‘ଶ୍ରୀଉତ୍ସବ’ ପକ୍ଷରୁ ସାମୂହିକ ଲକ୍ଷ୍ମୀପୂଜା: ମାଣବସା ଗୁରୁବାର ପାଳିଲେ ୧୦୮ ମହିଳା

ଭୁବନେଶ୍ୱର: ‘ନମସ୍ତେ କମଳା ମା’ଗୋ ସାଗର ଦୁଲଣୀ…. ନମସ୍ତେ ନମସ୍ତେ ମା’ଗୋ ବିଷ୍ଣୁ ପାଟରାଣୀ…’। ଆଜି ମାର୍ଗଶୀର ମାସ ତୃତୀୟ ଗୁରୁବାର ଅବସରରେ ଘରୁ ଘରୁ ଭାସି ଆସୁଥିଲା ଏହି ପବିତ୍ର ସ୍ୱର। ଘରେ ଘରେ ଅରୁଆ ଚାଉଳ ପିଠଉର ସୁନ୍ଦର ସୁନ୍ଦର ଝୋଟି ଚିତା ସହ ପୂର୍ଣ୍ଣକୁମ୍ଭ ବସାଇ ମା’ ଲକ୍ଷ୍ମୀଙ୍କ ଆଗମନକୁ ଚାହିଁ ବସିଥିଲେ ଓଡ଼ିଆ ପରିବାର। ପୂଜା ଘରେ ମାଣ ବସିବା ସହ ପିଠାପଣାରେ ମହକୁଥିଲା ଚତୁର୍ଦିଗ। ଖାଲି ଘରେ ଘରେ କାହିଁକି, ମାଣବସା ଗୁରୁବାରର ଆଧ୍ୟାତ୍ମିକ ମାହାତ୍ମ୍ୟ ସହ ସାମାଜିକ ବାର୍ତ୍ତା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ‘ଶ୍ରୀଉତ୍ସବ’ ପକ୍ଷରୁ ଆଜି ସହିଦନଗର ଦୁର୍ଗା ମଣ୍ଡପଠାରେ ‘ସାମୂହିକ ଲକ୍ଷ୍ମୀପୂଜା ମାଣବସା ଗୁରୁବାର’ ପାଳିତ ହୋଇଯାଇଛି। ଏଥିରେ ଖାଲି ଓଡ଼ିଆଣୀ ନୁହନ୍ତି ପଞ୍ଜାବୀ, ମାରୁଓ୍ଵାଡ଼ି ଓ ତେଲୁଗୁ ସମ୍ପ୍ରଦାୟର ପ୍ରାୟ ୧୦୮ ଜଣ ମହିଳା ଉପସ୍ଥିତ ରହି ବିଧିବଦ୍ଧ ଭାବେ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ।

ଶ୍ରୀଉତ୍ସବର ଅଧ୍ୟକ୍ଷା ରୀନା ରାଉତରାୟ କୁହନ୍ତି, ଏଭଳି ଉତ୍ସବ ପାଳନର ଉଦ୍ଦେଶ୍ୟ ହେଲା, ଧାର୍ମିକ ଭାବନା ସହ ସାମାଜିକ ସଂସ୍କାରର ପ୍ରଚାର ପ୍ରସାର କରିବା। ସ୍ୱଚ୍ଛତା, ଛୁଆଁ ଅଛୁଆଁ ଭେଦଭାବ ତଥା ଚିତା ଓ ପିଠାପଣା ମାଧ୍ୟମରେ ମହିଳାମାନେ ନିଜର ଦକ୍ଷତା ପ୍ରତିପାଦନ କରିବା ଆଦି ବହୁ ବାର୍ତ୍ତା ଆମକୁ ଲକ୍ଷ୍ମୀ ପୁରାଣରୁ ମିଳିଥାଏ। ଏପରିକି ମହିଳା ସଶକ୍ତିକରଣର ବାର୍ତ୍ତା ମଧ୍ୟ ମିଳିଥାଏ ଯେ, ଖୋଦ୍‌ ଭଗବାନ ଶ୍ରୀଜଗନ୍ନାଥ ଓ ବଳଭଦ୍ର ମା’ ଲକ୍ଷ୍ମୀଙ୍କୁ ହତାଦର କରି ଦୁର୍ଦିନରେ ଗତି କରିଥିଲେ ବୋଲି ସେ କହିଛନ୍ତି। ଚଳିତ ବର୍ଷ ୟୁଏସ୍‌ଏ, ସିଙ୍ଗାପୁର, ହଂକଂ ଓ ଦୁବାଇ ଆଦି ଦେଶରେ ଯେଉଁ ଓଡ଼ିଆ ସମାଜ ସବୁ ରହିଛି ସେମାନଙ୍କ ମଧ୍ୟରେ ମଧ୍ୟ ଅନୁଷ୍ଠାନ ପକ୍ଷରୁ ‘ସାମୂହିକ ଲକ୍ଷ୍ମୀପୂଜା ମାଣବସା ଗୁରୁବାର’ର ଆୟୋଜନ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଅନୁଷ୍ଠାନର ଆବାହକ ପିନାକୀ ମହାନ୍ତି, ଲୋରା ମହାପାତ୍ର, ଜଗଦାନନ୍ଦ, ଅରୁଣା ମହାନ୍ତି, ସ୍ଥାନୀୟ କର୍ପୋରେଟର ଶାଶ୍ୱତୀ ମିଶ୍ର ଓ ଉମାନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର