ମାମୁନିକୁ ଭୁଲିଗଲା ଚାଇଲ୍ଡ ଲାଇନ୍‌!

ବାଲିପାଟଣା : ମା’ର ମୃତ୍ୟୁ ପରେ ଗରିବ ବାପା ପାଖରୁ ୩ ଝିଅଙ୍କୁ କୋଳେଇ ନେଇଥିଲା ଚାଇଲ୍ଡ ଲାଇନ। ବଡ଼ ଝିଅ ମାମୁନି କିନ୍ତୁ ମା’ର ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ବାପା ପାଖରେ ରହିବ ବୋଲି ସ୍ଥିର ହୋଇଥିଲା। ମା’ର ଶୁଦ୍ଧିକ୍ରିୟା ପରେ ତାକୁ ବି ଚାଇଲ୍‌ଡ ଲାଇନ କୋଳେଇ ନବ ବୋଲି ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଏହା ଭିତରେ ଦେଢ଼ ମାସ ବିତି ଯାଇଥିଲେ ବି ମାମୁନି ସେମିତି ବାପା ପାଖରେ ଭଙ୍ଗା କୁଡ଼ିଆରେ ପଡ଼ି ରହିଛି। କୁନି କୁନି ୩ ଭଉଣୀକୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛି। ବାପା ଚିନ୍ତା ତାକୁ ଯେତିକି କଷ୍ଟ ଦେଉନାହିଁ, ଚାଇଲ୍‌ଡ ଲାଇନ୍‌ରେ ରହୁଥିବା ମା’ ଛେଉଣ୍ଡ ୩ କୁନି ଭଉଣୀଙ୍କ କଥା ତାକୁ ବେଶି ବ୍ୟଥିତ କରୁଛି। ସେମାନଙ୍କୁ ପାଖରୁ ଦେଖିବା ପାଇଁ ମନେ ମନେ ଛାଟିପିଟି ହେଉଛି ମାମୁନି।

ମାମୁନିର କାହାଣୀ ଏମିତି; ବାଲିପାଟଣା ବ୍ଲକ ଗଡ଼ବନ୍ତପୁର ଗାଁ ଭାଗବତ ସାମଲଙ୍କ ପତ୍ନୀ ଗୀତା ଚତୁର୍ଥ ସନ୍ତାନ ଜନ୍ମ ଦେବାକୁ ଯାଇ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିଥିଲେ। ପୂର୍ବରୁ ୩ ଝିଅ ଜନ୍ମ ଦେଇଥିବାରୁ ପୁଅ ପାଇଁ ଆଶା କରି ସେ ଚତୁର୍ଥଥର ଗର୍ଭଧାରଣ କରିଥିଲେ। ମାତ୍ର ଅଭାବୀ ସଂସାର ଚଳାଉ ଚଳାଉ ଭାଗବତ ତାଙ୍କ ସ୍ବାସ୍ଥ୍ୟର ଯତ୍ନ ନେଇ ପାରିଲେ ନାହିଁ। ଫଳରେ ଚତୁର୍ଥ କନ୍ୟା ସନ୍ତାନ ଜନ୍ମ ଦେବା ପରେ ଗୀତା ଅଧିକ ଅସୁସ୍ଥ ହୋଇପଡ଼ିଲେ। ଗରିବ ଭାଗବତ ତାଙ୍କୁ ଚିକିତ୍ସା କରିବା ପାଇଁ ସକ୍ଷମ ହେଲେ ନାହିଁ। ଦିନକୁ ଦିନ ଗୀତା ବେଶି ରୋଗିଣା ହୋଇ ଶଯ୍ୟାଶାୟୀ ହୋଇଗଲେ। ଭଙ୍ଗା ଘରେ ରହିବା ସମ୍ଭବ ନ ହେବାରୁ ଭାଗବତ ୪ ଝିଅ ଓ ରୋଗିଣା ଗୀତାଙ୍କୁ ନେଇ ବିଦ୍ୟାଳୟ ବାରଣ୍ଡାରେ ଆଶ୍ରୟ ନେଲେ। ଭାଗବତଙ୍କ ଦୁର୍ଦ୍ଦଶାର କାହାଣୀ ଖବର ପାଇ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ମନୋରଂଜନ ହାତୀ ଗୀତାଙ୍କ ଚିକିତ୍ସା ଭାର ବହନ କରିଥିଲେ। ମାତ୍ର ଗୀତା ବଞ୍ଚି ନଥିଲେ। ଚାରି ଚାରିଟି ଝିଅ ମା’ ଛେଉଣ୍ଡ ହୋଇ ଗରିବ ବାପାର ବୋଝ ହେବାକୁ ଯାଉଥିବା ଖବର ପାଇ ଚାଇଲ୍ଡ ଲାଇନ୍‌ ଭାଗବତଙ୍କୁ ଭେଟିଥିଲା। ସାନ ୩ ଝିଅଙ୍କୁ ଚାଇଲ୍‌ଡ ଲାଇନ ଉଦ୍ଧାର କରିଥିଲା। ତେବେ ବଡ଼ ଝିଅ ମାମୁନି(୧୦) ମା’ର ଶୁଦ୍ଧିକ୍ରିୟା ପରେ ଚାଇଲ୍‌ଡ ଲାଇନ୍ ଯିବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଏହା ଭିତରେ ଦେଢ଼ ମାସ ବିତିଗଲାଣି। ମାମୁନି ସେମିତି ଗରିବ ଭାଗବତଙ୍କ ପାଖରେ ଦୁର୍ଦ୍ଦିନରେ ପଡ଼ି ରହିଛି। ଭଙ୍ଗା କୁଡ଼ିଆରେ ଅସୁରକ୍ଷିତ ଭାବେ ରହୁଛି। ଚାଇଲ୍‌ଡ ଲାଇନ ତୁରନ୍ତ ମାମୁନିକୁ ଉଦ୍ଧାର କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର