ବହୁଚର୍ଚ୍ଚିତ ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଦୁଷ୍କର୍ମ ଘଟଣା: ୧୩ ବର୍ଷ ପରେ ବାଜିଆ ଗିରଫ

କେସ୍ ବନ୍ଦ ହୋଇ ଯାଇଥିବା ଭାବି ଘରକୁ ଫେରିଥିଲା, ଆଉ ଜଣେ ଫେରାର ଅଭିଯୁକ୍ତ ଦୁର୍ଘଟଣାରେ ମୃତ

ଭୁବନେଶ୍ବର: ୧୩ ବର୍ଷ ତଳେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଘଟିଥିବା ଲୋମହର୍ଷଣକାରୀ ଗଣଦୁଷ୍କର୍ମ ମାମଲାରେ ଫେରାର ଥିବା ଜଣେ ଅଭିଯୁକ୍ତକୁ ମହିଳା ଥାନା ପୁଲିସ୍‌ ଗିରଫ କରିଛି। ସେ ହେଲା, ବ୍ରଜକିଶୋର ସ୍ବାଇଁ ଓରଫ୍ ବାଜିଆ। ସେ ଚକେଇସିଆଣିରେ ରହେ। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ପୂର୍ବରୁ ଜଣେ ଅଭିଯୁକ୍ତକୁ ମହିଳା ଥାନା ପୁଲିସ ଗିରଫ କରି ସାରିଥିଲା। କିନ୍ତୁ ବାଜିଆ ପୁଲିସ ଆଖିରେ ଧୂଳି ଦେଇ ଦୀର୍ଘ ଦିନ ଧରି ଫେରାର ଥିଲା। ୨୦୦୯ ଜାନୁଆରି ୧୨ତାରିଖ‌ରେ ଏହି ଚାଞ୍ଚଲ୍ୟକର ଘଟଣାଟି ଘଟିଥିଲା। ରାତି ପ୍ରାୟ ୨ଟା ବେଳେ ମଞ୍ଚେଶ୍ବର ଶଳ୍ପାଞ୍ଚଳ ଲକ୍ଷ୍ମୀ ଉଦ୍ୟୋଗ କମ୍ପାନି ନିକଟ ଏକ ଭଡ଼ାଘରେ ଜଣେ ମହିଳା ଶୋଇଥିବା ବେଳେ ବାଜିଆ, ତା’ ଦୁଇ ସାଙ୍ଗ ବାବୁନି ଓ ରବି ସେଠାରେ ପହଞ୍ଚି କବାଟ ବାଡ଼େଇଥିଲେ।

ମହିଳାଜଣକ କବାଟ ଖୋଲିବା ପରେ ୩ଜଣ ଯାକ ମହିଳାଙ୍କୁ ଟେକି ନେଇ ଏକ ନିଛାଟିଆ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ। ଏ ସଂପର୍କରେ ମହିଳାଜଣକ ପ୍ରଥମେ ମଞ୍ଚେଶ୍ବର ଥାନା ଓ ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ମହିଳା ଥାନାର ତତ୍କାଳୀନ ଇନ୍ସପେକ୍ଟର ବିଳାସିନୀ ନାୟକ ଅଭିଯୋଗକୁ ଗ୍ରହଣ କରି ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାକୁ ନେଇ ସେତେବେଳେ ରାଜଧାନୀ‌‌ରେ ହଇଚଇ ସୃଷ୍ଟି ହୋଇଥିଲା।

ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଘଟଣାର ୩ ଦିନ ପରେ ପୁଲିସ ବାବୁନିକୁ ଗିରଫ କରିଥିଲା। ରବି ଓ ବାଜିଆ ଫେରାର୍‌ ଥିଲେ। କିନ୍ତୁ କିଛି ବର୍ଷ ପରେ ଏକ ସଡ଼କ ଦୁର୍ଘଟଣାରେ ରବିର ମୃତ୍ୟୁ‌ ହୋଇଯାଇଥିଲା। କିନ୍ତୁ ବାଜିଆ ଦୀର୍ଘ ଦିନ ଧରି ଫେରାର୍‌ ଥିଲା। ମାମଲାଟି ଦୀର୍ଘ ବର୍ଷର ହୋଇଯାଇଥିବାରୁ ପୁଲିସ କେସ୍ ବନ୍ଦ ହୋଇଯାଇଥିବା ଅନୁମାନ କରି ବାଜିଆ କିଛି ଦିନ ତଳେ ଘରକୁ ଫେରିଥିଲା। ମହିଳା ଥାନା ପୁଲିସ ଏହି ଖବର ପାଇବା ପରେ ଗତକାଲି ବିଳମ୍ବିତ ରାତିରେ ତା’ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା ବୋଲି ମହିଳା ଥାନା ଇନ୍ସପେକ୍ଟର୍‌ ସନ୍ତୋଷିନୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର