ଭୁବନେଶ୍ୱର: ରାତି ପାହିଲେ ପୂଜା। ମାତ୍ର ଏପର୍ଯ୍ୟନ୍ତ ରାଜଧାନୀର ରାସ୍ତା ସ୍ଥିତି ସୁଧୁରିଲା ନାହିଁ। ଯୁଆଡ଼େ ଚାହିଁଲେ ଖାଲଖମା। ବିଶେଷ କରି ପୂଜା ମଣ୍ଡପଗୁଡ଼ିକ ନିକଟରେ ରାସ୍ତାର ଅବସ୍ଥା ଶୋଚନୀୟ। ଵାର୍ଡ ନମ୍ୱର ୫ ଅନ୍ତର୍ଗତ ଚକେଇସିଆଣୀ ପୂଜା ମଣ୍ଡପରୁ ମଞ୍ଚନାଥ ନଗର ଓ ସମେଇଗାଡ଼ିଆକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡ଼ିଛି। ରାସ୍ତା ସାରା ହଜାରେ ଖାଲ, ଢ଼ିପ। ସ୍ଥାନେସ୍ଥାନେ ପିଚୁ ଉଠି କାଦୁଅ ଗଦା ହୋଇ ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପ୍ରତିବର୍ଷ ଦୁର୍ଗାପୂଜା ସମୟରେ ରାସ୍ତା ମରାମତି ହେଉଛି, ପୂଜା ସରିବା ପରେ ପୁଣି ସମାନ ସ୍ଥିତି।
ଏହି ରାସ୍ତା ଉପରେ ୫୦ ହଜାରରୁ ଅଧିକ ଲୋକ ନିର୍ଭର କରିଥାନ୍ତି। ମଞ୍ଚେଶ୍ୱର ଗାଁ, ସତ୍ୟବିହାର, ମଞ୍ଚନାଥ ନଗର, ସମେଇଗାଡିଆ, ଚକେଇସିଆଣି, ଭିଏସ୍ଏସ୍ ନଗର, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଆଦି ଅଞ୍ଚଳର ଯାନବାହାନ ଏହି ବାଟ ଦେଇ ଯାତାୟାତ କରିଥାଏ। ପୁଣି ଅଞ୍ଚଳରେ ବହୁ ସରକାରୀ, ବେସରକାରୀ ପ୍ରତିଷ୍ଠାନ, ବଜାର, ସ୍କୁଲ ମଧ୍ୟ ରହିଛି। ଖରାପ ରାସ୍ତା ଯୋଗୁ ବର୍ଷାଦିନେ ଛାତ୍ରଛାତ୍ରୀ ବହୁ ଅସୁବିଧାରେ ପଡ଼ୁଛନ୍ତି। ମାସେ ହେଲାଣି ରାସ୍ତା କାମ ଚାଲିଥିଲେ ସୁଦ୍ଧା ଏଯାବତ୍ ସରି ନାହିଁ। ରାସ୍ତାକଡ଼ରେ ଥିବା ନିର୍ମାଣ ସାମଗ୍ରୀ ବର୍ଷାରେ ବହି ଯାଇ ରାସ୍ତାରେ ଗଦା ହେଉଛି। ଏନେଇ କର୍ପୋରେଟର ମିନୁଶ୍ରୀ ଖୁଣ୍ଟିଆଙ୍କ କହିଛନ୍ତି ଯେ ରାସ୍ତା କାମ ପାଇଁ ୯୫ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି। ପୂଜା ପୂର୍ବରୁ ରାସ୍ତା କାମ ସରିବ।