ଭୁବନେଶ୍ୱର : ହସ୍ପିଟାଲ‌‌‌ରେ ଆଡମିସନ୍ ହୋଇ ଚିକିତ୍ସିତ ହେବାକୁ ଥିବା ପ୍ରତ୍ୟେକ ରୋଗୀଙ୍କ କରୋନା ପରୀକ୍ଷା କରାଯିବ। ପଜିଟିଭ୍ ବାହାରିଲେ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେବେ, ନଚେତ୍‌ ଉକ୍ତ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା ଥିଲେ ସେଠାରେ ଚିକିତ୍ସା କରାଯିବ। ସ୍ବାସ୍ଥ୍ୟ ବିଭାଗ ଏହି ନିୟମ କରିଛି। ଏପରିକି କୌଣସି ରୋଗୀଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ନ ଫେରାଇବାକୁ ନିୟମ ହୋଇଛି। ହେଲେ ସରକାରଙ୍କ ଏହି ନିର୍ଦ୍ଦେଶକୁ ଆଳ କରି ଏବେ ଘରୋଇ ହସ୍ପିଟାଲରୁ ଆରମ୍ଭ କରି ସରକାରୀ ହସ୍ପିଟାଲ ପର୍ଯ୍ୟନ୍ତ ସମସ୍ତେ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ରୋଗୀଙ୍କର କରୋନା ପରୀକ୍ଷା କରୁଛନ୍ତି। କିନ୍ତୁ ଦିନକ ପୂର୍ବରୁ ଜଣେ କରୋନା ପରୀକ୍ଷା କରିଥିଲେ ବି ତାକୁ ଅନ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଗ୍ରହଣ କରୁନାହାନ୍ତି। ୫ଟି ହସ୍ପିଟାଲ ସରକାରୀ ନିୟମକୁ ଏମିତି ଭାବେ ରୋଗୀ ଉପରେ ଲଦିଦେଲେ ଯେ ଚିକିତ୍ସା ନପାଇ ରୋଗୀଜଣକ ଶେଷରେ ପ୍ରାଣ ହରାଇଲେ।

Advertisment

ସାଲିଆସାହିର ବିଷ୍ଣୁ ଚରଣ ପଣ୍ଡା ନାମକ ଜଣେ ୭୦ବର୍ଷ ବୟସ୍କ ବ୍ୟକ୍ତିଙ୍କର ଗତ ୧୨ତାରିଖ (ବୁଧବାର) ଦିନ ମୃତ୍ୟୁ ହୋଇଯାଇଛି। ତାଙ୍କ ପୁଅ ଧନେଶ୍ବର ପଣ୍ଡା ଅଭିଯୋଗ କରିଛନ୍ତି ଯେ କରୋନା ପରୀକ୍ଷା ହେଲେ ଚିକିତ୍ସା କରିବେ କହି କହି ମୋ ବାପାଙ୍କୁ ବିଭିନ୍ନ ହସ୍ପିଟାଲରେ ପକାଇ ରଖିଲେ। ଏମିତି ନିୟମ କାନୁନ ଦେଖାଇଲେ ଯେ ମୁଁ ସବୁ ମାନିବାକୁ ରାଜି ହେଲି। ହେଲେ ବାପାଙ୍କୁ ବଞ୍ଚାଇ ପାରିଲେନି। ଧନେଶ୍ବରଙ୍କ ଅଭିଯୋଗ ଯେ ସେ ୭ଦିନରେ ୫ଟି ହସ୍ପିଟାଲରେ ବାପାଙ୍କୁ ଦେଖାଇଲେ। ତିନିଟି ହସ୍ପିଟାଲରେ ବାପାଙ୍କର କରୋନା ପରୀକ୍ଷା କରାଇଲେ। ହେଲେ କୌଣସି ହସ୍ପିଟାଲ କାହା ରିପୋର୍ଟକୁ ଗ୍ରହଣ କଲେନି। ସମସ୍ତେ କରୋନା ପରୀକ୍ଷା କରିବାକୁ କହିଲେ। କରୋନା ନେଗେଟିଭ୍ ଆସିଲେ ହସ୍ପିଟାଲରେ ଚିକିତ୍ସିତ ହେବ, ନଚେତ୍ କୋଭିଡ୍‌ ହସ୍ପିଟାଲକୁ ଯିବ ବୋଲି କହିଲେ। ବାପାଙ୍କୁ ବଞ୍ଚାଇବାକୁ ଛୋଟା ଗୋଡ଼ରେ ୫ଟି ହସ୍ପିଟାଲ ବୁଲିଲି। ହେଲେ ଶେଷରେ ବାପା ମୋ ଆଗରେ ଆଖି ବୁଜିଦେଲେ।

ଘରୋଇ ହସ୍ପିଟାଲରେ ପଜିଟିଭ୍, ସରକାରୀ ନେଗେଟିଭ୍
୭ଦିନରେ ୫ଟି ହସ୍ପିଟାଲ ଗଲେ, ତିନି ଥର ପରୀକ୍ଷା କଲେ
କ୍ୟାପିଟାଲ ରିପୋର୍ଟ ବି ଏସ୍‌ସିବି ମାନୁନି

ଧନେଶ୍ବରଙ୍କ କହିବାନୁଯାୟୀ, ୬ ତାରିଖରେ ତାଙ୍କ ବାପାଙ୍କର ଝାଡ଼ା, ବାନ୍ତି ହୋଇଥିଲା। ଏହାପରେ ସେ ନୂଆପଲ୍ଲୀସ୍ଥିତ ଉସ୍ଥି ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର କେବଳ ସାଲାଇନ୍, ଇଞ୍ଜେକ୍ସନ ଦେଇଥିଲେ। କିନ୍ତୁ ହସ୍ପିଟାଲରେ ଆଡମିସନ୍‌ ହୋଇପାରିବନି କହିଥିଲେ। କୋଭିଡ୍‌ ପରୀକ୍ଷା କରି ରିପୋର୍ଟ ଆସିଲେ ଅଲଗା ଚିକିତ୍ସା ହେବ କହିଥିଲେ। ଏହାପରେ ବାପାଙ୍କ ଦେହ ଭଲ ଲାଗିବାରୁ ଘରକୁ ନେଇ ଆସିଥିଲେ। ୮ ତାରିଖରେ ସମ୍‌ ହସ୍ପିଟାଲରେ ବାପାଙ୍କ କରୋନା ପରୀକ୍ଷା କରାଇଲେ। ସଂଧ୍ୟା ବେଳକୁ ହସ୍ପିଟାଲ କର୍ତ୍ତୃପକ୍ଷ ରିପୋର୍ଟ ପଜିଟିଭ୍‌ ଆସିଛି ବୋଲି କହିଲେ। ତେଣୁ ବାପାଙ୍କୁ ଆଡମିସନ୍ କରିଦେବା ପାଇଁ ଧନେଶ୍ବର କହିଲେ। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ମନା କରିଦେଲେ। କହିଲେ ଘରକୁ ଯାଆନ୍ତୁ। ବିଏମ୍‌ସି କର୍ତ୍ତୃପକ୍ଷ ଫୋନ୍‌ କରି ଆପଣଙ୍କୁ ହସ୍ପିଟାଲକୁ ଆଣିବେ। ଏହି ସମୟ ଭିତରେ ବାପାଙ୍କ ଦେହ ଅଧିକ ବିଗିଡ଼ିବାରୁ, ଜ୍ବର ଆସିବାରୁ ଏବଂ ଦେହ ଦୁର୍ବଳ ଲାଗିବାରୁ ସେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ସମ୍‌ ହସ୍ପିଟାଲରେ ରିପୋର୍ଟ ପଜିଟିଭ୍ ଆସିଛି ବୋଲି କହିଲେ। ତେଣୁ କେମିତି ଚିକିତ୍ସା‌ ହେବ ସେ ବ୍ୟବସ୍ଥା କରିବାକୁ କହିଲେ। ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ କହିଲେ ସେ ରିପୋର୍ଟ ଆମେ ଗ୍ରହଣ କରିବୁନି। ଆମର ଏଠି କରୋନା ପରୀକ୍ଷା ହେବ। ଦେଢ଼ ଘଣ୍ଟା ଅପେକ୍ଷା କର। ରିପୋର୍ଟ ଆସିଲେ ଚିକିତ୍ସା ଆରମ୍ଭ କରିଦେବା। କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଲା। ତେଣୁ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କର ତୁରନ୍ତ ଚିକିତ୍ସା ଆରମ୍ଭ କରିଦେଲେ। ହେଲେ ସେତେବେଳକୁ ବିଷ୍ଣୁ ଚରଣଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ କରିଥିଲା। ଡାକ୍ତର ଏସ୍‌ସିବି ନେଇଯିବାକୁ ପରାମର୍ଶ ଦେଲେ। କିନ୍ତୁ କ’ଣ ରୋଗ ହୋଇଛି ନଜାଣି, ବର୍ତ୍ତମାନ ସ୍ଥିତିରେ ଏସ୍‌ସିବି କେମିତି ନେବେ, କ’ଣ କରିବେ, ଧନେଶ୍ବର ଦ୍ବନ୍ଦ୍ବରେ ପଡ଼ିଲେ। ପାଖରେ କରୋନା ରିପୋର୍ଟ ନଥିବାରୁ ‌ଡାକ୍ତରଙ୍କୁ ଅନୁରୋଧ କରି ‌ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି ବୋଲି ଡିସଚାର୍ଜ ପେପ‌ରରେ ଲେଖିକି ନେଲେ।

ଏହାପରେ ଉସ୍ଥି ହସ୍ପିଟାଲରେ ପୁଣି ଭର୍ତ୍ତି କଲେ। ଏହା ମଧ୍ୟରେ ଦିନେ ବିତି ଯାଇଥିଲା। ସେଠାରେ ଜଣାପଡ଼ିଲା ଯେ ବାପାଙ୍କର ଲିଭର୍ ଜଣ୍ଡିସ୍‌। ସେତେବେଳେକୁ ବାପାଙ୍କ ନିଃଶ୍ବାସ ପ୍ରଶ୍ବାସରେ ଅସୁବିଧା ହେଲାଣି। ଡାକ୍ତର କହିଲେ ଅମ୍ଳଜାନ କମିଲାଣି। ରୋଗୀକୁ ଆଇସିୟୁ ଦରକାର। ଆମର ଏଠି ଆଇସିୟୁ ନାହିଁ। ତେଣୁ ସେ ବାପାଙ୍କୁ ନେଇ ହାଇଟେକ୍ ହସ୍ପିଟାଲ ଗଲେ। ୧୦ ତାରିଖ ରାତି ପ୍ରାୟ ୧୨ଟା ୩୦ରେ ତାଙ୍କୁ ହାଇଟେକ୍ ହସ୍ପିଟାଲରେ ଭର୍ତ୍ତି କଲେ। ହସ୍ପିଟାଲ କର୍ତ୍ତୃପକ୍ଷ କହିଲେ ଯେ ବିନା କରୋନା ପରୀକ୍ଷାରେ ଆଡମିସନ୍ ହେବନି। ପୂର୍ବ ଦୁଇଟି ରିପୋର୍ଟ ବିଷୟରେ କହିଲେ। କ୍ୟାପିଟାଲ ହସ୍ପିଟାଲ ଡିସଚାର୍ଜ ରିପୋର୍ଟରେ ନେଗେଟିଭ୍ ଲେଖା ହୋଇଥିବା ଦେଖାଇଲେ। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଶୁଣିଲେନି। ବହୁ ନେହୁରା ହେବା ପରେ କହିଲେ ୧୮ ହଜାର ଟଙ୍କା ଜମା କଲେ ଆଇସିୟୁରେ ରହିବ। କାଲି ସକାଳେ କରୋନା ପରୀକ୍ଷା ହେବ, ରିପୋର୍ଟ ଆସିଲେ ଡାକ୍ତର ଦେଖିବେ। ଏହାପରେ ୧୮ହଜାର ଜମା କଲେ। କିନ୍ତୁ ଭର୍ତ୍ତି ହେଉ ହେଉ ୮ ହଜାର ଟଙ୍କାର ଔଷଧ ଆଣିବାକୁ ଲେଖିଦେଲେ। ପାଖରେ ପଇସା ନଥିବାରୁ ରାତି ପାହୁ ପାହୁ ଡିସଚାର୍ଜ କରିବାକୁ କହିଲେ। ହସ୍ପିଟାଲରୁ ଡିସଚାର୍ଜ ହେଉ ହେଉ ଦିନ ଗୋଟାଏ ହୋଇଗଲା। ବାପାଙ୍କ ଅବସ୍ଥା ବିଗୁଡ଼ିଥିବା ବେଳେ ଧନେଶ୍ବର ବୁଦ୍ଧି ବାଟ ନପାଇ ପୁଣି କ୍ୟାପିଟାଲ ହସ୍ପିଟାଲକୁ ଫେରିଲେ। ସେଠାରେ ଡାକ୍ତର ତାଙ୍କ ବାପାଙ୍କ ଅବସ୍ଥା ଗୁରୁତର କହିବା ସହ ଏସ୍‌ସିବି ନେଇଯିବାକୁ କହିଲେ। ୪ଟା ହସ୍ପିଟାଲ ବୁଲିବା ପରେ ଧନେଶ୍ବରଙ୍କ ପାଖରେ ବାପାଙ୍କୁ ବଞ୍ଚାଇବାକୁ ଏସ୍‌ସିବି ଯିବା ବ୍ୟତୀତ ଆଉ କିଛି ଉପାୟ ନଥିଲା। ତେଣୁ ସେ ଏସ୍‌ସିବି ହିଁ ଗଲେ। ସେଠାରେ ୧୧ତାରିଖ ରାତି ୭ଟାରେ ପହଞ୍ଚି‌ଲେ। କିନ୍ତୁ ହସ୍ପିଟାଲରେ ତୁରନ୍ତ ଚିକିତ୍ସା ଆରମ୍ଭ ହେଲାନି। କହିଲେ ଆଇସୋଲେସନ୍‌ ୱାର୍ଡରେ ରହିବ, କରୋନା ରିପୋର୍ଟ ନେଗେଟିଭ୍ ଆସିଲେ ଚିକିତ୍ସା ହେବ।

କ୍ୟାପିଟାଲ ହସ୍ପିଟାଲରେ ରିପୋର୍ଟ ନେଗେଟିଭ୍ ଆସିଥିବା କହି ତୁରନ୍ତ ଚିକିତ୍ସା ଆରମ୍ଭ କରିବାକୁ ଅନୁରୋଧ କଲେ। ହେଲେ ଏସ୍‌ସିବି କର୍ତ୍ତୃପକ୍ଷ କ୍ୟାପିଟାଲ ହସ୍ପିଟାଲ ରିପୋର୍ଟ ମାନିବାକୁ ନାରାଜ ଥିଲେ। ଏସ୍‌ସିବିରେ ପରୀକ୍ଷା ହେବା ପରେ ହିଁ ଚିକିତ୍ସା ହେବ ବୋଲି କହିଥିଲେ। ତେଣୁ ଆଇସୋଲେସନ୍ ୱାର୍ଡରେ ବାପାଙ୍କୁ ଭର୍ତ୍ତି କରିଦେଲେ। ୧୨ ତାରିଖ ସକାଳ ୮ଟାରେ କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ ହେଲା। କିନ୍ତୁ ପୂର୍ବାହ୍ନ ୧୦ଟା ବେଳକୁ ବାପା ମରିଗଲେ।

ଯଦି ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରଥମରୁ ବାପାଙ୍କ ଚିକିତ୍ସା କରିଥାନ୍ତେ ତେବେ ଆଜି ମୋ ବାପା ବଞ୍ଚିଥା’ନ୍ତେ। ସମ୍ ହସ୍ପିଟାଲ କର୍ତ୍ତୃପକ୍ଷ ରିପୋର୍ଟ ପଜିଟିଭ୍ ଜାଣିବା ପରେ ବାପାଙ୍କୁ ଚିକିତ୍ସା ନକରି ଘରକୁ ପଠାଇଲେ। ଏହିଠାରୁ ହିଁ ଚିକିତ୍ସାରେ ଅବହେଳା ଆରମ୍ଭ ହେଲା। ଏହା ପରେ ପ୍ରତି ହସ୍ପିଟାଲରେ କୋଭିଡ୍‌ ରିପୋର୍ଟ ନାଁରେ ଅବହେଳା ହୋଇଚାଲିଲା। ମୋ ବାପାଙ୍କ ମୃତ୍ୟୁ ପାଇଁ ଯିଏ ଦାୟୀ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆଗକୁ ଯେପରି କେହି ଏହିଭଳି ସମସ୍ୟାର ସମ୍ମୁଖୀନ ନ ହେ‌ବେ, ସେନେଇ ରାଜ୍ୟ ସରକାର ନିଶ୍ଚିତ କରନ୍ତୁ।

ଧନେଶ୍ବର ପ୍ରଶ୍ନ ଉଠାଇଛନ୍ତି ଯେ ଯଦି ସମ୍‌ ହସ୍ପିଟାଲରେ ବାପାଙ୍କର ପଜିଟିଭ୍ ରିପୋର୍ଟ ଆସିଲା, ତେବେ କ୍ୟାପିଟାଲ ହସ୍ପିଟାଲରେ କିପରି ନେଗେଟିଭ୍ ଆସିଲା। ଯଦି ପଜିଟିଭ୍ ରିପୋର୍ଟକୁ ମୁଁ ଗ୍ରହଣ କରିବି, ତେବେ ମୁଁ ଯେଉଁ ୪ଟି ହସ୍ପିଟାଲ ବୁଲିଲି ଏବଂ ଶତାଧିକ ଲୋକଙ୍କ ସଂସ୍ପର୍ଶରେ ଆସିଲି, ସେଥିପାଇଁ ସରକାରୀ ବ୍ୟବସ୍ଥା ଦାୟୀ ନା କିଏ ଦାୟୀ? ଯଦି ନେଗେଟିଭ୍ ରିପୋର୍ଟ ଆସିଲା ତେବେ ଅନ୍ୟ ହସ୍ପିଟାଲ କାହିଁକି ଏହାକୁ ଗ୍ରହଣ କରିଲେନି। ଜଣେ କ’ଣ ଚିକିତ୍ସା ପାଇଁ ଯେତେ ହସ୍ପିଟାଲ ଯିବ, ସେତେଥର କରୋନା ପରୀକ୍ଷା କରିବ। ରୋଗ ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରିବନି ତାଠାରୁ ଅଧିକ କରୋନା ପରୀକ୍ଷାରେ ଖର୍ଚ୍ଚ କରିବ।