ଅଧଘଣ୍ଟା ପରେ ଆମ୍ବୁଲାନ୍ସ ଓ ପୁଲିସ ପହଞ୍ଚିଥିବା ଅଭିଯୋଗ
କୁଆଡ଼େ ଗଲା ସମାରିଟାରିଆନ୍ ଆଇନ
ଭୁବନେଶ୍ୱର : ସମୟ ପ୍ରାୟ ଦିନ ୧୧ଟା ହେବ। ୧୬ ନମ୍ବର ଜାତୀୟ ରାଜପଥର ଗୋହିରା ଛକ ନିକଟରେ ଏକ ଦୁର୍ଘଟଣା ଘଟିଲା। ତେଲ ଟ୍ୟାଙ୍କର୍ ଧକ୍କାରେ ଜଣେ ବ୍ୟକ୍ତି ସର୍ଭିସ୍ ରୋଡ୍କୁ ଛିଟିକି ପଡ଼ିଲେ। ଏହା ଦେଖି କେଇ କ୍ଷଣ ମଧ୍ୟରେ ଜାତୀୟ ରାଜପଥରେ ଯାଉଥିବା ଓ ସ୍ଥାନୀୟ ଅଞ୍ଚଳରେ ଥିବା ଲୋକେ ଜମା ହୋଇଗଲେ। ଦୁର୍ଘଟଣାରେ ଛଟପଟ ହେଉଥିବା ବ୍ୟକ୍ତିଙ୍କୁ ଦେଖି ସମସ୍ତେ ନିଜର ଉଦ୍ବେଗ ପ୍ରକାଶ କଲେ। ‘ଆହା... ଲୋକଟା ଛଟପଟ ହେଉଛି, କେହି ଜଣେ ମେଡିକାଲ ନେଇଯାଅ’ ବୋଲି ସମସ୍ତେ କହିଲେ, କିନ୍ତୁ କେହି ନେଲେନି। ରାସ୍ତା ଉପରେ ଶହଶହ ଗାଡ଼ିମଟର ଯାତାୟାତ କରୁଥିଲେ ବି କେହି ଜଣେ ସାହସ କରି ବ୍ୟକ୍ତିଙ୍କୁ ମେଡିକାଲ ପଠାଇବାର ବ୍ୟବସ୍ଥା କରିବା ପାଇଁ ସାହସ ଜୁଟାଇ ପାରିଲେନି। ୧୦୮ ଆମ୍ବୁଲାନ୍ସ ଓ ସ୍ଥାନୀୟ ପୁଲିସକୁ ଖବର ଦେଇ ଚୁପ୍ଚାପ୍ ତମାସା ଦେଖିଲେ। ସତେଯେମିତି ଉପସ୍ଥିତ ଲୋକଙ୍କ ମାନବିକତା ମରି ଯାଇଥିଲା। ଅପରପକ୍ଷେ ପରମ୍ପରା ବଜାୟ ରଖି ପୁଲିସ ଓ ଆମ୍ବୁଲାନ୍ସ ବି ପ୍ରାୟ ଅଧଘଣ୍ଟାଏ ପରେ ଘଟଣାସ୍ଥଳରେ ପହଞ୍ଚିଲେ। କିନ୍ତୁ ସେତେବେଳକୁ ଛଟପଟ ହୋଇ ବ୍ୟକ୍ତିଜଣଙ୍କର ପ୍ରାଣବାୟୁ ଉଡ଼ି ସାରିଥିଲା। ଏମ୍ସରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ, ସାଲିଆସାହି ନିରଙ୍କରୀ ନଗରର ଆନନ୍ଦ ପ୍ରଧାନ(୫୧)। ଏମ୍ସରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅପରପକ୍ଷେ ପୁଲିସ ଗାଡ଼ି ଜବତ କରିବା ସହ ଡ୍ରାଇଭରକୁ ଯାଁଳା ଫାଣ୍ଡିକୁ ହସ୍ତାନ୍ତର କରିଛି। ଦୁର୍ଘଟଣା ଘଟାଇଥିବା ତେଲ ଟ୍ୟାଙ୍କରକୁ ଲୋକେ ଗୋଡ଼ାଇ ଗୋଡ଼ାଇ ତମାଣ୍ଡୋ ନିକଟରୁ ଧରି ପୁଲିସକୁ ଜିମା ଦେଇଛନ୍ତି।
ସୂଚନାଯୋଗ୍ୟ, ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚି ନ ପାରିବା ଯୋଗୁଁ ଦୁର୍ଘଟଣାରେ ଆହତ ବହୁ ଲୋକଙ୍କ ଜୀବନ ଯାଉଥିବାରୁ ଦେଶରେ ଗୁଡ୍ ସମାରିଟାରିଆନ୍ ଆଇନ ପ୍ରଣୟନ ହୋଇଛି। ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଉଥିବା ବ୍ୟକ୍ତିଙ୍କୁ ତଦନ୍ତ ନାଁରେ ପୁଲିସ୍ ହଇରାଣ କରିପାରିବନି ବୋଲି ଏଥିରେ ନିୟମ ରହିଛି। ସେହିପରି କିଛି ରାଜ୍ୟ ସରକାର ଉଦ୍ଧାରକାରୀ ବ୍ୟକ୍ତିଙ୍କୁ ପୁରସ୍କାର ରାଶି ଦେବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ସଡ଼କ ସୁରକ୍ଷା ସପ୍ତାହଠାରୁ ଆରମ୍ଭ କରି ବିଭିନ୍ନ ସମୟରେ ସଡ଼କ ସୁରକ୍ଷା ସଚେତନତା ସମୟରେ ଏହି ଆଇନ ସଂପର୍କରେ ଲୋକଙ୍କୁ ବୁଝା ମଧ୍ୟ ଯାଉଛି। କିନ୍ତୁ ଆନନ୍ଦଙ୍କ କ୍ଷେତ୍ରରେ ଏ ସବୁର ଯେମିତି କିଛି ମାନେ ନଥିଲା। ଶହଶହ ଲୋକ ଘେରି ତାଙ୍କ କଷ୍ଟକୁ ଦେଖୁଥିଲେ ହେଁ କେହି ହସ୍ପିଟାଲ ନେବାକୁ ସାମାନ୍ୟତମ ଉଦ୍ୟମ କରିନଥିଲେ।
ପୂରା ଘଟଣା ଥିଲା ଏମିତି
ସାଲିଆସାହି ନିରଙ୍କରୀ ନଗରରେ ରହୁଥିବା ଆନନ୍ଦ ମଙ୍ଗଳବାର ସକାଳେ ଯାଁଳା ଯାଇଥିଲେ। ସେଠାରେ ତାଙ୍କର ଏକ ଘର ନିର୍ମାଣ କାମ ଚାଲୁଥିବା ବେଳେ ତଦାରଖ କରି ଫେରୁଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟା ୫୦ରେ ଗୋହିରା ଛକ-ଯାଁଳା ଫାଣ୍ଡି ରାସ୍ତାର ଚନ୍ଦ୍ରିକା ଟାଇଲ୍ ଦୋକାନ ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ରଖିଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗାଡ଼ି ରଖି ସେ ଡାହଣ ପଟକୁ ଓହ୍ଲାଇଥିଲେ। ସେହି ସମୟରେ ଖୋର୍ଦ୍ଧା ପଟୁ ଦ୍ରୁତ ଗତିରେ ଆସୁଥିବା ତେଲ ଟ୍ୟାଙ୍କର୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଜାତୀୟ ରାଜପଥ କଡ଼ରେ ଥିବା ସର୍ଭିସ୍ ରୋଡକୁ ସେ ଛିଟିକି ପଡ଼ିଥିଲେ। ସେହି ବାଟ ଦେଇ ଯାଉଥିବା ଲୋକ ଧୀରେଧୀରେ ଭିଡ଼ ଜମାଇଲେ। ପୁଲିସ କଣ୍ଟ୍ରୋଲ ରୁମ୍ ଓ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରି ତତ୍ପରତା ମଧ୍ୟ ଦେଖାଇଲେ। କିନ୍ତୁ କେହି ତାଙ୍କୁ ହସ୍ପିଟାଲ ନେବାକୁ ଉଦ୍ୟମ କଲେ ନାହିଁ। ମାତ୍ର ୩ ଶହ ମିଟର ଦୂରରେ ଥିବା ଯାଁଳା ଫାଣ୍ଡି ଥିଲେ ହେଁ ଘଟଣାସ୍ଥଳକୁ ଆସିବାକୁ ପୁଲିସକୁ ପାଖାପାଖି ଅଧଘଣ୍ଟା ଲାଗିଗଲା। ପୁଲିସ ଆନନ୍ଦଙ୍କୁ ଉଦ୍ଧାର କରି ଏମ୍ସ ପଠାଇଲା ବେଳକୁ ତାଙ୍କ ଶରୀର ନିଶ୍ଚଳ ହୋଇସାରିଥିଲା। ଏମ୍ସରେ ପହଞ୍ଚୁ ପହଞ୍ଚୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏ ସଂପର୍କରେ ନିରଙ୍କରୀନଗର କମ୍ୟୁନିଟି ମ୍ୟାନେଜମେଣ୍ଟ ଗ୍ରୁପ୍ ସମ୍ପାଦକ ଉମେଶ ବାବୁ ଦୁଃଖର ସହ କହିଛନ୍ତି, କିଏ ବଞ୍ଚିବ ନ ବଞ୍ଚିବ, ତାହା ଭଗବାନଙ୍କ ହାତରେ। କିନ୍ତୁ ଗୋଟିଏ ମଣିଷର ସବୁବେଳେ ଆଶା ରହିଥାଏ। ହୁଏତ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ଯଦି ତୁରନ୍ତ ଆନନ୍ଦଙ୍କୁ ହସ୍ପିଟାଲ ନେଇଥା’ନ୍ତେ, ସେ ବଞ୍ଚି ପାରିଥା’ନ୍ତେ। କିନ୍ତୁ ଏମିତି ପଡ଼ି ପଡ଼ି ଜୀବନ ଚାଲିଗଲା। ଲୋକେ ଆମ୍ବୁଲାନ୍ସ, ପୁଲିସକୁ ଖବର ଦେବା ସହ ଧକ୍କା ଦେଇଥିବା ତେଲ ଟ୍ୟାଙ୍କରକୁ ଗୋଡ଼ାଇ ଗୋଡ଼ାଇ ଧରିବା ଭଲ କଥା। କିନ୍ତୁ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ହସ୍ପିଟାଲ ନେବା ଆଉ ଏକ ବଡ଼ କର୍ତ୍ତବ୍ୟ। ଅପରପକ୍ଷେ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିବା ଅଭିଯୋଗରେ ଯାଁଳା ଫାଣ୍ଡି ପୁଲିସ ଅସ୍ବୀକାର କରିଛି। ଯାଁଳା ଫାଣ୍ଡି ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି। ଆସନ୍ତାକାଲି ଟ୍ୟାଙ୍କର ଡ୍ରାଇଭରଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ଉଦ୍ଧାର କଲେ ପୁରସ୍କାର ବ୍ୟବସ୍ଥା ରହିଛି। ସମ୍ପୃକ୍ତ ବ୍ୟକ୍ତି ମଧ୍ୟ କୌଣସି ଆଇନଗତ ସମସ୍ୟାର ସମ୍ମୁଖୀନ ହେବେନି ବୋଲି ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି। ତଥାପି ଲୋକଙ୍କ ମନରୁ ଭୟ ଯାଉନି।