ପୁରୁଣା ଭୁବନେଶ୍ୱର : ଗୋଟିଏ ଜମିକୁ ୨ ଥର ବିକି କ୍ରେତାଙ୍କୁ ଠକିଥିବା ଅଭିଯୋଗରେ ଆଜି ଏୟାର ଫିଲଡ୍ ଥାନା ପୁଲିସ ଜମି ବିକ୍ରେତାକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ପଧାନ ସାହିର ରଘୁ ବେହେରା (୫୨)।
ପୁଲିସ ସୂଚନା ଅନୁଯାୟୀ, ଜଟଣୀ ତହସିଲ ଅଧୀନ ପଧାନସାହି ମୌଜାରେ ଏକ ଜମି ରଘୁଙ୍କ ବାପାଙ୍କ ନାମରେ ଥିଲା। ଏକ ସରକାରୀ ଡ୍ରେନ୍ ନିର୍ମାଣ ପାଇଁ ୨୦୧୧ ମସିହାରେ ଏହି ଜମି ଅଧିଗ୍ରହଣ ହୋଇଥିଲା ଓ ରଘୁ ଏହି ଜମି ବାବଦରେ ଟଙ୍କା ପାଇଥିଲେ। ସେବେଠାରୁ ଉକ୍ତ ଜମି ସରକାରୀ ଖାତାକୁ ଚାଲି ଯାଇଥିଲା। କିନ୍ତୁ ପଟ୍ଟାରୁ ରଘୁଙ୍କ ବାପାଙ୍କ ନାମ କଟିନଥିଲା। ଏହାକୁ ମଉକା ଭାବେ ନେଇ ରଘୁ ପୁଣି ଥରେ ଉକ୍ତ ଜମିକୁ ଅନ୍ୟ ଜଣେ କ୍ରେତାଙ୍କୁ ବିକି ଦେଇଥିଲେ। କିଛି ଦିନ ପରେ ଜମି କ୍ରେତା ଠକାମିରେ ପଡ଼ିଥିବା ଜାଣିବା ପରେ ଟଙ୍କା ଫେରାଇବାକୁ ରଘୁଙ୍କୁ କହିଥିଲେ। ମାତ୍ର ଜାଣିଣୁଣି ଜାଲିଆତି କରିଥିବା ରଘୁ ଆଉ ତାଙ୍କୁ ଧରାଛୁଆଁ ଦେଇନଥିଲା। ତେଣୁ ସେ ବାଧ୍ୟ ହୋଇ ପୁଲିସର ଦ୍ବାରସ୍ଥ ହୋଇଥିଲେ।