ଅର୍ଥ ହରିଲୁଟ ଅଭିଯୋଗ: ସିବିଆଇ କାର୍ଯ୍ୟାଳୟ ଘେରିଲେ କିନ୍ନର

ଭୁବନେଶ୍ବର: ବିଭିନ୍ନ ଯୋଜନାରେ କିନ୍ନରମାନଙ୍କ ପାଇଁ ଆସିଥିବା ୧କୋଟିରୁ ଊର୍ଦ୍ଧ୍ବ ଟଙ୍କାକୁ ମୀରା ପରିଡ଼ା, ମେଘନା ସାହୁ ହରିଲୁଟ୍ କରିଛନ୍ତି। ଏହି ଅଭିଯୋଗରେ ଅଲ୍ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗି ମହାସଂଘ ବୁଧବାର ସିବିଆଇ କାର୍ଯ୍ୟାଳୟ ଘେରାଉ କରିଛି। ମହାସଂଘ ସିବିଆଇ ଏସ୍‌ପିଙ୍କୁ ୮ଦଫା ଦାବିପତ୍ର ଦେବାସହ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛି। ମହାସଂଘ ସଭାପତି ସୁଇଟି ସାହୁଙ୍କ ନେତୃତ୍ବରେ ଶତାଧିକ କିନ୍ନର ସିବିଆଇ କାର୍ଯ୍ୟାଳୟ ଘେରିବା ସହ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ, ବିଜେଡିର ସାଂଗଠନିକ ସମ୍ପାଦକ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବିପତ୍ର ପ୍ରଦାନ କରିଛନ୍ତି।

ସଂଘର ଦାବି ଅନୁଯାୟୀ ୧୮ଟି ଜିଲ୍ଲାରୁ କିନ୍ନରଙ୍କର ୧କୋଟିରୁ ଅଧିକ ଟଙ୍କା ଅତ୍ମସାତ କରିଥିବା ‘ସଖା’ ‘ସିଫା’ର ଏନଜିଓକୁ ସିବିଆଇ ତଦନ୍ତ ପରିସରଭୁକ୍ତ କରିବା, ସଖା ଓ ସିଫାର ସଂଗଠନ ଷ୍ଟେଟ୍ ଏଡ୍‌ସ ସେଲରୁ ଏଡ୍‌ସ ପ୍ରୋଜେକ୍ଟ ନାମରେ ୧୦ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ଥିବାରୁ ସଂଗଠନକୁ କିପରି ରାଜ୍ୟ ସରକାରଙ୍କ ତରଫରୁ ‘ସ୍ବୀକୃତି’ ପ୍ରୋଜେକ୍ଟ ପ୍ରଦାନ କରାଯାଇଛି ତା’ର ତଦନ୍ତ କରିବା,ସିଫାର ଏନ୍‌ଜିଓ ଓ କିନ୍ନରବିରୋଧୀ ମୀରା ପରିଡ଼ା ,ମେଘନା ସାହୁଙ୍କୁ ସିବିଆଇ ତଦନ୍ତ ପରିସରଭୁକ୍ତ କରିବା, ଭଦ୍ରକ ଜିଲ୍ଲାରେ ହୋଇଥିବା ୨କିନ୍ନର ଗୋଷ୍ଠୀର ଗଣ୍ଡଗୋଳର ତଦନ୍ତ କରିବା, କିନ୍ନରମାନଙ୍କୁ ଥଇଥାନ ପାଇଁ ଖଦିବୋର୍ଡରୁ ଆସିଥିବା ୨୫ଲକ୍ଷ ଟଙ୍କାର ତଦନ୍ତ କରିବା, ଭୁବନେଶ୍ବର ମହାନଗର ନିଗମରୁ ସାଇକେଲ ଷ୍ଟାଣ୍ଡରୁ ଅର୍ଥ ଆଦାୟ କରିବାକୁ ଅନୁମତି ପାଇଥିବା କିନ୍ନର ଗୋଷ୍ଠୀଙ୍କୁ ସିବିଆଇ ତଦନ୍ତ ପରିସରଭୁକ୍ତ କରିବା, ବିଦେଶରୁ କିନ୍ନରମାନଙ୍କ ନାମରେ ଯେଉଁ ସାମାଜିକ ସଂଗଠନମାନେ ଟଙ୍କା ଆଣିଛନ୍ତି ତାଙ୍କୁ ସିବିଆଇ ତଦନ୍ତ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। କାର୍ଯ୍ୟକ୍ରମରେ ସଙ୍ଗଠନର ଉପସଭାନେତ୍ରୀ ମେନକା ପରିଡ଼ା, ସମ୍ପାଦିକା ରାଧା କିନ୍ନର, ମିଠି, କୁମ୍‌କୁମ୍, ସୋନାଲି, କାଜଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର