ଏଠି ବି ଅନ୍ଧବିଶ୍ବାସର ରାଜ୍‌: ରାଜଧାନୀରେ ମାନବରୂପୀ ଠାକୁରାଣୀ

ଚନ୍ଦ୍ରଶେଖରପୁର: ଉଦୁଉଦୁଆ ଖରାବେଳ। ଘରୁ ଲୋକେ ବାହାରିବା କଷ୍ଟକର ହୋଇପଡ଼ୁଥିବା ବେଳେ ୨୦ରୁ ଅଧିକ ମହିଳା ଏକାଠି ହୋଇ ଆଉ ଜଣେ ମହିଳାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ମୁକୁଟ ପରିଧାନ କରିଥିବା ସମ୍ପୃକ୍ତ ମହିଳାଜଣକ ନୂଆ ଲୁଗା ପିନ୍ଧିଥିଲେ। ଓଢ଼ଣି ପକାଇ କାର୍‌ରୁ ଓହ୍ଲାଇବା ପରେ ଅପେକ୍ଷାରତ ମହିଳା ଶ୍ରଦ୍ଧାଳୁମାନେ ଫୁଲ ପକାଇ ପାଛୋଟି ନେଇଥିଲେ। ଧୂପ ଦୀପ ଦେବା ସହ ଘଣ୍ଟଘଣ୍ଟା ବଜାଇଥିଲେ। ବାଜା-ବାଣରେ ପ୍ରକମ୍ପିତ ହୋଇଉଠିଥିଲା ସାରା ପରିବେଶ। ଦେବୀ ରୂପରେ ସଜେଇ ହୋଇଥିବା ମହିଳାଙ୍କୁ ସମସ୍ତେ ପୂଜାର୍ଚ୍ଚନା କରି ଚାଲିଥିଲେ। ଆଉ କିଛି ମହିଳା ମୁଣ୍ଡରେ ନାଲି କପଡ଼ା ଓ ସାଲୁକନା ଭିଡ଼ି ଜୟ ମା’ ହାତୀଆଶୁଣି ସ୍ଲୋଗାନ ଦେଇ ଆଗକୁ ଆଗକୁ ବଢ଼ି ଚାଲିଥିଲେ। ଏହା କୌଣସି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଘଟଣା ନୁହେଁ, ବରଂ ସଚେତନ ଓ ଶିକ୍ଷିତ ନାଗରିକ ବାସ କରୁଥିବା ରାଜଧାନୀର ହାତୀଆଶୁଣି ପୀଠରେ ଗତକାଲି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା।

ମୈତ୍ରୀବିହାର ଥାନା ଅନ୍ତର୍ଗତ ହାତୀଆଶୁଣି ପଡ଼ିଆ ଆଗରୁ ଗଞ୍ଜା ଲଢ଼େଇ ପାଇଁ ଚର୍ଚ୍ଚାରେ ଥିବା ବେଳେ ଏବେ ମାନବରୂପୀ ଠାକୁରଙ୍କ ଆର୍ବିଭାବ ହେବା ଘଟଣା ଅନେକ କିଛି ପ୍ରଶ୍ନବାଚୀ ସୃଷ୍ଟି କରିଛି। କେହି କେହି ଏହାକୁ ବିଶ୍ବାସ କରୁଥିବା ବେଳେ ଆଉ କେ‌ତେଜଣ ଅନ୍ଧବିଶ୍ବାସ କରି ଘଟଣାକୁ ଏଡ଼ାଇ ଦେଇଛନ୍ତି। କୁହାଯାଉଛି ଯେ ମହିଳାଙ୍କ ଦେହରେ କୁଆଡ଼େ ମା’ ହାତୀଆଶୁଣି ବିଜେ କରିଥିବାରୁ ସେ ଅସ୍ବାଭାବିକ ଆଚରଣ କରୁଥିଲେ। ତେଣୁ ମହିଳାମାନେ ତାଙ୍କୁ ଦେବୀ ମାନି ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଉଥିଲେ। କାରଣ ବସ୍ତିବାସିନ୍ଦାଙ୍କର ଅଗାଢ଼ ବିଶ୍ବାସ ରହିଛି ଯେ ମା’ ହାତୀଆଶୁଣି ସେମାନଙ୍କୁ ସବୁ ବିପଦରୁ ରକ୍ଷା କରୁଛନ୍ତି। ମା’ ସେମାନଙ୍କର ସମସ୍ତ ରିଷ୍ଟ ଖଣ୍ଡନ କରନ୍ତି। ଏବେ ଗୋଟିଏ ପ୍ରଶ୍ନ ଉଠୁଛି ଯେ ରାଜଧାନୀରେ ଅନ୍ଧବିଶ୍ବାସର ରାଜୁତି କରୁଛି।

ମନ୍ଦିର ପୂଜକଙ୍କ କହିବା କଥା ହେଉଛି ଯେ ମା’ଙ୍କ ପାଖରେ ପୂଜାର୍ଚ୍ଚନା ଚାଲିଛି। କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ମହିଳାଙ୍କୁ ମା’ ସ୍ବପ୍ନା‌ଦେଶ କରିଥିଲେ ଯେ ତୁମେ ଏଠାକୁ ଆସ ବୋଲି। ତେଣୁ ସେ ପୀଠକୁ ଆସି ପୂଜାର୍ଚ୍ଚନା କରିଥିଲେ। ତାଙ୍କ ସହ ଅନ୍ୟ ମହିଳାମାନେ ମଧ୍ୟ ଆସିଥିଲେ।

ସମ୍ବନ୍ଧିତ ଖବର