ମାନସ ସ୍ବାଇଁ ହତ୍ୟା ମାମଲା: ମାନସ ନାଁରେ ଝୁନା ଲେଖିଥିଲା ଅଣ୍ଡର୍‌ଟେକିଂ

ଭୁବନେଶ୍ବରରୁ ଯାଜପୁର, ଭଦ୍ରକ ଦେଇ ପଳାଇଥିଲେ କୋଲକାତା

କଟକ: କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ ହତ୍ୟା କରିବାର ମାସେ ଯାଏ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ ଭୁବନେଶ୍ବରରେ ଥିଲେ। ଫେବ୍ରୁଆରି ୭ ତାରିଖରେ ମାନସଙ୍କୁ ହତ୍ୟା କରାଯାଇଥିବାବେଳେ ମାର୍ଚ୍ଚ ୭ ତାରିଖରେ ଶର୍ମିଷ୍ଠା ଓ ଝୁନା ଭୁବନେଶ୍ବରରୁ ଯାଜପୁର ପଳାଇ ଯାଇଥିଲେ। କିନ୍ତୁ ପୁଲିସକୁ ଭୁଆଁ ବୁଲାଇବାକୁ ନିଜ ମୋବାଇଲ୍ ଫୋନ୍‌କୁ ସୁନ୍ଦରପଦା ଜଟଣୀ ରାସ୍ତାରେ ଥିବା ଆପାର୍ଟମେଣ୍ଟରେ ଛାଡ଼ି ଦେଇଯାଇଥିଲେ ଶର୍ମିଷ୍ଠା। ସେଠୁ ଭଦ୍ରକ ଓ ପରେ ପଶ୍ଚିମବଙ୍ଗକୁ ଯାଇ ଲୁଚିଥିଲେ। ଆଜି ଦ୍ବିତୀୟ ଦିନର ଜେରାରୁ କ୍ରାଇମବ୍ରାଞ୍ଚ ଆଜି ଏଭଳି ସ୍ପଷ୍ଟ ସୂଚନା ହାସଲ କରିଛି। ଅନ୍ୟପଟେ ମାନସ ନାଁରେ ଝୁନା ବେହେରା ଲେଖିଥିବା ଏକ ଜାଲ୍‌ ଅଣ୍ଡର୍‌ଟେକିଂ କ୍ରାଇମବ୍ରାଞ୍ଚ ଜବତ କରି ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ଚାନ୍ଦବାଲି ପଳାଶପୁରରୁ ଫେବ୍ରୁଆରି ୭ ତାରିଖରେ ମାନସ ସ୍ବାଇଁଙ୍କୁ ଅପହରଣ କରିବା ପରେ ଭୁବନେଶ୍ବର ସୁନ୍ଦରପଦାର ଦୟାଲ୍‌ ଆଶ୍ରମରେ ହତ୍ୟା କରି ୮ ତାରିଖରେ ନୟାଗଡ଼ ରଣପୁର ଥାନା ବଧିପାଟଣାରେ ପାହାଡ଼ପାର୍ଶ୍ବରେ ପୋତି ଦେଇଥିଲେ। ମାର୍ଚ୍ଚ ୭ ତାରିଖରେ ଶର୍ମିଷ୍ଠା ସମ୍ପୂର୍ଣ୍ଣା ୱେବପୋର୍ଟାଲର କେୟାର୍‌ଟେକର୍ ଝୁନା ବେହେରାଙ୍କୁ ଧରି ସୁନ୍ଦରପଦାରୁ ଯାଜପୁର ଜିଲ୍ଲା କାଳିଆପାଣି ଯାଇଥିଲେ। କାଳିଆପାଣିରେ ନିଜ ଶାଶୂଙ୍କ ସହିତ ୩ ଦିନ କଟାଇଥିଲେ ଶର୍ମିଷ୍ଠା।

୩ ଦିନି ରହଣି ପରେ ଶର୍ମିଷ୍ଠା ନିଜ ଶାଶୂ ଓ କେୟାର୍‌ଟେକର୍ ଝୁନା ସହିତ ୧୦ ତାରିଖ ଭୋର ପ୍ରାୟ ୫ଟା ୩୦ରେ ଭଦ୍ରକ ଆଗରପଡ଼ା ପୁରୁଷଣ୍ଢ ଗାଁରେ ଥିବା ନଣନ୍ଦ ଘରକୁ ଯାଇଥିଲେ। ନଣନ୍ଦ ଘରେ ବି ତିନି ଦିନ ଶର୍ମିଷ୍ଠା ଓ ଝୁନା ରହିଲେ। ସେଠି ରହିବା ସମୟରେ ହିଁ ଶର୍ମିଷ୍ଠା ଏକ ନୂଆ ସିମ୍‌କାର୍ଡ କିଣିଥିଲା। ଶର୍ମିଷ୍ଠା ନଣନ୍ଦ ଘରେ ଥିବା ସମୟରେ ୧୦ ତାରିଖରେ ଚାନ୍ଦବାଲି ପୁଲିସ ଖଣ୍ଡଗିରି ଫାର୍ମା ବସ୍ତିର ବୋଲେରୋ ଡ୍ରାଇଭର୍ ଭାଗ୍ୟଧର ନାୟକ, ଶର୍ମିଷ୍ଠାର ସହଯୋଗୀ ରଣପୁର ଧମଡ଼ାର ବିବେକ ନାୟକ, ପୁରୁଣା ଭୁବନେଶ୍ବର ମଙ୍ଗଳାସାହିର କୃଷ୍ଣଚନ୍ଦ୍ର ନାୟକଙ୍କୁ ଗିରଫ କରିଥିଲା।

୧୨ ତାରିଖରେ ବଧିପାଟଣା ପାହାଡ଼ ନିକଟରୁ ମାନସର ଶବ ମିଳିବା ପରେ ଶର୍ମିଷ୍ଠା ଭୟଭୀତ ହୋଇଯାଇଥିଲେ। ୧୩ ତାରିଖ ଦିନ ପ୍ରାୟ ୨ଟା ୫୦ରେ ଏକ ଅଟୋରେ ବାଲେଶ୍ବର ଯୋରଗାଡ଼ିଆ ନିକଟ କୁପାରି ବସ୍‌ଷ୍ଟାଣ୍ଡ ନିକଟକୁ ଉଭୟ ଶର୍ମିଷ୍ଟା ଓ ଝୁନା ଆସିଥିଲେ। ସେଠାରୁ ସେମାନେ ପାଖାପାଖି ୬୫ କିମି ଦୂର ବାଲେଶ୍ବର ବସଷ୍ଟାଣ୍ଡକୁ ଯାଇଥିଲେ। ବାଲେଶ୍ବର ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ଟ୍ରେନରେ ସିଧା କୋଲକାତା ଚାଲିଯାଇଥିଲେ। ୧୪ ତାରିଖରେ ଶର୍ମିଷ୍ଠା ଓ ଝୁନା କୋଲକାତାରେ ପହଞ୍ଚିଥିଲେ। କୋଲକାତାରେ ଶର୍ମିଷ୍ଠା ପୁଣି ଦୁଇଟି ନୂଆ ସିମ୍‌କାର୍ଡ କିଣିଥିଲେ। ପରେ ଦୁହେଁ ନଦୀୟା ଜିଲ୍ଲା କଲ୍ୟାଣୀ ଆଡ଼କୁ ଯାଇଥିଲେ। କଲ୍ୟାଣୀରେ କିଛିଦିନ ରହିବାପରେ ସେହି ଜିଲ୍ଲାର ମାୟାପୁରୀ ଅଞ୍ଚଳକୁ ଯାଇଥିଲେ।

ଆଜି ହତ୍ୟାକାଣ୍ଡସ୍ଥଳରେ ସିନ୍ ରିକ୍ରିଏସନ୍ ଯୋଜନା

ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ରହୁଥିବା ଶର୍ମିଷ୍ଠାଙ୍କ ବଡ଼ଭାଇ ପରମେଶ୍ବର ରାଉତ ସହିତ ପରିଚିତ ଥିବା ମାୟାପୁରୀର ଅସୀମା ଦାସ ଘରେ ଆଶ୍ରୟ ନେଇଥିଲେ। ପୁଲିସର ଗିରଫଦାରୀକୁ ଏଡ଼ାଇବା ପାଇଁ ସେଠୁ ସେମାନେ ଜଲପାଇଗୁଡ଼ି ଜିଲ୍ଲାକୁ ଯାଇଥିଲେ। ସେଠି ବି କିଛିଦିନ ଉଭୟ ରହିଥିଲେ। କୋଲକାତା ଆସି ସେଠି ବି କିଛି ଦିନ ରହିଲେ। ଟଙ୍କା ସରିଯିବାରୁ ଏବଂ କୌଣସି ଆଶ୍ରୟ ନମିଳିବାରୁ ଓଡ଼ିଶାକୁ ଗଲା ୨୮ ତାରିଖରେ ଫେରୁଥିବା ବେଳେ ଭଦ୍ରକ ନଳାଙ୍ଗ ସାଇମନ୍ଦିର ନିକଟରେ ଏକ ବସ୍‌କୁ ଅଟକାଇ ଉଭୟ ଶର୍ମିଷ୍ଠା ଓ ଝୁନାକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

ତେବେ ନୟାଗଡ଼ରେ ହୋଇଥିବା ମାନସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କୁ କୌଣସି କଠିନ ଓ ଦନ୍ଥରା ବସ୍ତୁରେ ମାଡ଼ ହୋଇଛି। ତାଙ୍କ ପଞ୍ଜରା ହାଡ଼ ଏକାଧିକ ସ୍ଥାନରେ ଭାଙ୍ଗିଯାଇଛି। ମାଡ଼ ହେବାପରେ ଶରୀର ଭିତରେ ଓ ବାହାରେ କ୍ଷତ ସୃଷ୍ଟି ହୋଇଥିଲା। ମରିବା ପୂର୍ବରୁ ତାଙ୍କୁ ମାଡ଼ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି। ଶର୍ମିଷ୍ଠା ଏବଂ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନିରଞ୍ଜନଙ୍କ ସମେତ ରିମାଣ୍ଡରେ ଥିବା ୪ ଜଣଙ୍କୁ ଆସନ୍ତାକାଲି ମାନସଙ୍କୁ ହତ୍ୟା କରାଯାଇଥିବା ସୁନ୍ଦରପଦା କଣ୍ଟିଲୋ ନିକଟରେ ଥିବା ଦୟାଲ ଆଶ୍ରମ ଓ ନୟାଗଡ଼ ବଧିପାଟଣା ପାହାଡ଼ ନିକଟକୁ ନିଆଯାଇ ସିନ୍ ରିକ୍ରିଏସନ୍ କରିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଛି।

ମୁଖା ଖୋଲି ଦେଇଥାନ୍ତା ମେମୋରି ଚିପ୍

ଭୁବନେଶ୍ବର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖା ଖୋଲି ଦେଇଥାନ୍ତା ମେମୋରି ଚିପ୍। ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ, ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ ବରବାଦ୍‌ ହୋଇ ଯାଇଥା’ନ୍ତେ। କିନ୍ତୁ ତା’ ପୂର୍ବରୁ କଳେବଳେ କୌଶଳେ ମାନସଙ୍କଠାରୁ ମେମୋରି ଚିପ୍ ନେଇଗଲେ ଶର୍ମିଷ୍ଠା। ପ୍ରମାଣ ନଷ୍ଟ କରିବାକୁ ହତ୍ୟା କରିବା ପରେ ମୃତଦେହକୁ ପୋତିଦେଲେ। ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।

ଅପରାଧ ଲୁଚାଇବାକୁ ଶର୍ମିଷ୍ଠାଙ୍କ ପ୍ରାୟୋଜିତ ଷ୍ଟିଙ୍ଗ୍‌ ଅପରସେନ୍!
ନିରଞ୍ଜନ, ରାଜ୍, ଝୁନାଙ୍କ ସମ୍ପୃକ୍ତି

କିନ୍ତୁ ନିଜର ଦୋଷ ଲୁଚାଇବାକୁ ପ୍ରାଣପଣେ ଚେଷ୍ଟା କରିଛନ୍ତି ଶର୍ମିଷ୍ଠା ଓ ସହଯୋଗୀ ନିରଞ୍ଜନ, ରାଜ୍ ଏବଂ ଝୁନା। ଯାହାର ଗୋଟିଏ ପରେ ଗୋଟିଏ ତଥ୍ୟ ପଦାକୁ ଆସିବାରେ ଲାଗିଛି। ଶର୍ମିଷ୍ଠା ସହଯୋଗୀ ଝୁନାଙ୍କ ଜରିଆରେ ମାନସଙ୍କ ନାଁରେ ମିଥ୍ୟା ଅଣ୍ଡରଟେକିଂ ଲେଖିଛନ୍ତି। ସେହିପରି ଯେଉଁ ଷ୍ଟିଙ୍ଗ ଅପରେସନ୍ ଭିଡିଓ ଭାଇରାଲ୍ ହେଉଛି ତାହା ମଧ୍ୟ ଶର୍ମିଷ୍ଠାଙ୍କ ଦ୍ବାରା ପ୍ରାୟୋଜିତ ବୋଲି ସନ୍ଦେହ କରୁଛି ତଦନ୍ତକାରୀ ଟିମ୍। ଏହି ଷ୍ଟିଙ୍ଗ୍‌ ଅପରେସନ ଭିଡିଓକୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରକୁ ନେଇଛି। ସେହିପରି ତଦନ୍ତର ଦିଗ ବଦଳାଇବା ପାଇଁ ସମୁଦ୍ର କୂଳରେ ସୁଟିଂ ଭିଡିଓ ଭାଇରାଲ୍ ମଧ୍ୟ ପ୍ରାୟୋଜିତ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର