ଭୁବନେଶ୍ୱର : ନାରୀ କ’ଣ କେବଳ ପୁରୁଷର ଆଜ୍ଞା ଶୁଣିବ। ତା’ର ବି ନିଜସ୍ୱ ଇଚ୍ଛାଟିଏ ଅଛି, ସ୍ୱପ୍ନ ଅଛି, ଅଧିକାର ଅଛି। ତେବେ ଏ ସମାଜ ଏହାକୁ କେବେ ସ୍ୱୀକୃତି ଦେବ। କାହିଁକି ପ୍ରତ୍ୟେକ ନାରୀ ସବୁବେଳେ ପୁରୁଷର ଆଜ୍ଞାବହ ହୋଇ ସାରା ଜୀବନ ବଞ୍ଚି ରହିବ। ସାବିତ୍ରୀଙ୍କୁ କିନ୍ତୁ ଏକଥା ଆଉ ହଜମ ହେଇନି। ବାଧ୍ୟ ହୋଇ ସେ ବିଦ୍ରୋହର ଆଶ୍ରୟ ନେଇଛନ୍ତି। ପୁରୁଷ ପ୍ରଧାନ ଏକଚାଟିଆ ସମାଜକୁ ଶିକ୍ଷା ଦେବାକୁ ତୀକ୍ଷ୍ଣ ହୋଇଛି ଆଜ୍ଞାଧୀନ ସ୍ୱରମାନ। ନାରୀର ସ୍ୱାଭିମାନ ଓ ଅଧିକାରକୁ ନେଇ ଏମିତି ଅନେକ ପ୍ରଶ୍ନର ସମାଧାନ କରିବାକୁ ଚେଷ୍ଟା କରିଛି ନାଟକ ‘ଦେହ’। ‘ମନନ’ ନାଟ୍ୟସଂସ୍ଥାର ୩୯ତମ ବାର୍ଷିକ ଉତ୍ସବର ଶେଷ ସନ୍ଧ୍ୟାରେ ମଞ୍ଚସ୍ଥ ଏହି ମହିଳା କେନ୍ଦ୍ରିକ ନାଟକର ରଚନା ଜଣେ ମହିଳା କରିଥିଲେ। ନାଟ୍ୟକାର ନିବେଦିତା ଜେନା ନାଟକ ଲେଖିଥିବା ବେଳେ ନିର୍ଦେଶନା ଦେଇଥିଲେ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ। ଅଭିନୟ କରିଥିଲେ ନିବେଦିତା ଜେନା, ପ୍ରଫୁଲ୍ଲ, ଗଙ୍ଗାଧର, ରାଜେଶ, ରମେଶ, ସୁଶାନ୍ତ, ଚିରଂଜୀବୀ, ନିକିତା, ରୂପାଲି, ଶିବାନୀ, ମୋନିକା। ଆଜି ସନ୍ଧ୍ୟାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଆୟକର ବିଭାଗର କମିସନର ଶରତ କୁମାର ଦାସ, ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ‘ମନନ’ର ସଭାପତି ମନୋଜ ପଟ୍ଟନାୟକ, ସମ୍ପାଦକ ନିରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଯାତ୍ରା ଜଗତର ବିଶିଷ୍ଟ କଳାକାର ଦୈତାରୀ ପଣ୍ଡା, ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, ରଂଜିତା ନାୟକ ଏବଂ ରାଜେନ୍ଦ୍ର ମହାନ୍ତିଙ୍କୁ ‘ମନନ ସମ୍ମାନ’ ପ୍ରଦାନ କରାଯାଇଥିଲା।
ସରିଲା ମନନ ନାଟ୍ୟ ମହୋତ୍ସବ : ଅଧିକାର ଚାହେ ନାରୀ
/sambad/media/post_attachments/wp-content/uploads/2018/01/manan-natak.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)