ରାଜଧାନୀରେ ଅଜଣା ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା

ଭୁବନେଶ୍ୱର: ଆଜି ସକାଳେ ରାଜଧାନୀ ଭୁବନେଶ୍ୱରର ନୂଆପଲ୍ଲୀ ଥାନା ଅନ୍ତଗତ ଆଇଆରସି ଭିଲେଜ୍‌ ହାଇସ୍କୁଲ ଖେଳପଡ଼ିଆରେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିଛି। ଅତି ବୀଭତ୍ସ ଭାବେ ଯୁବକଙ୍କୁ ହତ୍ୟା କରାଯାଇଛି। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଯେ ଆଜି ଆଇଆରସି ଭିଜେଜ ହାଇସ୍କୁଲ ପଛପଟେ ଥିବା ସ୍କୁଲ ଖେଳପଡ଼ିଆରେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ନେଇ ଲୋକେ ପୁଲିସକୁ ଖବର ଦେଇଥଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଙ୍କ ବୟସ ପ୍ରାୟ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ପାରିମ୍ଭିକ ତଦନ୍ତରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ଯେଉଁ ସ୍ଥାନରେ ଯୁବକଙ୍କ ମୃତଦେହ ପଡ଼ିଛି, ସେଠାକାର ମାଟି ରକ୍ତରେ ଭିଜି ଯାଇଥିବାରୁ ତାଙ୍କୁ ସେହି ସ୍ଥାନରେ ବେକ, ମୁହଁ ଓ ମୁଣ୍ଡକୁ କୌଣସି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଯୁବକଙ୍କର କୌଣସି ପରିଚୟ ମିଳି ନ ଥିବା ବେଳେ ତାଙ୍କ ମୃତଦେହ ନିକଟରେ ଏକ ମୋବାଇଲ ଫୋନ ଭଙ୍ଗାରୁଜା ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଘଟଣାର ତଦନ୍ତ ପାଇଁ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନିଆଯାଇଛି। ପ୍ରଥମେ ଯୁବକଙ୍କ ପରିଚୟ ସମ୍ପର୍କରେ ବିଭିନ୍ନ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ନୂଆପଲ୍ଲୀ ଥାନା ପୁଲିସ କହିଛି।

ସମ୍ବନ୍ଧିତ ଖବର