ଭୁବନେଶ୍ୱର: ମଧ୍ୟାହ୍ନ ହେଲେ ସେମାନେ ଆପେଆପେ ମେଳି ହୋଇ ଛୁଟି ଆସନ୍ତି। ଏକାଠି ବସନ୍ତି। ପୁଣି ଲୋକଙ୍କ ହାତ ଟେକା ଦାନାକୁ ମିଳିମିଶି ଖାଆନ୍ତି। ଆଉ ଖାଇବା ପରେ ବିଦ୍ୟୁତ ଖୁଣ୍ଟରେ ଧାଡ଼ି ବାନ୍ଧି ବସି ଲୋକଙ୍କ ମନ ହରଣ କରନ୍ତି। ଭୁବନେଶ୍ୱର କ୍ଲବ୍ ସମ୍ମୁଖରେ ପାରାମାନଙ୍କ ମେଳି ପ୍ରତିଟି ଅପରାହ୍ଣ ଏମିତି ଏକ ଆପଣାର ଅନୁଭବ ଦେଉଛି। ଗୋଟିଏ କି ଦୁଇଟି ନୁହେଁ ପ୍ରତିଦିନ ଏଇଠି ମେଳି ହୁଅନ୍ତି ଶହ ଶହ ପାରା। ପାରା ମେଳିର ଏହି ଦୃଶ୍ୟ ଦେଖଣାହାରୀଙ୍କୁ କ୍ଷଣେ ଅଟକିଯିବାକୁ ବାଧ୍ୟ କରୁଛି। ଖାଦ୍ୟ ଆଶାରେ ଘୂରି ବୁଲୁଥିବା ପାରାଙ୍କର ବେଶ୍ କିଛି ବର୍ଷ ହେଲା ମଧ୍ୟାହ୍ନର ଠିକଣା ପାଲଟିଛି ଏହି ସ୍ଥାନ। ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଥାକଥାକ ହୋଇ ତାରରେ ଶତାଧିକ ପାରା ବସିବାର ଦୃଶ୍ୟ ଦେଖି ମନ ରୋମାଞ୍ଚିତ ହୁଏ। କିଛି ଲୋକଙ୍କର ଏହି ପାରାମାନଙ୍କ ସହ ଯେମିତି ପାରିବାରିକ ସମ୍ପର୍କ। ତେଣୁ ନିତି ଯା’ ଆସ କରୁଥିବା ଲୋକେ ବାଦାମ, ଚଣା, ଖୁଦ, ସେଉ ଦେଇ ପାରାଙ୍କୁ ତୋଷ କରନ୍ତି। କ୍ଲବ୍ ସମ୍ମୁଖରେ ଦହିବରା ଦୋକାନ ଦେଇଥିବା ଅକ୍ଷୟ କୁମାର କହନ୍ତି, ଏହି ପାରା ମେଳି ଏବେକାର ନୁହେଁ, ଦୀର୍ଘ ୫/୬ ବର୍ଷ ତଳୁ ଏମିତି ମେଳି ହେଉଛି। ପୂର୍ବରୁ ଏଠାରେ ଜଣେ ବୃଦ୍ଧ ବାଦାମ ବିକାଳି ସେଠାରେ ଠେଲା ଖୋଲିଥିଲେ। ସେଠାକୁ ପ୍ରତିଦିନ ଦୁଇଟି ପାରା ଆସି ବସନ୍ତି। ସେବେଠୁ ବୁଢ଼ା ମଉସା ତାଙ୍କୁ ବାଦାମ ଖାଇବାକୁ ଦିଅନ୍ତି। ଧୀରେଧୀରେ ପାରା ସଂଖ୍ୟା ବଢ଼ିବାକୁ ଲାଗିଲେ। ମଉସା ବି ଖୁସିରେ ପାରାଙ୍କୁ ଦାନା ଦେଇ ଚାଲିଲେ। ପାରା ସଂଖ୍ୟା ବଢ଼ିବା ସହ ସ୍ଥାନୀୟ ଲୋକ ଓ ଯା’ ଆସ କରୁଥିବା ଲୋକ ବି ପାରାଙ୍କୁ ଖାଇବାକୁ ଦେଉଛନ୍ତି। ଦାନା ଦେଉଥିବା ସୁରେଶ ସାହୁ କହନ୍ତି, ପ୍ରତି ସପ୍ତାହରେ ୨ ଦିନ ମୁଁ ଏଠାକୁ ଆସି ପାରାଙ୍କୁ ବୁଟ ଚଣା ଖାଇବାକୁ ଦିଏ। ପାରାଙ୍କ ଏଭଳି ମେଳି ମତେ ଆତ୍ମତୃପ୍ତି ଦିଏ ବୋଲି ସେ କହନ୍ତି। ପୂର୍ବରୁ ଅନଙ୍ଗ ପଟ୍ଟନାୟକ ଦୈନିକ ବୁଟଚଣା ବାଣ୍ଟି ଆସୁଥିଲେ ମଧ୍ୟ ଗତ ବର୍ଷ ଏକ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ଏଥିରୁ ନିବୃତ୍ତ ରହିଛନ୍ତି।
ଅଟକାଉଛି ‘ମନ ପାରା’
/sambad/media/post_attachments/wp-content/uploads/2018/07/m18-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)