୪୨୦ ମ୍ୟାନେଜର୍‌ ଗିରଫ; ୯ ପ୍ୟାକେଟ୍‌ ନକଲି ସୁନା, ୧୦ହଜାର ଟଙ୍କା ଓ ଜାଲ୍‌ କାଗଜପତ୍ର ଜବତ

ଭୁବନେଶ୍ବର : କାଗତପତ୍ର ଜାଲିଆତି କରି ଆଇସିଏଲ୍‌ ଫିନକର୍ପ ଲିମିଟେଡ୍‌ ଋଣ ପ୍ରଦାନକାରୀ ସଂସ୍ଥାକୁ ଲକ୍ଷ ଲକ୍ଷ ଚୂନ ଲଗାଇଥିବା ସଂସ୍ଥାର ମ୍ୟାନେଜରକୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଛି। ସେ ହେଲା, ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଜଗନ୍ନାଥ ମନ୍ଦିର ଅଞ୍ଚଳର ସଚିଦାନନ୍ଦ ସାମନ୍ତରା ଓରଫ ଗୋପାଳ(୩୨)। ଏଠାରେ ରସୁଲଗଡ଼ ଅଞ୍ଚଳରେ ରହି ଆଇସିଏଲ୍‌ରେ ମ୍ୟାନେଜର୍‌ ଭାବେ କାମ କରୁଥିଲା।

ସୂଚନା ମୁତାବକ, ଗତ ଜୁଲାଇରେ ଗୋପାଳ ସଂସ୍ଥାରେ ସେଲ୍ସ ମ୍ୟାନେଜର୍‌ ଭାବେ ଯୋଗ ଦେଇଥିଲା। ଲୋକମାନଙ୍କଠାରୁ ସୁନା ବନ୍ଧକ ରଖି ୧୬ପ୍ରତିଶତ ସୁଧରେ ଋଣ ଯୋଗାଇ ଦେଉଥିଲା। ତେବେ ଗତ ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ଚାରିଜଣ ଗ୍ରାହକଙ୍କ ଦସ୍ତଖତ ଜାଲ କରି ସଂସ୍ଥାକୁ ଚୂନ ଲଗାଇଥିଲା। ରସୁଲଗଡ଼ ଶାଖାରେ ୪ଜଣ ଗ୍ରାହକ ସେମାନଙ୍କ ସୁନା ବନ୍ଧକ ରଖି ଋଣ ନେଇଥିଲେ। କାଗଜପତ୍ର କରିବା ସମୟରେ ଗୋପାଳ ଚଞ୍ଚକତା କରି ଅନ୍ୟଏକ କାଗଜପତ୍ରରେ ସେମାନଙ୍କ ଦସ୍ତଖତ ସଂଗ୍ରହ କରି ନେଇଥିଲା। ପରେ ନକଲି ସୁନାକୁ ସେମାନଙ୍କ ନାମରେ ବନ୍ଧକ ରଖି ସଂସ୍ଥା ପାଣ୍ଠିରୁ ସାଢ଼େ ୮ଲକ୍ଷ ଟଙ୍କା ନେଇ ଯାଇଥିଲା। ତେବେ ଅଡିଟ୍‌ ବେଳେ ଏହି ଘଟଣା ପଦାକୁ ଆସିଥିଲା। ସଂସ୍ଥା ଦସ୍ତାବିଜ୍‌ରେ ସମ୍ପୃକ୍ତ ଚାରିଜଣ ଗ୍ରାହକ ଦୁଇଥର ଲେଖାଏଁ ଋଣ ନେଇଥିବା ଉଲ୍ଲେଖ ରହିଥିଲା। ସେମାନଙ୍କୁ ଯୋଗାଯୋଗ କରିବା‌ରୁ ସେମାନେ ଦ୍ବିତୀୟଥର ଋଣ ନେଇ ନଥିବା କହିଥିଲେ।

ଗ୍ରାହକଙ୍କ ବନ୍ଧକ ସୁନା ରହୁଥିବା ଲକର୍‌ର ଚାବି ଗୋପାଳ ପାଖରେ ଥିବାରୁ ସନ୍ଦେହ ବଢ଼ିଥିଲା। ଅଡିଟ୍‌ ଟିମ୍ ଲକର୍‌ରେ ୧୯୪ ପ୍ୟାକେଟ୍‌ ସୁନା ଯାଞ୍ଚ ବ‌େଳେ ସେଥିରୁ ୯ ପ୍ୟାକେଟ୍‌ ସୁନା ନକଲି ବୋଲି ଜଣାପଡ଼ିଥିଲା। ଏହି ଘଟଣା ଜଣାପଡ଼ିବା ପରେ ସଂସ୍ଥା ଗୋପାଳକୁ ସାଢ଼େ ୧୦ଲକ୍ଷ ଟଙ୍କା ଫେରାଇବା ପାଇଁ ନୋଟିସ୍‌ କରିଥିଲା। ହେଲେ ଟଙ୍କା ଫେରାଇବା ଦୂରର କଥା, ସେ ଫେରାର୍‌ ହୋଇଯାଇଥିଲା। ଏନେଇ ସଂସ୍ଥାର ଯୋଶେଫ୍‌ ଆଲେକ୍ସ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥି‌ଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ବୁଧବାର ରାତିରେ ପୁଲିସର ଏକ ଟିମ୍‌ ଗଞ୍ଜାମସ୍ଥିତ ତା’ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ଆଜି ତାକୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର