ବାଲିଅନ୍ତା: ସ୍ଥାନୀୟ ବେଣୁପୁର ଗ୍ରାମର ମାନସ କୁମାର ଓଝା (୨୮) ଆଜି ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ପରିବାରଲୋକେ ଜଣାଇବା ପରେ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏନେଇ ବାଲିଅନ୍ତା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ସୂଚନା ଅନୁସାରେ, ଆଦିକନ୍ଦ ଓଝାଙ୍କ ଏକମାତ୍ର ପୁଅ ମାନସ ଅବିବାହିତ। ସେ ବେଙ୍ଗାଲୁରରେ ଏକ ଘରୋଇ କମ୍ପାନିରେ ଚାକିରି କରିଥିଲେ। ତେବେ ଶାରୀରିକ ଅସୁସ୍ଥତା ଯୋଗୁଁ ଘରକୁ ପଳାଇ ଆସିଥିଲେ। ସେବେଠାରୁ ସେ ଚିକିତ୍ସାଧୀନ ଥିଲେ। ଆଜି ପୂର୍ବାହ୍ନରେ ତାଙ୍କ ଘରେ କେହି ନଥିବା ବେଳେ ମାନସ ଷ୍ଟୋର୍ ରୁମ୍ରେ ବେକରେ ଲୁଗା ବାନ୍ଧି ଫ୍ୟାନ୍ରେ ଝୁଲି ପଡ଼ିଥିଲେ।