭୁବନେଶ୍ବର ଡିସିପି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ୩ଶହରୁ ଅଧିକ ଯୁବମୋର୍ଚ୍ଚା କର୍ମୀ ଡିସିପି କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ପ୍ରତିରୋଧ କରିବାକୁ ଯାଇ ନିୟୋଜିତ ପୁଲିସ କର୍ମଚାରୀଙ୍କ ସହ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଶତାଧିକ କର୍ମୀଙ୍କୁ ଗିରଫ କରି ପରେ ଛାଡ଼ିଥିଲା।

ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରଶ୍ମିରଂଜନ ମୁଦୁଲିଙ୍କ ନେତୃତ୍ବରେ ଆୟୋଜିତ ଏହି ବିକ୍ଷୋଭରେ ପ୍ରାୟ ୩ ଶହ ଯୁବକର୍ମୀ ସାମିଲ୍‌ ହୋଇଥିଲେ। ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରି ସେମାନେ ଏକ ଶୋଭାଯାତ୍ରାରେ ଭୁବନେଶ୍ବର ଡିସିପି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ ସଭା କରିଥିଲେ। ଏହି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତା ଥିବା କାରଣରୁ ତଦନ୍ତ ପ୍ରକ୍ରିୟାକୁ ନଷ୍ଟ କରିବା ପାଇଁ ହୀନ ଷଡ଼୍‌ଯନ୍ତ୍ର ଚାଲିଛି ବୋଲି ଅଭିଯୋଗ କରାଯାଇଥିଲା। ତେଣୁ ଗୃହମନ୍ତ୍ରୀ ପଦରୁ ତାଙ୍କୁ ତୁରନ୍ତ ବହିଷ୍କାର କରାଯିବା ଆବଶ୍ୟକ ବୋଲି ସେମାନେ ଦାବି କରିଥିଲେ। ସେହିଭଳି ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରବ ରହୁଥିବାରୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ସେ ସମର୍ଥନ କରୁଛନ୍ତି ବୋଲି ଅଭିଯୋଗ କରି ସେମାନେ ନାରାବାଜି କରିଥିଲେ।

ଏଥିପାଇଁ ଏହି ମାମଲାରେ ସିବିଆଇ ତଦନ୍ତ କରାଯାଉ ବୋଲି ବିକ୍ଷୋଭକାରୀମାନେ ଦାବି କରିଥିଲେ। ଯଦି ଏନେଇ କୌଣସି ବିହିତ ପଦକ୍ଷେପ ଗ୍ରହଣ କରାନଯାଏ, ଆଗାମୀ ଦିନରେ ରାଜରାସ୍ତାରେ ଯୁବମୋର୍ଚ୍ଚା ଆନ୍ଦୋଳନ କରିବ ବୋଲି ସଭାପତି ଶ୍ରୀ ମୁଦୁଲି ଚେତବନୀ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ଅର୍ପିତା ଅପରାଜିତା ବଡ଼ଜେନା, ଦିଲ୍ଲୀପ ମହାନ୍ତି, ମନୋଜ ପଶ୍ଚିମକବାଟ, ରାଜେନ୍ଦ୍ର ପଣ୍ଡା, ସୁନୀଲ ପ୍ରଧାନ, ଅଭିଷେକ ଆଚାର୍ଯ୍ୟ, ଦିଲୀପ ବେହେରା, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମନ୍ଦାକିନୀ ପାତ୍ର, ସୁଜିତ୍ ସାହୁ, ସୁନୀଲ ସ୍ବାଇଁ, ପ୍ରତୀକ୍ଷା ଆଚାର୍ଯ୍ୟ, ଆଦର୍ଶ ପଟ୍ଟନାୟକ, ଅଜିତ ବିଶୋୟୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର