ପୁରୁଣା ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମନ୍ଦିରର ସେବାୟତଙ୍କ ନାମରେ ଥିବା ଜମି ଏବେ ବେବନ୍ଦୋବସ୍ତ ଜମି। ଠାକୁରଙ୍କ ସେବା ନୀତି କରୁଥିବା ସେବାୟତଙ୍କୁ ମିଳିଥିବା ଜମି ସରକାରଙ୍କ ଖାତାକୁ ଚାଲି ଯାଇଛି। ଏହାକୁ ନେଇ ସେବାୟତଙ୍କ ଭିତରେ ବହୁ ଦିନ ହେଲା ଅସନ୍ତୋଷ ରହିଛି। ଏହି ବାବଦର ସମାଧାନ ସହ ଲିଙ୍ଗରାଜ ମନ୍ଦିର ଆଇନ ସମ୍ପର୍କରେ ଆଲୋଚନା ପାଇଁ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଭିନ୍ନ ବିଭାଗର ସଚିବ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମେତ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ବୈଠକରେ ସାମିଲ ହୋଇଥିଲେ। ଲିଙ୍ଗରାଜ ମନ୍ଦିରର ତିନି ନିଯୋଗର ପ୍ରତିନିଧିଙ୍କୁ ମଧ୍ୟ ବୈଠକକୁ ଡକାଯାଇଥିଲା।
ନିଯୋଗର ବେବନ୍ଦେବସ୍ତ ସତ୍ବ ଯେଉଁ ପଟାରେ ଥିଲା ସେଥିରେ ଲିଙ୍ଗରାଜ ମହାପ୍ରଭୁ ମାର୍ଫତ ରହିଥିବା ବେଳେ ସେବାୟତଙ୍କ ନାମରେ ପଟା ଥିଲା। ୨ବର୍ଷ ହେଲା ଖାତାରୁ ସେବାୟତଙ୍କ ନାମ କାଟି କେବଳ ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ବା ସରକାରଙ୍କ ଖାତାକୁ ଚାଲିଆସିଛି। ସେବାୟତମାନଙ୍କ ନାମରେ ଏହି ଜମି ଫେରିବା ପାଇଁ ଦାବି ହୋଇ ଆସୁଥିଲା। ଏନେଇ ଆଜି ବୈଠକରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ହାଇକୋର୍ଟଙ୍କ ଏକ ରାୟ ଅନୁଯାୟୀ ସେବାୟତଙ୍କୁ ମିଳିଥିବା ଜମି ସରକାରଙ୍କ ଖାତାକୁ ଚାଲି ଆସିଛି। ଏହି ଜମିଗୁଡ଼ିକ ମାର୍ଫତ ଟ୍ରଷ୍ଟ ବୋର୍ଡ ରଖିବାକୁ ଉଦ୍ୟମ କରାଯିବ। ଅନ୍ୟପଟେ ସେବାୟତମାନେ ଯୁକ୍ତି ରଖିଥିଲେ ଯେ ୨୦୧୨ ମସିହାରେ ହାଇକୋର୍ଟଙ୍କ ଆଉ ଏକ ନିର୍ଦେଶ ଅନୁଯାୟୀ ସେବାୟତଙ୍କ ଜମି ସରକାର ନେଇ ପାରିବେ ନାହିଁ। ଏ ନେଇ ସମସ୍ତ କାଗଜପତ୍ର ମୁଖ୍ୟ ଶାସନ ସଚିବ ଓ ଆଇନ ବିଭାଗକୁ ଦିଆଯିବ। ଏହି କାଗଜପତ୍ର ଦେଖିବା ପରେ ପୁଣି ତର୍ଜମା କରାଯିବ ବୋଲି ବୈଠକରେ କୁହାଯାଇଥିଲା।
ମନ୍ଦିର ସ୍ଥାୟୀ ଟ୍ରଷ୍ଟ ବୋର୍ଡ ତୁରନ୍ତ ଗଠନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଲିଙ୍ଗରାଜ ମନ୍ଦିର ପାଇଁ ପ୍ରସ୍ତୁତ ସ୍ବତନ୍ତ୍ର ଆଇନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏହି ଆଇନ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଆପତ୍ତିର ଉତ୍ତର ରାଜ୍ୟ ସରକାର ଦେଇଥିଲେ। ତାହା ପରେ ପୁଣି କିଛି ବ୍ୟବସ୍ଥା ଉପରେ କେନ୍ଦ୍ର ଆପତ୍ତି ଉଠାଇଛି। ଆଇନ ବିଭାଗ ଖୁବ୍ ଶୀଘ୍ର ଏହାର ଉତ୍ତର ଦେବ ବୋଲି କୁହାଯାଇଥିଲା। ଏହା ବାଦ୍ ସେବାୟତମାନଙ୍କ ଆଉ କିଛି ସମସ୍ୟା ଉପରେ ବୈଠକରେ ଆଲୋଚନା ହୋଇଥିଲା।
ବୈଠକରେ ସେବାୟତଙ୍କ ପକ୍ଷରୁ ବ୍ରହ୍ମଣ ନିଯୋଗ ସଭାପତି ଶ୍ୟାମସୁନ୍ଦର ମହାପାତ୍ର ଓ ସମ୍ପାଦକ ବିରଞ୍ଚି ନାରାୟଣ ପତି, ପୂଜାପଣ୍ଡା ନିଯୋଗ ସଭାପତିଙ୍କ ପ୍ରତିନିଧି ଲିଙ୍ଗରାଜ ପୂଜାପଣ୍ଡା ଓ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା, ବଡ଼ୁ ନିଯୋଗ ସଭାପତି ଅଞ୍ଚଳ କୁମାର ବଟୁ ଓ ସମ୍ପାଦକ କମଳାକାନ୍ତ ବଟୁ ପ୍ରମୁଖ ଉପସ୍ଥିତ ଥିଲେ।