୭ ମାସ ପରେ ମଞ୍ଚେଶ୍ବର ଥାନାକୁ ମିଳିଲେ ଆଇଆଇସି: ଇନ୍‌ଫୋସିଟି ଥାନାକୁ କେବେ?

ଜୋନ୍-୩ ଏସିପି ଭାବେ ଦାୟିତ୍ବ ନେଲେ ଭରତ ସାହୁ
ଲକ୍ଷ୍ମୀସାଗର ଥାନାର ନୂଆ ଆଇଆଇସି ଓମ୍‌ ପ୍ରକାଶ

ଭୁବନେଶ୍ବର : ଦୀର୍ଘ ୭ ମାସ ଧରି ଖାଲି ପଡ଼ିବା ପରେ ମଞ୍ଚେଶ୍ବର ଥାନାରେ ଆଇଆଇସି ନିଯୁକ୍ତ ହୋଇଛନ୍ତି। ପୁରୀରୁ ବଦଳି ହୋଇ ଆସିଥିବା ଇନ୍ସପେକ୍ଟର୍‌ ସୁଧୀର କୁମାର ସାହୁଙ୍କୁ ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି। ଆଜି ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ତତ୍କାଳୀନ ଆଇଆଇସି ଯତୀନ୍ଦ୍ର କୁମାର ସେଠୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆସିଥିଲା। ପୁଲିସ୍‌ କମିସନର୍‌ଙ୍କ ନିକଟରେ କିଛି ଲୋକ ଅଭିଯୋଗ କରିଥିଲେ। ଅଭିଯୋଗର ଯାଞ୍ଚ କରାଯିବା ପରେ ସତ୍ୟତା ଥିବା ଆଧାରରେ ଯତୀନ୍ଦ୍ରଙ୍କୁ ବଦଳି କରାଯାଇଥିଲା। ସେବେଠାରୁ ସେହି ଥାନାରେ ଆଇଆଇସି ନିଯୁକ୍ତ ହୋଇ ପାରି ନଥିଲେ।

ଅନ୍ୟପକ୍ଷରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବର ମାସରେ ଇନଫୋସିଟି ଥାନାର ତତ୍କାଳୀନ ଆଇଆଇସି ବିଶ୍ବଜିତ ମହାନ୍ତିଙ୍କୁ ବଦଳି କରାଯାଇଥିଲା। ପ୍ରାୟ ୮ମାସ ଧରି ଥାନାରେ କେହି ଆଇଆଇସି ନାହାନ୍ତି। ନନ୍ଦନକାନନ ଥାନାଧିକାରୀ ବିଶ୍ବରଞ୍ଜନ ସେନାପତି ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ରାଜଧାନୀର ଅନ୍ୟ ଏକ ଏହି ଗୁରୁତ୍ବପୂର୍ଣ୍ଣ ଥାନାକୁ କେବେ ଇନ୍ସପେକ୍ଟର ମିଳିବେ, ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ହୋଇଛି।

ଅନ୍ୟପକ୍ଷରେ ପ୍ରାୟ ତିନି ସପ୍ତାହ ରାଜଧାନୀର ୫ଜଣ ଥାନାଧିକାରୀ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିଲେ। ଏସିପି ଭରତ ସାହୁ ଓ ଅରୁଣ ସ୍ବାଇଁ କମିସନରେଟ୍‌ ମୁଖ୍ୟାଳୟରେ ଯୋଗ ଦେଇଥିଲେ। ଏହା ପରେ କମିସନରେଟ୍ ପୁଲିସରେ ଛୋଟଧରଣର ଏକ ଅଦଳବଦଳ ହୋଇଛି। ଲକ୍ଷ୍ମୀସାଗର ଥାନା ଦାୟିତ୍ବରେ ଥିବା ଭରତ ଚନ୍ଦ୍ର ସାହୁଙ୍କୁ ଜୋନ୍-୩ ଏସିପି ଭାବେ ଦାୟିତ୍ବ ମିଳିଛି। ଆଜି ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେହିପରି ପାହାଳ ଫାଣ୍ଡି ଅଧିକାରୀ ଓମ୍‌ପ୍ରକାଶ ମହାନ୍ତିଙ୍କର ଇନ୍ସପେକ୍ଟର୍‌ ପାହ୍ୟାକୁ ପଦୋନ୍ନତି ପରେ ଲକ୍ଷ୍ମୀସାଗର ଆଇଆଇସି ଭାବେ ନିଯୁକ୍ତି ମିଳିଛି। ଆଜି ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଜୋନ୍-୩ ଏସିପି ଥିବା ପ୍ରାଣକୃଷ୍ଣ ରାଉତ ଅତିରିକ୍ତ ଡିସିପି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର