ଭୁବନେଶ୍ବର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତକୁ ଯିବାର ୫ ଦିନ ବିତି ଗଲାଣି। ସବୁଠୁ ବଡ଼ କଥା ହେଲା ମାମଲାର ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ସାମ୍ବାଦିକା ତଥା ଓ୍ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କର ପତ୍ତା ପାଇପାରି ନାହିଁ ତଦନ୍ତକାରୀ ଟିମ୍। ଏକାଠି ଫେରାର ହୋଇଥିବା ସହଯୋଗୀ ଝୁନା ଭୋଇଙ୍କୁ ଠାବ କରିବାରେ ବିଫଳ ହୋଇଛି। ଏଭଳି ସ୍ଥିତିରେ ଆଜି କ୍ରାଇମବ୍ରାଞ୍ଚ ଟିମ୍ ହତ୍ୟାକାଣ୍ଡ ଘଟଣାସ୍ଥଳ କୁହା ଯାଉଥିବା ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା-ଜଟଣୀ ରାସ୍ତାର ‘ଦୟାଲ’ ଆଶ୍ରମରେ ସରଜମିନ୍ ତଦନ୍ତ କରିଛି। କେୟାରଟେକରଙ୍କୁ ଜେରା କରି ତାଙ୍କ ତଥ୍ୟ ଆଧାରରେ ଘର ଚାରିପଟ ଯାଞ୍ଚ କରିଥିଲେ ବି ସେମିତି କିଛି ସୁରାକ୍ ମିଳିପାରି ନାହିଁ। କେବଳ ଘର ଭିତରେ ଥିବା ୫ଟି ଠେଙ୍ଗା ଜବତ କରି ସାଙ୍ଗରେ ନେଇଯାଇଛି। ଏହା ପରେ ଆଶ୍ରମକୁ ଜଉମୁଦ ସିଲ୍ କରାଯାଇଛି।

Advertisment

publive-image

ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ମାମଲାର ତଦନ୍ତକାରୀ ଅଧିକାରୀ କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ଦୟାଲ ଆଶ୍ରମରେ ପହଞ୍ଚିଥିଲେ। ସାଙ୍ଗରେ ରାଜ୍ୟ ଓ କମିସନରେଟ ପୁଲିସର ଫରେନସିକ ଟିମ୍ ମଧ୍ୟ ଯାଇଥିଲେ। ପ୍ରଥମେ କେୟାରଟେକରଙ୍କ ବୟାନ ରେକର୍ଡ କରା ଯାଇଥିଲା। ତାଙ୍କୁ ସାଙ୍ଗରେ ଧରି ତଦନ୍ତକାରୀ ଟିମ୍ ଆଶ୍ରମ ଚତୁପାର୍ଶ୍ବ ବୁଲିଥିଲେ। ଏମିତି କିଛି ସାମଗ୍ରୀ ଖୋଜୁଥିଲେ ଯାହା ତଦନ୍ତକାରୀ ଟିମ୍ ହାତରେ ଏଯାଏ ଲାଗି ପାରି ନାହିଁ। ଯେପରିକି ହତ୍ୟାରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର, ପ୍ରମାଣ ନଷ୍ଟ ପାଇଁ ଫେବ୍ରୁଆରି ମାସରୁ ରେଜିଷ୍ଟରରୁ ଚିରା ଯାଇଥିବା ଆଗନ୍ତୁକଙ୍କ ତଥ୍ୟର ପୃଷ୍ଠା ଆଦି ଖୋଜିଥିଲେ। କିନ୍ତୁ ତାହା ତାଙ୍କୁ ମିଳି ନ ଥିଲା। ସେହିପରି ଆଶ୍ରମ ଉପର ମହଲାରେ ଯେଉଁଠି ମାନସଙ୍କୁ ହତ୍ୟା କରା ଯାଇଥିଲା ସେଠାରୁ କିଛି ନମୁନା ସଂଗ୍ରହ କରାଯାଇଥିଲା। ଫରେନସିକ୍ ଟିମ୍ ଥ୍ରୀଡି ଲେଜର ସ୍କାନର ସହାୟତାରେ ପୂରା ଘଟଣାସ୍ଥଳର ଭିଡିଓ ସଂଗ୍ରହ କରିଥିଲେ। ସେହିପରି ଆଶ୍ରମ ବାହାରେ ମଧ୍ୟ ଥ୍ରୀଡି ସ୍କାନର ଜରିଆରେ ପୂରା ଚିତ୍ର କଏଦ କରା ଯାଇଥିଲା।

ଶର୍ମିଷ୍ଠା, ଝୁନା କେଉଁଠି? ପତ୍ତା ପାଉନି ଟିମ୍
ଆଶ୍ରମ ସିଲ୍, କେୟାରଟେକରଙ୍କ ବୟାନ ରେକର୍ଡ
୫ ଠେଙ୍ଗା ଜବତ, କାର୍‌ରୁ ଫିଙ୍ଗରପ୍ରିଣ୍ଟ ସଂଗ୍ରହ
ଫରେନସିକ୍ ଟିମ୍, ଥ୍ରିଡି ସ୍କାନର ସହାୟତାରେ ତଦନ୍ତ

ଏହା ପରେ ତଦନ୍ତକାରୀ ଟିମ୍ ଆଶ୍ରମକୁ ଜଉମୁଦ ଦେଇ ସିଲ୍ କରିବା ପରେ ସାଙ୍ଗରେ କେୟାରଟେକରଙ୍କୁ ନେଇ ତାଙ୍କର ପୂରା ବୟାନ ରେକର୍ଡ କରିଥିବା ଜଣାପଡ଼ିଛି। ଆଶ୍ରମର ଛାନଭିନ୍ ପରେ ଫରେନସିକ୍ ଟିମ୍ ଏୟାରଫିଲ୍ଡ ଥାନାକୁ ଯାଇ ସେଠାରେ ଥିବା ଶର୍ମିଷ୍ଠାଙ୍କ କାର୍‌ରୁ ଫିଙ୍ଗର ପ୍ରିଣ୍ଟ ଓ କିଛି ନମୁନା ସଂଗ୍ରହ କରିଥିଲେ। ଯାହାକି ତଦନ୍ତରେ ସହାୟକ ହେବ ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ଫିଙ୍ଗରପ୍ରିଣ୍ଟ ସହ ସଂଗୃହୀତ ଫିଙ୍ଗରପ୍ରିଣ୍ଟର ମେଳ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଅପହରଣ ହୋଇଥିବା ଘଟଣାସ୍ଥଳ ଚାନ୍ଦବାଲି ପଳାସପୁର, ଏବେ ହତ୍ୟାକାଣ୍ଡ ସ୍ଥଳ ପରେ ମୃତଦେହ ପୋତା ଯାଇଥିବା ନୟାଗଡ଼ ରଣପୁର ବଧିପାଟଣା ଅଞ୍ଚଳକୁ ତଦନ୍ତକାରୀ ଟିମ୍ ଆସନ୍ତାକାଲି(ସୋମବାର) ଯିବ ବୋଲି ଜଣାପଡ଼ିଛି। ସେଠାରୁ ମଧ୍ୟ ତଥ୍ୟ ପ୍ରମାଣ ସଂଗ୍ରହ କରାଯିବ।

publive-image

ସେହିପରି ଶର୍ମିଷ୍ଠାଙ୍କୁ ଖୋଜିବା ପାଇଁ ଦୁଇଟି ଟିମ୍ ଲାଗିଛନ୍ତି। କ୍ରାଇମବ୍ରାଞ୍ଚର ଗୋଟିଏ ଓ ଚାନ୍ଦବାଲି ପୁଲିସର ଗୋଟିଏ ଟିମ୍ ଖୋଜୁଛନ୍ତି। କାରଣ ଶର୍ମିଷ୍ଠା ଧରାପଡ଼ିବା ପରେ ତାଙ୍କ ପାଖରୁ ବହୁ ପ୍ରମାଣ ମିଳିବ। ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର, ଯେଉଁ ମେମୋରି ଚିପ୍ କଥା କୁହାଯାଉଛି ସେ ସମ୍ପର୍କରେ ସୂଚନା ମିଳିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଏପରିକି ପ୍ରମୁଖ ଷଡ଼୍‌ଯନ୍ତ୍ରକାରୀ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀଙ୍କ ସହ ମୁହାଁମୁହିଁ ଜେରା କରାଯିବ। ସେହିପରି ଅପହରଣ ଠାରୁ ମୃତଦେହ ନଷ୍ଟ କରାଯିବା ପର୍ଯ୍ୟନ୍ତ ସବୁ ଘଟଣାସ୍ଥଳରୁ ତଥ୍ୟ ସଂଗ୍ରହ, ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କର ବୟାନ ରେକର୍ଡ ପରେ ପ୍ରମୁଖ ଅଭିଯୁକ୍ତ ତଥା ଷଡ୍‌ଯନ୍ତ୍ରକାରୀ ନିରଞ୍ଜନଙ୍କୁ କ୍ରାଇମବ୍ରାଞ୍ଚ ଆସନ୍ତା ସପ୍ତାହରେ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି।

publive-image

ସନ୍ଦେହଜନକ ଅବସ୍ଥାରେ ପଡ଼ିଛି ଲୁହାରଡ୍, ଓଢ଼ଣି

ଦୟାଲ ଆଶ୍ରମ ନିକଟରେ ରବିବାର ଦୁଇଟି ସାମଗ୍ରୀ ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। କ୍ୟାମ୍ପସ ଭିତରେ ତଳମହଲାର ଝରକା ତଳେ ଲୁଚାଯିବା ଭଳି ଅବସ୍ଥାରେ ଏକ ଲୁହାରଡ୍ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ଲୁହାରଡ୍ ଉପରେ କିଛି ଧୂଳି ଜମିଯାଇଛି। କିନ୍ତୁ ମାନସଙ୍କ ହତ୍ୟାକାଣ୍ଡକୁ ଏହାର ଭିତରେ ପ୍ରାୟ ୫୦ ଦିନ ହୋଇଗଲାଣି। ଯଦି ବି ସେଠାରେ ଫିଙ୍ଗା ଯାଇଥିବା ତାହେଲେ ଧୂଳି ଜମି ଯାଇଥିବ ବୋଲି କୁହାଯାଉଛି। ସେହିପରି ଘର ଚାରିପାଖରେ ଲଟା ମାଡ଼ି ଯାଇଥିବା ବେଳେ ତାହାକୁ ଛିଡ଼ାଇ କ୍ରାଇମବ୍ରାଞ୍ଚ ଟିମ୍ ସରଜମିନ୍ ତଦନ୍ତ କରିଥିଲା। ଏପରିକି ବାଲିକୁ ଖୋଳି ଦେଖିଥିଲା। ଆଖପାଖରେ ଥିବା ଜମିରେ ବୁଲି ବୁଲି ଦେଖିଥିଲା। କିନ୍ତୁ କିଛି ମିଳି ନ ଥିଲା। ଲଟା ତଳେ ଏକ ହଳଦିଆ ରଙ୍ଗର ଓଢ଼ଣି ପଡ଼ିଥିବା ଦେଖା ଯାଇଥିଲା। ଏହାକୁ ହୁଏତ ମାନସଙ୍କୁ ବାନ୍ଧିବା ହେଉ କି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଅନୁମାନ କରାଯାଉଛି।

ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା

ରବିବାର କ୍ରାଇମବ୍ରାଞ୍ଚ ଟିମ୍, ଫରେନସିକ୍ ଟିମ୍ ଓ ଗଣମାଧ୍ୟମ ପ୍ରତିନିଧିକଙ୍କ ଭିଡ଼ ଜମିଥିଲା। ସେଠାରେ ୧୫ରୁ ଅଧିକ ଗାଡ଼ି ଲାଗିଥିଲା। ସ୍ଥାନୀୟ ଲୋକ ଘଟଣାକୁ ଦେଖିବା ପାଇଁଏକପ୍ରକାର ଉତ୍ସାହିତ ଥିବା ଜଣାପଡ଼ୁଥିଲା। ରାସ୍ତାକଡ଼ରେ ପ୍ରବଳ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ। ପଡ଼ୋଶୀମାନେ ମଧ୍ୟ କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାକୁ ଦେଖିଥିଲେ। ଯେଉଁଠି ଦିନେ ବଡ଼ ବଡ଼ ଗାଡ଼ି ଲାଗୁଥିଲା, ବଡ଼ବଡ଼ିଆ ଆସୁଥିଲେ ସେଠାରେ ଆଜି ପୁଲିସକୁ ଦେଖି ଲୋକଙ୍କ ଭିତରେ ଆଲୋଚନା ଚାଲିଥିଲା। ଏମିତି କଳା କାରାନାମା ଚାଲୁଥିଲେ ବି ଜଣାପଡ଼ୁ ନ ଥିଲା ବୋଲି ସେଠାରେ ଚର୍ଚ୍ଚା ହୋଇଥିଲା।