ଉତ୍କଳ ବିଶ୍ବବିଦ୍ୟାଳୟରେ ଉନ୍ମତ୍ତ ଯୁବକର ଆତ୍ମହତ୍ୟା ନାଟକ, ୫ ଘଣ୍ଟାର କସରତ ପରେ ଉଦ୍ଧାର

ଚଢ଼ିଗଲେ ୭ ମହଲା, ଆତ୍ମହତ୍ୟା କରିବାକୁ ଧମକ

ଭୁବନେଶ୍ବର : ରାତି ପାହିଲେ ପ୍ଲାଟିନମ୍‌ ଜୁବୁଲି ଉତ୍ସବ ପାଳନ କରିବ ଉତ୍କଳ ବିଶ୍ବବିଦ୍ୟାଳୟ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଆଜି ବାହାରର ଜଣେ ଯୁବକ କ୍ୟାମ୍ପସ୍‌ ପରିସରରେ ଉନ୍ମତ୍ତକାଣ୍ଡ ଘଟାଇବା ଚର୍ଚ୍ଚାର ବିଷୟ ହୋଇଛି। ଯୁବକଜଣଙ୍କ ବିଶ୍ବବିଦ୍ୟାଳୟ ପରିସରରେ ଥିବା ପରିଜା ପାଠାଗାର ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେବାରୁ ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିପାଇଁ ପ୍ରାୟ ୫ଘଣ୍ଟା ଧରି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଓ ଅଗ୍ନିଶମ ବିଭାଗ ଅଧିକାରୀମାନେ ନାକେଦମ୍‌ ହୋଇଥିଲେ। ଏକାଧିକଥର ପ୍ରୟାସ ପରେ ଅପରାହ୍‌ଣ ପ୍ରାୟ ୩ଟା ବେଳେ ସଫଳତା ମିଳିଥିଲା। ଅଗ୍ନିଶମ କର୍ମଚାରୀ ଓ ସହିଦନଗର ଥାନା ଆଇଆଇସିଙ୍କ ଜାଲରେ ଫସିଥିଲେ ସଂପୃକ୍ତ ଯୁବକ। ସେ ହେଲେ, ସୁବୋଧ କୁମାର ବାରିକ। ଉଦ୍ଧାର ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯିବା ସହ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ରହରାଜପୁର ଗ୍ରାମରେ ଥିବା ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶେଷ ସୂଚନା ମୁତାବକ, ପରିବାରଲୋକେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଇଛନ୍ତି।

ସୂଚନା ଅନୁଯାୟୀ, ୭ ମହଲାରୁ ଊର୍ଦ୍ଧ୍ବ ବିଶିଷ୍ଟ ପରିଜା ପାଠାଗାର ଛାତ ଉପରେ ସକାଳୁ ଜଣେ ଯୁବକଙ୍କୁ ଦେଖିବାକୁ ମିଳିଥିଲା। ବିଶ୍ବବିଦ୍ୟାଳୟର ସୌନ୍ଦର୍ଯ୍ୟୀକରଣ ପାଇଁ ବ୍ୟବହୃତ ଶିଡ଼ି ସାହାଯ୍ୟରେ ସେ ଏତେ ଉପରକୁ ଚଢ଼ି ଯାଇଥିଲେ। ତେବେ ନିମିଷକ ମଧ୍ୟରେ ଖବର ବ୍ୟାପିଯିବାରୁ ଛାତ୍ରଛାତ୍ରୀଙ୍କ ସମେତ ରାଜଧାନୀର ବିଭିନ୍ନ ସ୍ଥାନରୁ ଲୋକଙ୍କ ସୁଅ ଛୁଟିଥିଲା। ଖବର ପାଇ ଅଗ୍ନିଶମ ବିଭାଗର ଗୋଟିଏ ସ୍କାଏ-ଲିଫ୍ଟ ଗାଡ଼ି ଆସି ଯୁବକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା‌। କିନ୍ତୁ ଯୁବକଜଣଙ୍କ ଜିଦ୍‌ରେ ଅଟଳ ରହିବାରୁ ଅଡ଼ୁଆ ବଢ଼ି ଯାଇଥିଲା। ଯୁବକଜଣକ ଖାଇବା ପିଇବାକୁ ମାଗିଥିଲେ। ଦାନ୍ତ ଘଷିବାକୁ ବ୍ରସ୍‌ ଓ ପେଷ୍ଟ ଆଣି ଦେବାକୁ କହିଥିଲେ। ତେବେ ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଜୋରଜବରଦସ୍ତ ଓହ୍ଲାଇବା ପାଇଁ ଉଦ୍ୟମ କରିବାରୁ ସୁବୋଧ ତଳକୁ ଡେଇଁ ପଡ଼ିବେ ବୋଲି ଧମକ ଦେଇଥିଲେ। ଫଳରେ ଅଗ୍ନିଶମ କର୍ମଚାରୀଙ୍କ ଅକଲ ଗୁଡ଼ୁମ୍‌ ହୋଇଯାଇଥିଲା। ସବୁ ପ୍ରକାର ଉଦ୍ୟମ ବି‌ଫଳ ହେବା ପରେ ଯୁବକଙ୍କୁ ଉଦ୍ଧାର ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଆଉ ଗୋଟିଏ ସ୍କାଏ-ଲିଫ୍ଟ, ଜାଲ, ଡ୍ରୋନ୍‌ କ୍ୟାମେରା ଆଦିର ସହାୟତା ନିଆଯାଇଥିଲା। ସୁବୋଧ ଚଢ଼ିଥିବା ଛାତର ଗୋଟିଏ ପାର୍ଶ୍ବ‌ରେ ଜଣେ ଯୁବକ ଶିଡ଼ିରେ ଚଢ଼ି ସୁବୋଧଙ୍କ ସହ କଥା ହୋଇ ନିଜ ଆଡ଼କୁ ଆକୃଷ୍ଟ କରିଥିଲେ। ଏହି ସମୟରେ ଅଗ୍ନିଶମ ବିଭାଗର ମୁଖ୍ୟ ଆଗ୍ନିକ କାଶ୍ୟପ ପଟ୍ଟନାୟକ, ସହିଦନଗର ଆଇଆଇସି ବିରଞ୍ଚି ପତି ଅନ୍ୟ ପାର୍ଶ୍ବ‌‌‌‌ରେ ଚଢ଼ି ତାଙ୍କୁ କାବୁ କରି ନେଇଥିଲେ।

ସମ୍ବନ୍ଧିତ ଖବର