‘ମଞ୍ଚେଶ୍ବର’ ନାଁ ଶୁଣି ଆଖି ଆଗରେ ଏକ ଶିଳ୍ପାଞ୍ଚଳ, ରେଳଷ୍ଟେସନ୍ କିମ୍ବା ରେଳଡବା ମରାମତି କାରଖାନାର ଚିତ୍ର ଭାସିଯାଏ। କିନ୍ତୁ କୁଆଖାଇ ନଦୀକୁ ଲାଗିଥିବା ଏକ ଗାଁ (ମଞ୍ଚେଶ୍ବର)ର ନାମାନୁସାରେ ଯେ ଏ ଅଞ୍ଚଳର ନାଁ ଏମିତି ହୋଇଛି, ଏକଥା ଖୁବ୍ କମ୍ ଲୋକଙ୍କୁ ମାଲୁମ୍। ଇଷ୍ଟଦେବ ମଞ୍ଚନାଥଙ୍କ ନାମାନୁସାରେ ଏ ଗାଁର ନାମକରଣ ଏପରି ହୋଇଥିବା ଜନଶ୍ରୁତିରେ ରହିଛି। ମଞ୍ଚନାଥ ଠାକୁର ହେଉଛନ୍ତି ସମଗ୍ର ୨୨ଖଣ୍ଡ ମଉଜାର ଥାନପତି। ଇତିହାସରେ ଗାଁର ଅତୀତ ସଂପର୍କରେ ସେମିତି କିଛି ବିଶେଷ ତଥ୍ୟ ଉଲ୍ଲେଖ ନାହିଁ। କିନ୍ତୁ କିଛି ଐତିହାସିକ ଯୁକ୍ତି ବାଢ଼ନ୍ତି ଯେ ମଂଜୁନାଥ ହେଉଛନ୍ତି ବୌଦ୍ଧଦେବତା। ସେ ତ୍ରିମୁଖ, ଷଡ଼ହସ୍ତ। ତାଙ୍କର ପୀଠ ‘ମଂଜୁନାଥ ପୀଠ’ କାଳକ୍ରମେ ମଞ୍ଚନାଥ ଶୈବପୀଠରେ ରୂପାନ୍ତରିତ ହୋଇଛି। ମାତ୍ର ଏଭଳି ବିଗ୍ରହ ମଞ୍ଚନାଥଙ୍କ ପୀଠରେ ଦେଖିବାକୁ ମିଳେ ନାହିଁ। ଗାଁ ଲୋକ କହନ୍ତି, ରାଜାରାଜୁଡ଼ା ସମୟରେ ଲୋକଙ୍କଠାରୁ କର ଆଦାୟ କରିବା ପାଇଁ ବିଭିନ୍ନ ମୌଜାରେ ସରବରାକାରମାନେ ବସତି ସ୍ଥାପନ କରି ରହୁଥିଲେ। ଏହି ଗାଁରେ ବି ରାଜାଙ୍କ ବହୁ ସରବରାକାର ରହୁଥିଲେ। ଏବେ ଗାଁରେ ରହୁଥିବା ଏକାଧିକ କରଣ ପରିବାର ଏହି ତଥ୍ୟର ସତ୍ୟତା ଉପରେ କିଛି ମାତ୍ରାରେ ମୋହର ମାରୁଛି।
ତିନିଟି ଜିଲ୍ଲା ଅଧୀନରେ ଥିଲା ମଞ୍ଚେଶ୍ବର
ଗାଁର କିଛି ବର୍ଷୀୟାନ ଲୋକ କହନ୍ତି, ମଞ୍ଚେଶ୍ବର ଗାଁ ତିନିଟି ଜିଲ୍ଲା ଅଧୀନରେ ଥିଲା। ରାଜାରାଜୁଡ଼ା ଶାସନ ପରେ ଯେତେବେଳେ ଜିଲ୍ଲା ଗଠନ ହେଲା, ଏହି ଗାଁ କଟକ ଜିଲ୍ଲା ଅଧୀନରେ ରହିଥିଲା। ତା’ ପରେ ପୁରୀ ଜିଲ୍ଲା ଅଧୀନକୁ ମଧ୍ୟ କିଛି ବର୍ଷ ଯାଇଥିଲା। ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ଯେତେବେଳେ ଓଡ଼ିଶାର ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି ପାଇଲା, ସେବେଠାରୁ ଏ ଗାଁ ଖୋର୍ଦ୍ଧା ଜିଲ୍ଲା ଅଧୀନରେ ରହିଛି। ଗାଁ ପ୍ରଥମେ ପଞ୍ଚାୟତ ଅଧୀନରେ ଥିଲା। ୧୫ ବର୍ଷ ତଳେ ଏ ଗାଁ ବିଏମ୍ସିରେ ମିଶିଛି।
ଏନ୍.ଏଚ୍. କର୍ତ୍ତୃପକ୍ଷଙ୍କୁ ବାଧ୍ୟ କରାଇ ଗାଁ ପିଚୁ ସଡ଼କ କରାଇଥିଲେ ବିଜୁବାବୁ
ଭୁବନେଶ୍ବର ରାଜଧାନୀ ମାନ୍ୟତା ପାଇବାର ବହୁ ବର୍ଷ ପର୍ଯ୍ୟନ୍ତ ଗାଁ ରାସ୍ତା ଅତି କଦର୍ଯ୍ୟ ଓ ଦୟନୀୟ ଥିଲା। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନଜରରେ ଥରେ ଏ ରାସ୍ତା ପଡ଼ିଥିଲା। ୧୯୮୯ରେ ଭୁବନେଶ୍ବରରେ ଜାତୀୟ ରାଜପଥ କାମ ଚାଲୁଥିବା ବେଳେ ସେ ଏନ୍.ଏଚ୍ କର୍ତ୍ତୃପକ୍ଷଙ୍କୁ ବାଧ୍ୟ କରି ଏ ଗାଁ ରାସ୍ତାକୁ ପିଚୁ କରାଇ ଦେଇଥିଲେ। ସେତେବେଳେ ବିଜୁବାବୁ ବିରୋଧୀ ଦଳ ନେତା ଥିଲେ। ଆଖପାଖ ୨୨ଖଣ୍ଡ ମଉଜାରେ, ଏହି ଗ୍ରାମବାସୀ ପ୍ରଥମେ ପିଚୁ ସଡ଼କରେ ଯାତାୟାତ କରିଥିଲେ। ୧୯୭୩ ମସିହାରେ ପ୍ରଥମେ ଗାଁରେ ବିଜୁଳି ବତି ଜଳିଥିଲା।
୨ହଜାର ଏକର ଚାଷ ଜମିରେ ଛିଡ଼ା ହୋଇଛି କୋଠା
ସେତେବେଳେ କୁଆଖାଇର ଏତେ ବଡ଼ ବନ୍ଧ ନଥିଲା। ଏକ ଅଣଓସାରିଆ ବନ୍ଧ ରାସ୍ତା ଥିଲା। ସେଥିରେ ଲୋକମାନେ ଚାଲିଚାଲି ଯାଉଥିଲେ। ଗାଁର ଦକ୍ଷିଣ-ପଶ୍ଚିମ ଦିଗରେ ପାଖାପାଖି ୨ହଜାର ଏକରର ଚାଷ ଜମି ଥିଲା। ସେଠି ଧାନ, ଆଖୁ ଓ ଡାଲି ଜାତୀୟ ଫସଲ ହେଉଥିଲା। ଲୋକ ଆଳୁଚାଷ ବି ପ୍ରଚୁର କରୁଥିଲେ। ଗାଁର ସବୁ ଲୋକ ଚାଷବାସ କରୁଥିଲେ। କିନ୍ତୁ ୨୦୦୦ ମସିହା ପରେ ଧୀରେଧୀରେ ଚାଷ ବନ୍ଦ ହୋଇଗଲା। ଲୋକମାନେ ଚାକିରିମୁହାଁ ହେଲେ। ଗାଁର ସେଇ ଚାଷଜମି ଉପରେ ଏବେ ବଡ଼ବଡ଼ କୋଠା ଛିଡ଼ା ହୋଇଛି। ଗାଁର ଶହେ ଏକର ଚାଷ ଜମିରେ ପ୍ରଥମେ ସତ୍ୟବିହାର କଲୋନି ଗଢ଼ି ଉଠିଥିଲା। ପରବର୍ତ୍ତୀ ସମୟରେ ଧାନ କ୍ଷେତରେ ସପ୍ତସତୀନଗର, ଜ୍ଞାନଭାରତୀ ନଗର, ଓମ୍ ସିଟି ଆଦି ଗଢ଼ି ଉଠିଛି।
ଚନ୍ଦନଯାତ୍ରାରେ ଦୁଲୁକୁଥିଲା ଗାଁ ଦାଣ୍ଡ
ଗାଁର ମୁଖ୍ୟପର୍ବ ହେଉଛି ଚନ୍ଦନଯାତ୍ରା ଓ ଦୋଳଯାତ୍ରା। ଚନ୍ଦନଯାତ୍ରାରେ ଠାକୁର ନଦୀରେ ଚାପ ଖେଳନ୍ତି। ପୂରା ଗାଁ ଉତ୍ସବମୁଖର ହୋଇଉଠେ। ଗାଁରେ ଯାତ୍ରା ପାର୍ଟି ପଡ଼େ। ଏହାସହ ଗାଁରେ ରାସ ପୂର୍ଣ୍ଣିମା, ଅଷ୍ଟପ୍ରହରୀ, ଲକ୍ଷ୍ମୀ ପୂଜା ଆଦି ବେଶ୍ ଧୁମ୍ଧାମ୍ରେ ପାଳନ ହେଉଥିଲା। ଏବେ କିଛି ପର୍ବ ବନ୍ଦ ହୋଇଗଲାଣି। ସେହିଭଳି ବର୍ତ୍ତମାନର ସତ୍ୟବିହାରରେ ଏକ ବେଳଣ ମଠ ରହିଛି। ମକର ସଂକ୍ରାନ୍ତି ରାତିରେ ଗାଁର କିଛି ଲୋକ ସେ ମଠକୁ ଯାଆନ୍ତି। ସେଠାରେ ଦୁଇ ଦିନ ରହି ନାମ ସଂକୀର୍ତ୍ତନ କରି ଫେରନ୍ତି। ଏହି ସମୟରେ ଗାଁରେ କ୍ରୀଡ଼ା ମହୋତ୍ସବ ହୁଏ। ସେହିଭଳି ଗାଁର ପୁରୁଖା ଲୋକମାନେ ଏବେ ବି ଗାଁର ସଂକୀର୍ତ୍ତନମଣ୍ଡଳୀକୁ ବଞ୍ଚାଇ ରଖିଛନ୍ତି। ଆଖପାଖ ୪୯ଟି ସଂକୀର୍ତ୍ତନମଣ୍ଡଳୀ ଭିତରେ ଏହି ଗାଁ ମଣ୍ଡଳୀ ଏକ ନମ୍ବର ସ୍ଥାନ ଏବେ ବି ବଜାୟ ରଖିଛି।
ବାଲିଅନ୍ତା ହାଟକୁ ଯାଉଥିଲେ ଗାଁ ଲୋକ
ସେତେବେଳେ ଗାଁ ଲୋକମାନେ ବାଲିଅନ୍ତା ହାଟକୁ ବଜାର ସଉଦା କରିବାକୁ ଯାଉଥିଲେ। ସପ୍ତାହକୁ ଦୁଇ ଦିନ ରବିବାର ଓ ବୁଧବାର ହାଟ ପାଳି ଥିଲା। ନଦୀବନ୍ଧ କଡ଼ରେ ଧୋଡ଼ା ରାସ୍ତା ପାରି ହୋଇ ଦିନ ଥାଉଥାଉ ହାଟ କାମ ସାରି ଗାଁକୁ ଫେରି ଆସୁଥିଲେ। ସେହି ହାଟରୁ ଘରର ଯାବତୀୟ ଜିନିଷ ଖରିଦ୍ କରୁଥିଲେ ଗାଁ ଲୋକ। ସେହିଭଳି ସେତେବେଳେ ନଦୀରୁ ପ୍ରଚୁର ମାଛଧରା ହେଉଥିଲା। ଗାଁ ଲୋକମାନେ ଅନେକ ସମୟରେ ନଦୀ ମାଛ ଉପରେ ହିଁ ସଂପୂର୍ଣ୍ଣ ନିର୍ଭର କରୁଥିଲେ।
୮୦ ଦଶକରେ ଥିଲେ ୧୦ଜଣ ଗ୍ରାଜୁଏଟ୍
ଗାଁରେ ୧୯୪୫ ମସିହାରେ ପ୍ରଥମେ ନିମ୍ନ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଆଖାପାଖ ପାଞ୍ଚଖଣ୍ଡ ଗାଁର ପିଲାମାନେ ଏହି ସ୍କୁଲକୁ ପଢ଼ିବାକୁ ଆସୁଥିଲେ। ପରବର୍ତ୍ତୀ ସମୟରେ ଏଠାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେଲା। ପରେ ହାଇସ୍କୁଲ ପାଇଁ ଗାଁରେ ସ୍ଥାନାଭାବ ପଡ଼ିବାରୁ ଚକେଇସିହାଣୀ ମଉଜାରେ ମଞ୍ଚନାଥଦେବ ହାଇସ୍କୁଲ ଗ୍ରାମବାସୀଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଛି। ୮୦ ଦଶକରେ ଗାଁରେ ଅନ୍ୟୂନ ଦଶଜଣ ଗ୍ରାଜୁଏଟ୍ ଥିଲେ ବୋଲି ଗାଁ ଲୋକମାନେ କହିଛନ୍ତି।
କୁଆଖାଇ ଦେଉଥିଲା ଜୀବନ-ଜୀବିକା
୫୦ ବର୍ଷ ତଳେ, ଗାଁ ଚତୁଃପାର୍ଶ୍ବରେ ସବୁଜ ସୁନ୍ଦର କ୍ଷେତ ଥିଲା। କ୍ଷେତକୁ ଲାଗି ଘଞ୍ଚ ଜଙ୍ଗଲ। ଉତ୍ତରରେ କୁଆଖାଇ ନଦୀ ବୋହିଯାଉଥିଲା। ସେତେବେଳେ ଲୋକମାନଙ୍କ ପାଇଁ ଜୀବନ ଓ ଜୀବିକା ନିର୍ବାହରେ କୁଆଖାଇ ନଦୀର ପ୍ରମୁଖ ଭୂମିକା ଥିଲା। ନଦୀ ପାଣିକୁ ଲୋକମାନେ ପିଇବାଠାରୁ ଆରମ୍ଭ କରି ରୋଷେଇବାସ, ଚାଷ କାର୍ଯ୍ୟ; ସବୁଥିରେ ବ୍ୟବହାର କରୁଥିଲେ। ସେହିଭଳି ଗାଁର ସବୁ ଘର ଚାଳଛପର ଆଟୁଦୋପରୀ ଘର ଥିଲା। ଗାଁର ଗଠନଶୈଳୀ ଅନୁସାରେ ଗୋଟିଏ ପାର୍ଶ୍ବରେ ପ୍ରବେଶ ଓ ଗୋଟିଏ ପାର୍ଶ୍ବରେ ପ୍ରସ୍ଥାନ ଥିଲା। ଗାଁ ଭିତରକୁ ପଶିବା କିମ୍ବା ବାହାରିବା ପାଇଁ ଅନ୍ୟତ୍ର ରାସ୍ତା ନଥିଲା। ଗାଁ ସାରା ପ୍ରତିଟି ଘରର ପିଣ୍ଡା ପ୍ରତି ଘରକୁ ଲାଗି ଲାଗି ଥିଲା। ଗୋଟିଏ ପିଣ୍ଡାରେ ଜଣେ ଚଢ଼ି ଚାଲିବା ଆରମ୍ଭ କଲେ ତାକୁ ରାସ୍ତାକୁ ଓହ୍ଲାଇବାକୁ ପଡ଼ୁନଥିଲ। ସେ ସିଧା ଗାଁ ଶେଷମୁଣ୍ଡରେ ପହଞ୍ଚି ଯାଉଥିଲା। ପାଖରେ ଜଙ୍ଗଲ ଥିବାରୁ ବନ୍ୟଜନ୍ତୁ ଭୟରେ ସଂଧ୍ୟା ହେଉ ହେଉ ସମସ୍ତଙ୍କ ଘରେ ତାଟିକବାଟ ପଡ଼ି ଯାଉଥିଲା।
୨୦ ଖଣ୍ଡ ଗାଁରୁ ଭୋଗ ଖାଆନ୍ତି ମଞ୍ଚନାଥଦେବ
ଗାଁ ତଥା ଆଖପାଖ ମଉଜାର ଇଷ୍ଟଦେବ ପ୍ରଭୁ ମଞ୍ଚନାଥ। ପଟିଆ ରାଜା ମଧ୍ୟ ମଞ୍ଚନାଥଦେବଙ୍କୁ ଆରାଧ୍ୟ ଦେବତା ଭାବେ ପୂଜାର୍ଚ୍ଚନା କରୁଥିଲେ। ପ୍ରଭୁ ଆଖାପାଖ ୨୦ ଖଣ୍ଡ ଗାଁକୁ ଭୋଗ ଖାଇବାକୁ ଯାଉଥିଲେ। ତେବେ, କେଉଁ କାଳରୁ ପ୍ରଭୁ ଏଠାରେ ପୂଜା ପାଇ ଆସୁଛନ୍ତି, ସେ ସଂପର୍କରେ ଗାଁର ପୁରୁଖା ଲୋକ ବି କିଛି ମତ ଦେଇପାରୁନାହାନ୍ତି। ଗ୍ରାମଦେବତୀ ମା’ ଜାଗୁଳେଇଙ୍କ ନିକଟରେ କୁଆଖାଇ ନଦୀରେ ଚାଲୁଥିବା ଡଙ୍ଗାଗୁଡ଼ିକର ମଙ୍ଗ ପୂଜା ହୁଏ। ଗାଁରେ ଥିବା ସପ୍ତସତୀ ମନ୍ଦିର, ଦୁଲାଦେଇ ମନ୍ଦିର, ବାସେଳୀ ମନ୍ଦିର, ମଙ୍ଗଳା ମନ୍ଦିର, ତ୍ରିନାଥ ମନ୍ଦିର ଆଦି ପରେ ଗ୍ରାମବାସୀଙ୍କ ଦ୍ବାରା ତିଆରି ହୋଇଛି।