ମଞ୍ଚେଶ୍ବର-କାନପୁର ରାସ୍ତାରୁ ଜବର ଦଖଲ ଉଚ୍ଛେଦ ପାଇଁ ଜନସ୍ବାର୍ଥ ମାମଲା

କଟକ : ଭୁବନେଶ୍ବର ମଞ୍ଚେଶ୍ବର ଠାରୁ କାନପୁର ପର୍ଯ୍ୟନ୍ତ ଯାଇଥିବା ପିଡବ୍ଲ୍ୟୁଡି ରାସ୍ତାରେ ନିର୍ମାଣ କରାଯାଇଥିବା ହମ୍ପସ୍ ଗୁଡିକ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାରେ ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୯କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ସରକାର ଜବାବ ରଖିବେ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍. ଜାଭେରୀ ଓ ଜଷ୍ଟିସ କେ.ଆର୍. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଚ୍ୟୁତାନନ୍ଦ ସ୍ବାଇଁଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ବାଇଁ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ମଞ୍ଚେଶ୍ବର ଠାରୁ କାନପୁର ଯାଇଥିବା ରାସ୍ତାରେ ବଡ଼ ଉଚ୍ଚ ହମ୍ପସ୍ ନିର୍ମାଣ କରାଯାଇଥିବାରୁ ନିୟମିତ ଦୁର୍ଘଟଣା ହେଉଛି ବୋଲି ଆବେଦନରେ ଦର୍ଶାଯାଇଛି। ମଞ୍ଚେଶ୍ବର, ଜରିପାଟଣା, ବରିମୁଣ୍ଡ, କଲ୍ୟାଣପୁର, ଗଣ୍ଡରପୁର, ଖଇରାପଡା, କଣ୍ଟୋଣିଆ, ବାଲିପାଡ଼ା, କେନ୍ଦୁପାଟଣାର ବାସିନ୍ଦାମାନେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ହମ୍ପସ୍ ଯୋଗୁ ସମସ୍ୟାରେ ପଡୁଛନ୍ତି। ଏଥିସହିତ ଏହି ରାସ୍ତାରେ ଜବରଦଖଲ ଓ ବେଆଇନ ନିର୍ମାଣ ସମସ୍ୟା ମଧ୍ୟ ଗୁରୁତର ସ୍ଥିତିରେ ପହଞ୍ଚିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ଭୁବନେଶ୍ବର ଆର ଆଣ୍ଡ ବି ଡିଭିଜନ୍-୪ର ନିର୍ବାହୀ ଯନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲାପାଳ, ଭୁବନେଶ୍ବର ଡିସିପି, ବିଏମସି କମିସନର ଓ ମଞ୍ଚେଶ୍ବର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର