ମଞ୍ଚେଶ୍ୱର ଥାନା: ୨ ବର୍ଷରେ ୧୨ ହତ୍ୟାକାଣ୍ଡ

ଏବେ ବି ରହସ୍ୟମୟ ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ

ଭୁବନେଶ୍ୱର: ଦୁଇ ଦିନ ତଳେ ହୋଟେଲ୍‌ ହାଇେଓ୍ଵ ଇନ୍‌ରେ ଜଣେ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯିବା ଘଟଣା ପରେ ମଞ୍ଚେଶ୍ୱର ଥାନା ଅଞ୍ଚଳ ଅସୁରକ୍ଷିତ ହୋଇ ପଡ଼ିଥିବା ନେଇ ଚର୍ଚା ହେଉଛି। ଗତ ଦୁଇ ବର୍ଷ ମଧ୍ୟରେ ମଞ୍ଚେଶ୍ୱର ଥାନା ଅଧୀନ ବିଭିନ୍ନ ସ୍ଥାନରେ ୧୨ଟି ହତ୍ୟା ଘଟଣା ଘଟିଥିବାରୁ ଏପରି ଚର୍ଚା ହେଉଥିବା ଜଣାପଡ଼ିଛି। କେତେବେଳେ ପୂର୍ବ ଶତ୍ରୁତାକୁ ନେଇ ତ ଆଉ କେତେବେଳେ ନିଶା କାରବାରକୁ ନେଇ ଏପରି ଘଟଣା ଘଟୁଛି। ଗତ ଦୁଇ ବର୍ଷ ମଧ୍ୟରେ ରାଜଧାନୀରେ ଯେତେ ହତ୍ୟାକାଣ୍ଡ ଘଟିଛି, ତା’ ମଧ୍ୟରୁ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ହିଁ ଅଧିକ ଘଟଣା ଘଟିଛି। ଅନ୍ୟପକ୍ଷରେ ଏହି ଥାନା ଅଧୀନରେ ଘଟିଥିବା ଏକାଧିକ ହତ୍ୟାକାଣ୍ଡ ଏବେ ବି ରହସ୍ୟମୟ ହୋଇ ରହିଛି; ସେ ଉନ୍ମୟ ପାଢ଼ୀ ମୃତ୍ୟୁ ମାମଲା ହେଉ କିମ୍ବା କୁଆଖାଇ ନଦୀପଠାରେ ଯୁବତୀଙ୍କୁ ହତ୍ୟା।

କୁଆଖାଇ ନଦୀପଠାରୁ ଯୁବତୀଙ୍କ ଶବ ଉଦ୍ଧାର ଘଟଣା:
ଏଯାଏ ମିଳିନି ପରିଚୟ
ବିଜୟ ବେହେରା ହତ୍ୟାକାଣ୍ଡ: ଅଭିଯୁକ୍ତକୁ ପାଉନି ପୁଲିସ
ବିଗିଡ଼ି ଗଲାଣି ଆଇନଶୃଙ୍ଖଳା

ମାଛ ଧରାଳି ବିଜୟ ବେହେରା ହତ୍ୟା ଘଟଣାରେ ବି ପୁଲିସ ସବୁଆଡ଼ୁ ଫେଲ୍‌ ମାରିଛି। ଜଣେ ବି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ମଞ୍ଚେଶ୍ୱର ଥାନା ପୁଲିସ ସକ୍ଷମ ହୋଇ ପାରିନାହିଁ। ରସୁଲଗଡ଼ର ଦୁର୍ଦାନ୍ତ ମଦ ମାଫିଆ ହାଡ଼ିଆ ଯେଉଁଭଳି ଭାବେ ପଳାଶୁଣୀ ମଦ ଦୋକାନ ନିକଟରେ ଦିନ ଦ୍ୱିପ୍ରହରରେ ସଂଜୟ ବେହେରା ଓରଫ୍‌ ଧୋବା ନାମକ ଜଣେ ଯୁବକଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କଲା, ତାହା ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳାଇଥିଲା। ସେହିପରି ଦୁଇ ଦିନ ତଳେ ହୋଟେଲ ହାଇେଓ୍ଵ ଇନ୍‌ରେ ମହିଳାଙ୍କୁ ହତ୍ୟା ଘଟଣାରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି। ଥାନାଠାରୁ ମାତ୍ର ୨୦ମିଟର ଦୂରରେ ଘଟିଛି ଏହି ହତ୍ୟାକାଣ୍ଡ। ଅପରାଧୀ ହତ୍ୟାକାଣ୍ଡ ପରେ ସହଜରେ ଫେରାର୍‌ ହେବାକୁ ସକ୍ଷମ ହୋଇଛି। ଥାନାକୁ ଲାଗି କରି ଦୁଇଟି ଢାବା ରହିଛି। ସେହି ଢାବା ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିବା ସହିତ ତା’ ଭିତରେ ନିଶାସକ୍ତଙ୍କ ଆଡ଼ା ଜମୁଛି। ଥାନାକୁ ଲାଗି କରି ଦୁଇଟି ମଦ ଦୋକାନ ମଧ୍ୟ ଅଛି। ସେଥିମଧ୍ୟରୁ ଗୋଟିଏ ମଦ ଦୋକାନରେ ରାତି ୧୧ଟା ପର୍ଯ୍ୟନ୍ତ ମଦ ବିକ୍ରି ହେଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ମଞ୍ଚେଶ୍ୱର ଥାନା ପୁଲିସର ଭୂମିକାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି କହିଛନ୍ତି, ବିଗତ ଦିନରେ ଘଟିଥିବା ହତ୍ୟାକାଣ୍ଡ ସମ୍ପର୍କରେ ସେ ଅବଗତ ନୁହନ୍ତି। ମଞ୍ଚେଶ୍ୱର ପୁଲିସର ଅବହେଳା ସମ୍ପର୍କରେ ସ୍ଥାନୀୟ ଲୋକ ମୋତେ ସିଧାସଳଖ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର