ଭୁବନେଶ୍ବର : ବୁଧବାର ଭୋର୍ ସମୟରେ ଫାୟାର୍ ଷ୍ଟେସନ ଛକ ନିକଟରେ କୌଣସି ଅଜଣା ଗାଡ଼ି ଧକ୍କାରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ମୃତକଙ୍କୁ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ବୋଲି କହୁଥିଲେ ହେଁ ପୁଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖିଛି ଓ ତାଙ୍କ ପରିଚୟ ପାଇବାକୁ ବିଭିନ୍ନ ଥାନାକୁ ଫଟୋ ପଠାଇଛି। ପୁଲିସ ସୂଚନାନୁସାରେ ମୃତକଙ୍କ ଆନୁମାନିକ ବୟସ ୫୨ ବର୍ଷ ହେବ। ଉଚ୍ଚତା ପ୍ରାୟ ୫ଫୁଟ୍ ୨ଇଞ୍ଚ ହୋଇଥିବା ବେଳେ ସେ ଧଳାରଙ୍ଗର ସାର୍ଟ ଓ ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ୍ ପିନ୍ଧିଛନ୍ତି। ତେବେ ଗାଡ଼ି ଚାପାରେ ମୃତକଙ୍କ ମୁଣ୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ପରିଚୟ ମିଳିବା କଷ୍ଟକର ହେବ ବୋଲି କୁହାଯାଉଛି।
ଦୁର୍ଘଟଣାରେ ବାଇକ୍ ଆରୋହୀ ଗୁରୁତର
ଧଉଳି : ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅଧୀନ ଗୁଡ଼ିଆପୋଖରୀ ଛକ ନିକଟରେ ବୁଧବାର ମଧ୍ୟାହ୍ନରେ ଏକ ଅଟୋ ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ବାଇକ୍ ଆରୋହୀଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ଉତ୍ତରା ଫାଣ୍ଡି ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଅଟୋ ଏବଂ ବାଇକ୍କୁ ଜବତ କରିଛି। ଏଥିସହ ଆହତ ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ପିପିଲି ହସ୍ପିଟାଲକୁ ପଠାଇଥିଲା।
ବିଦ୍ୟୁତ୍ କର୍ମଚାରୀଙ୍କ ଝୁଲନ୍ତା ଶବ ଜବତ
ମେଣ୍ଢାଶାଳ : ମେଣ୍ଢାଶାଳସ୍ଥିତ ଓପିଟିସିଏଲ୍ କାର୍ଯ୍ୟାଳୟ ପରିସରରୁ ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ ମୃତଦେହକୁ ବୁଧବାର ମେଣ୍ଢାଶାଳ ଫାଣ୍ଡି ପୁଲିସ ଜବତ କରିଛି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ କାଡାମାଲକା ଗ୍ରାମର ବାପୁନ୍ ନାୟକ (୨୧)। ସେ ସୁପରଭାଇଜର୍ ଭାବେ କାମ କରୁଥିଲେ। ଆଜି ସକାଳେ ଅନ୍ୟ କର୍ମଚାରୀମାନେ ତାଙ୍କ ମୃତଦେହକୁ ଏକ ଗଛରେ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ଛାନ୍ଭିନ୍ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/dead-f.jpg)