ମିଡିଆ ମହାକୁମ୍ଭ ଉଦ୍‌ଘାଟିତ, ମଣିଷ ଉପରେ ମେସିନ୍‌ର ପ୍ରଭାବ ବଢ଼ିଛି

ଚନ୍ଦ୍ରଶେଖରପୁର: କମ୍ପ୍ୟୁଟର ଓ ସୂଚନା ପ୍ରଯୁକ୍ତି ଯୁଗରେ ପାରମ୍ପରିକ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେଉଛି। ନୂଆ ନୂଆ ଜ୍ଞାନ କୌଶଳ ଓ ବୈଷୟିକ ବ୍ୟବସ୍ଥା ଏ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିଛି। ଏବେ ମଣିଷ ଉପରେ ମେସିନ୍‌ର ପ୍ରଭାବ ବଢ଼ିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନସ୍‌ ଭଳି ବ୍ୟବସ୍ଥା ମଣିଷର ବ୍ୟାବହାରିକ ଉପଯୋଗୀ ହେଉଛି। ଏଥିସହ ଯୋଗାଯୋଗ କ୍ଷେତ୍ରରେ ଏକ ଅଭୂତପୂର୍ବ ପରିବର୍ତନ ଆଣିଛି। ବିଶେଷକରି ଭାରତରେ ସାମ୍ବିଧାନିକ ବ୍ୟବସ୍ଥାକୁ ଲୋକାଭିମୁଖି କରିବାରେ ଟେକ୍ନୋଲୋଜିର ଭୂମିକା ପ୍ରଶଂସନୀୟ ବୋଲି ତୃତୀୟ ମିଡ଼ିଆ ମହାକୁମ୍ଭକୁ ଉଦ୍‌ଘାଟନ କରି କେନ୍ଦ୍ରୀୟ ସୂଚନା ଆୟୁକ୍ତ ବିମଲ ଜୁଲକା କହିଛନ୍ତି।

କିଟ୍‌ ପ୍ରେକ୍ଷାଳୟରେ ଆୟୋଜିତ ଏହି ତିନି ଦିନିଆ ସମ୍ମିଳନୀରେ ସିଇସିର ନିର୍ଦ୍ଦେଶକ ପ୍ରଫେସର ଜଗତଭୂଷଣ ନଡ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମାଜିକ ଗଣମାଧ୍ୟମ ଓ ଲୋକଙ୍କ ଜୀବନଶୈଳୀ ଉପରେ ଏହାର ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ସାଂସଦ ତଥା ‘ପ୍ରଜାତନ୍ତ୍ର’ର ସମ୍ପାଦକ ଭର୍ତୃହରି ମହତାବ ଯୋଗଦେଇ ଡିଜିଟାଇଜେସନ ପରେ ସାମ୍ବାଦିକତାରେ ବ୍ୟାପକ ପରିବର୍ତନ ଆସିଛି ବୋଲି କହିଥିଲେ। ଆମ୍ବେଦକର ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ଡ. ଦେବେନ୍ଦ୍ର ପ୍ରସାଦ ମାଝୀ ଆଧୁନିକ ପ୍ରଯୁକ୍ତିବିଦ୍ୟା ଓ ଏହାଦ୍ୱାରା ଗଣମାଧ୍ୟମର ପରିବର୍ତିତ ରୂପ ସମ୍ପର୍କରେ ଆଲୋଚନା କରିଥିଲେ। ମିଡିଆ ମହାକୁମ୍ଭର ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପାଢୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ଚନ୍ଦ୍ରଭାନୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଆଦାମସ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଉଜ୍ଜଳ ଚୌଧୁରୀ, ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନିଲକାନ୍ତ ବେହେରା ଯୋଗଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ।
ଉଦଘାଟନୀ ଦିବସରେ ୩ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଦାମ୍‌ସ ଗ୍ରୁପର ପ୍ରଫେସର ମୃତ୍ୟୁଞ୍ଜୟ ଚାଟାର୍ଜୀ, ଯାଦବପୁର ବିଶ୍ୱବିଦ୍ୟାଳୟର ଅଭିଜିତ ରାୟ, ଉତ୍କଳ ବିଶ୍ୱବିଦ୍ୟାଳଳୟର ପୂର୍ବତନ ପ୍ର‌ାଧ୍ୟାପକ ଅମରେଶ୍ୱର ମିଶ୍ର, ସିଇସିର ଯୁଗ୍ମ ନିର୍ଦ୍ଦେଶକ ସୁନିଲ ମେହର, ମାଡ୍ରାସ ବିଶ୍ୱବିଦ୍ୟାଳୟର ପ୍ରଫେସର ଗୋପାଲନ ରବିନ୍ଦ୍ରନ ପ୍ରମୁଖ ସାମାଜିକ ଗଣମାଧ୍ୟମ, ଡିଜିଟାଲ ଗଣତନ୍ତ୍ର, ମିଥ୍ୟା ଖବର ଓ ମିଥ୍ୟା ସାମ୍ବାଦିକତା ଉପରେ ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ୮୦୦ରୁ ଅଧିକ ଗବେଷକ, ବିଶେଷଜ୍ଞ, ଶିକ୍ଷାବିତ୍‌ ଓ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ୫୦ରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହ ୧୫୦ରୁ ଅଧିକ ଗବେଷଣାତ୍ମକ ସନ୍ଧର୍ଭ ପାଠ କରାଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର