ଭୁବନେଶ୍ୱର : ପେଟ ପାଇଁ ୧୩ ବର୍ଷ ବୟସରୁ ଜାତୀୟ ପତାକା ବିକୁଛି। ହେଲେ ହରତାଳର ଗୋଲକଧନ୍ଦା ଆଜି ନାକେଦମ କରିଦେଲା। ରହୁଥିବା ହୋଟେଲ୍ରୁ ବିକ୍ରି ଜିନିଷ ଧରି ସିନା ବାହାରି ପଡ଼ିଲି। ହେଲେ ଅଚିହ୍ନା ମୁହଁ, ଅଜଣା ଭାଷା ଏବଂ ଅଦେଖା ସ୍ଥାନ ଯୋଗୁଁ ଯୋଉ ଗଳିରେ ପଶୁଥିଲି ପୁଣି ଆସି ସେଇଠି ପହଞ୍ଚୁଛି। ଓଡ଼ିଶା ହକି ଓ୍ଵାର୍ଲ୍ଡ ଲିଗ୍ ଫାଇନାଲ୍ ପାଇଁ ଉତ୍ତରପ୍ରଦେଶର କାନପୁରରୁ ପତାକା ବିକ୍ରି କରିବା ପାଇଁ ଧାଇଁ ଆସିଥିବା ବିଜୟ କୁମାର ତିଓ୍ଵାରୀ ମାଷ୍ଟରକ୍ୟାଣ୍ଟିନ୍ରୁ କଳିଙ୍ଗ ଷ୍ଟାଡିୟମ ଯିବା ବେଳେ ଭୋଗିଥିବା ସମସ୍ୟାକୁ ଏମିତି ବଖାଣିବା ବେଳେ ଆକ୍କାବାକ୍କା ହୋଇଯାଉଥିଲେ। ତାଙ୍କ ସାଙ୍ଗରେ ଆନ୍ଧ୍ରରୁ ଆସିଥିବା ଆଉ ଜଣେ ପତାକା ବିକ୍ରେତା ବି ସାଙ୍ଗରେ ଥିଲେ। ମାତ୍ର ମାଷ୍ଟରକ୍ୟାଣ୍ଟିନ୍ରୁ ୧୨ଟାରେ ବାହାରି କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିବା ପାଇଁ ତାଙ୍କୁ ଅଢ଼େଇ ଘଣ୍ଟା ଧରି କସରତ କରିବାକୁ ପଡ଼ିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଲୋୟର ପିଏମ୍ଜିରେ ୧୦ ହଜାରରୁ ଊର୍ଧ୍ୱ ପାଚିକା ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ବାଟ ବନ୍ଦ ଥିବାରୁ ଦୁହେଁ ମାଷ୍ଟର କ୍ୟାଣ୍ଟିନ୍ରୁ ପିଏମ୍ଜି ଦେଇ ଆସିବାକୁ ଚେଷ୍ଟା କରିଥିଲେ। ଅନ୍ୟ ବାଟ ଜଣା ନଥିବାରୁ ଧାରଣାସ୍ଥଳର ରାସ୍ତା କଡ଼େକଡ଼େ ଆସି କଡ଼ରେ ଥିବା ବ୍ୟାରିକେଡ୍କୁ ମଧ୍ୟ ଡେଇଁଥିଲେ। ତେବେ ୧୪୪ ଧାରା ଲାଗୁ ହୋଇଥିବା ବ୍ୟାରିକେଡ୍ ଡେଇଁବା ବେଳେ ପୁଲିସ୍ ହାବୁଡ଼ରେ ପଡ଼ି ପୁଣି ପଛକୁ ଫେରିଥିଲେ। ଠିକଣା ପଚାରି ପ୍ରେସ୍ କ୍ଲବ୍ ସଂଲଗ୍ନ ଗଳିରେ ଚାଲିଚାଲି ଯିବାକୁ ଚେଷ୍ଟା କରିଥିଲେ। ହେଲେ ବାଟ ନ ଜାଣିପାରି ପୁଣି ବୁଲିବୁଲି ଆସି ସେଇଠି ପହଞ୍ଚିଥିଲେ। ପରେ ଜଣେ ଫଟୋ ସାମ୍ବାଦିକ ତାଙ୍କୁ ଏକ ଅଟୋରେ ବସାଇ ଉକ୍ତ ସ୍ଥାନରେ ପହଞ୍ଚାଇ ଦେବାକୁ କହିବା ପରେ ସେମାନେ କଳିଙ୍ଗ ଷ୍ଟାଡିୟମ୍ରେ ପହଞ୍ଚିଥିଲେ। ହେଲେ ଓଡ଼ିଶାରେ ଏଭଳି ବିରାଟ ଆନ୍ଦୋଳନ ତାଙ୍କୁ ଅଣନିଃଶ୍ୱାସୀ କରିଦେଇଥିଲା ବୋଲି କହିଥିଲେ।