ମାନସ ସ୍ବାଇଁ ହତ୍ୟା ମାମଲା: ଷ୍ଟିଙ୍ଗ୍‌ ଅପରେସନ୍ ଭିଡିଓରେ ଯାହା କହିଛନ୍ତି ଶର୍ମିଷ୍ଠା

ଭୁବନେଶ୍ବର: ଦେଖ୍, ଯାହା ବି ସମସ୍ୟା ହୋଇଛି ତୁ ଭଲ ଭାବେ ଜାଣିଛୁ। ତୁ ଯଦି ମୋତେ ନ ଡାକିଥାନ୍ତୁ, ମୁଁ କାହିଁକି ଯାଇଥାନ୍ତି। ହଁ, ମୁଁ ଲାପଟପ୍‌ରେ ଦେଖିଛି, ଇଏ କରିଛି, ସିଏ କରିଛି କହିଲୁ। ଚିପ୍ ତ ଆଣିଲି ଅଣ୍ଡରଟେକିଂ ବି ଲେଖିଲି। ତୋ ବାପାଙ୍କୁ ଡାକିଲୁ, ଏ ତୁମ ମା’, ଆକୁ ପଚାର ମୋ ତରଫରୁ କିଛି ବି ଭୁଲ୍ ନାହିଁ। କ’ଣ କରିବା କହୁନ ମାଉସୀ, ତୁମେ ମୋତେ ଦୋଷ ଦେଉଛ, ମୋର କିଛି ଦୋଷ ନାହିଁ। କ’ଣ କରିବା, ମୁଁ ବି ଅସୁବିଧାରେ ପଡ଼ି ଫସିଛି।

ଷ୍ଟିଙ୍ଗ୍ ଅପରେସନ୍ କରୁଥିବା ଯୁବକଙ୍କ ପାଖରେ ଥିବା ମହିଳା ଶର୍ମିଷ୍ଠାଙ୍କୁ କହୁଛନ୍ତି ପିଲାଟା କଲେଜ ଯାଇପାରୁନି, ପିଲା ଦୁଇଟା ଧରିଛି ଯେ ଟ୍ୟୁସନ କରିପାରୁନି। ଏହାପରେ ଶର୍ମିଷ୍ଠା ପୁଣି କହୁଛନ୍ତି ମୁଁ ବି ଫସିଛି, ସିଏ ବି ଫସିଛି, ଆଉ କ’ଣ କରିବା କହୁନ? ମୋର ଏବେ ଥାନାବାଲାଙ୍କୁ କୋଅପରେଟ୍ କରିବା ଛଡ଼ା ଦ୍ବିତୀୟ ବାଟ କିଛି ନାହିଁ। ମୁଁ ଯଦି ତାକୁ ଥାନାରେ ଦେଇ ଦେଇଥା’ନ୍ତି, ଆଜି ଥାନା ବାଲା ବି ମୋତେ ପଚାରି ନ ଥାନ୍ତେ। ଆକୁ ଯେମିତି ଅଣ୍ଡରଟେକିଂ ଲେଖିକି ବିଦା କଲି, ତାକୁ ସେମିତି ଅଣ୍ଡରଟେକିଂ ଲେଖିକି ବିଦା କଲି। ଜିନିଷ ତ ପାଇଲି ନା, ଆଉ କାହିଁକି ମୁଁ ତାକୁ ନେଇଥା’ନ୍ତି ଥାନାକୁ? ଯଦି ଗୋଟେ ଲୋକ ଜିନିଷ ନେଇଯାଇଛି ମୋ’ଠୁ, ମୁଁ ତାକୁ କ’ଣ କରିବି କି? ଜିନିଷିଟା ପାଇବି।

ଆପଣ ଦେଖନ୍ତୁ ହ୍ୟୁମାନ ଟେଣ୍ଡେନ୍‌ସି। ଆମେ ତ ଓକିଲ ନୁହେଁ କି ବଡ଼ବଡ଼ ଅଫିସର ନୁହେଁ। ଆମ ମୁଣ୍ଡରେ ଯେତିକି ବୁଦ୍ଧି, ଆମେ ସେତିକି କରିବା। ଆମେ ତାକୁ ଅଣ୍ଡରଟେକିଂ ବି ଲେଖାଇଲେ। ଶର୍ମିଷ୍ଠା ଫେରାର ହେବା ପୂର୍ବରୁ ପ୍ରାୟତଃ ମାର୍ଚ୍ଚ ପ୍ରଥମ ସପ୍ତାହରେ ଏହା ତିଆରି କରା ଯାଇଥିବା ଜଣାପଡ଼ିଛି। ନିଜକୁ ଓ ଅନ୍ୟ ସହଯୋଗୀଙ୍କୁ ଦୋଷମୁକ୍ତ କରାଇବା ସହ ସୁରକ୍ଷା ଦେବା ପାଇଁ ସେ ଏପରି କରିଥିବା ଜଣାପଡ଼ିଛି। ଏହି ଭିଡିଓ କେଉଁଠି ଥିଲା? କିଏ ଭାଇରାଲ୍ କରୁଛି? ତାହା ଜାଣିବା କ୍ରାଇମବ୍ରାଞ୍ଚ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ।

ଇଏ ସେହି ଲୁହାରଡ୍ ନୁହେଁ ତ?

ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସଙ୍କୁ ଶକ୍ତ ପଦାର୍ଥରେ ମାଡ଼ ମରାଯିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ମେରୁଦଣ୍ଡ, ପଞ୍ଜରା ସମେତ ଏକାଧିକ ହାଡ଼ ଭାଙ୍ଗିଯାଇଥିଲା। ପଞ୍ଜରା ହାଡ଼ ଭାଙ୍ଗି ପ୍ରବଳ ରକ୍ତସ୍ରାବ ହେବାରୁ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତେବେ ଏହା ଶକ୍ତ ଟାଣୁଆ ନିଦା କାଠ, ଲୁହାରଡ୍ ହୋଇଥାଇ ପାରେ। ଗତ ରବିବାର କ୍ରାଇମବ୍ରାଞ୍ଚ ଟିମ୍ ହତ୍ୟାକାଣ୍ଡ ସ୍ଥଳ ‘ଦୟାଲ’ ଆଶ୍ରମରୁ ଜବତ କରିଥିବା ସାମଗ୍ରୀ ବତା ବୋଲି ଜଣାପଡ଼ିଛି। ହତ୍ୟା କରା ଯାଇଥିବା ନିଦା କାଠ ଓ ଲୁହା କୁଆଡ଼େ ଗଲା?

ଅଭିଯୁକ୍ତମାନେ ଏହାକୁ କେଉଁଠି ଲୁଚାଇ ରଖିଛନ୍ତି? ଏମିତି ପ୍ରଶ୍ନ ଛିଡ଼ା ହୋଇଛି। ଗତ ରବିବାର ଯେତେବେଳେ ତଦନ୍ତକାରୀ ଟିମ୍ ଛାନଭିନ୍ କରିଥିଲା ସେତେବେଳେ ତଳ ମହଲାର ଝରକା ତଳେ ଏକ ଲୁହାରଡ୍ ଦେଖିବାକୁ ମିଳିଥିଲା। ହତ୍ୟାରେ ବ୍ୟବହୃତ ହୋଇଥିବା ଇଏ ସେହି ଲୁହାରଡ୍ ନୁହେଁ ତ? ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର