ଭୁବନେଶ୍ବର: ରାଜଧାନୀ ବଜାରକୁ ଆସିଲାଣି ସୁନ୍ଦରୀ, ଅର୍କ, ଗୁଲାପଖସ। ପାଖାପାଖି ଗୋଟିଏ ସପ୍ତାହରୁ ଊର୍ଧ୍ବ ସମୟ ହେଲା ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁରୁ ଆସି ରାଜଧାନୀ ବଜାରକୁ କବ୍‌ଜା କଲାଣି ଏହି ପ୍ରଜାତିର ଆମ୍ବ। ମଜା ନେବାକୁ ଚାହିଲେ ୧୮୦ ରୁ ୨୦୦ ଟଙ୍କା ଦେବାକୁ ପଡ଼ୁଛି। ତେଣୁ ଅଧିକାଂଶ ଗ୍ରାହକ ସେମାନଙ୍କ ପାଖ ମାଡ଼ିପାରୁ ନାହାନ୍ତି। ପଣା ସଂକ୍ରାନ୍ତି ପରେ ମୂଲ୍ୟ କମିବ ଏବଂ ବିକ୍ରି ବଢ଼ିବ ବୋଲି ଆଶା କରିଛନ୍ତି ରାଜ୍ୟ ପରିବା ବଜାର ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ବାଇଁ। ଚଳିତ ବର୍ଷ ଆମ୍ବ ଉତ୍ପାଦନ ଗତବର୍ଷଠାରୁ ୪୦ ପ୍ରତିଶତରୁ ଅଧିକ ବଢ଼ିବା ନେଇ ପୂର୍ବାନୁମାନ ଥିବାରୁ ଗ୍ରାହକଙ୍କ ନଜର କିନ୍ତୁ ଓଡ଼ିଶା ଆମ୍ବ ଉପରେ ରହିଛି। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଆମ୍ବ ଫଳିଥିଲେ ମଧ୍ୟ ସହରକୁ ଆସିପାରି ନାହିଁ।

Advertisment

କୃଷି ବିଭାଗର ସୂଚନା ଅନୁସାରେ ଓଡ଼ିଶାରେ ସମୁଦାୟ ୨୫ ଲକ୍ଷ ୩୧ ହଜାର ୫୩୪ ମେଟ୍ରିକ୍‌ ଟନ୍‌ର ଫଳ ଉତ୍ପାଦିତ ହୁଏ। ଏଥିରୁ କେବଳ ଆମ୍ବ ଭାଗ ଅଟେ ୮ ଲକ୍ଷ ୫୦ ହଜାର ୨୯୮ ମେଟ୍ରିକ୍‌ ଟନ୍‌। ଦେଶର ସମୁଦାୟ ଆମ୍ବ ଉତ୍ପାଦନର ୪.୦୬ ପ୍ରତିଶତ ଓଡ଼ିଶାର ଅଟେ। ରାଜ୍ୟର ସ୍ଥାନ ଅଷ୍ଟମ ହୋଇଥିଲେ ମଧ୍ୟ ଓଡ଼ିଶା ବଜାରକୁ ଦକ୍ଷିଣ ଭାରତର ଆମ୍ବ କବ୍‌ଜା କରିଛି। ଏଣେ କିନ୍ତୁ ଓଡ଼ିଶାର ଆମ୍ବ ମଧ୍ୟ ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ ଉତ୍ତରଭାରତକୁ ଯାଉଛି। ପ୍ରତିବର୍ଷ ଏପ୍ରିଲ୍‌ ଅନ୍ତିମ ସପ୍ତାହରୁ ଆମ୍ବ ବିକ୍ରି ହୋଇଥାଏ। କିନ୍ତୁ ଚଳିତ ବର୍ଷ ଗୋଟିଏ ମାସ ଆଗୁଆ ଫଳିବା ଆରମ୍ଭ ହୋଇଛି। କୃଷି ବୈଜ୍ଞାନିକ ଗୋବିନ୍ଦ ଆଚାର୍ଯ୍ୟଙ୍କ ଅନୁସାରେ ଏପ୍ରିଲ୍‌ରୁ ମେ’ ୧୫ ମଧ୍ୟରେ ଆସୁଥିବା ସଅଳ, ମେ ଅନ୍ତିମ ସପ୍ତାହରୁ ଜୁନ୍‌ ମଧ୍ୟମ ଏବଂ ଏହାପରେ ଦୀର୍ଘକାଳୀନ ଆମ୍ବ ଆସେ। ଓଡ଼ିଶା ବଜାରକୁ ପ୍ରତିବର୍ଷ ଦସେରି, ଆମ୍ରପାଲି, ବାଇଗଣପଲେଇ, କେଶରୀ, ତୋଟାପୁରୀ, ଲଟାସୁନ୍ଦରୀ, ମଲ୍ଲିକା, ସୁବର୍ଣ୍ଣରେଖା ଭଳି ବିଭିନ୍ନ ପ୍ରକାର ଆମ୍ବ ଆସିଥାଏ। କିନ୍ତୁ ଅଧିକାଂଶ ଓଡ଼ିଆ ଚାଷୀ କେବଳ ଆମ୍ରପାଲି ହିଁ ଉତ୍ପାଦନ କରନ୍ତି। ଯାହା ମେ ୧୫ରୁ ୨୦ ପରେ ହିଁ ଆସିଥାଏ।

ତେଣୁ ମେ ୧୫ ପରେ ରାଜ୍ୟରେ ଆମ୍ବର ଗୋଟିଏ ବଡ଼ ବଜାର ସୃଷ୍ଟି ହେବ ବୋଲି ଆଶା ରହିଛି। ଗୋଟିଏ ପ୍ରକାର ଆମ୍ବ ଚାଷ କରାନଯାଇ ଦସେରି, ବାଇଗଣପଲେଇ, ମଲ୍ଲିକା ପାଇଁ ପ୍ରୋତ୍ସାହନ ସହିତ ଆମ୍ବର ବିବିଧିକରଣକୁ ଗୁରୁତ୍ବ ଦେବା ପାଇଁ କୃଷି ବୈଜ୍ଞାନିକମାନେ ପରାମର୍ଶ ଦେଉଛନ୍ତି। ସରକାରଙ୍କ ପକ୍ଷରୁ ଏଥିପାଇଁ ବିଭିନ୍ନ ପ୍ରକାର ରିହାତି ଦିଆଯାଉଛି। ଓଡ଼ିଶାରେ ଗୋଟିଏ ପ୍ରକାର ରୋଗ ଅଛି, ଯେଉଁଥିପାଇଁ ଫଳରେ କଳା ଦାଗ ଲାଗିଯାଏ। ଯାହା ବିଭିନ୍ନ ସମୟରେ ଚାଷୀଙ୍କ ପାଇଁ ଆହ୍ବାନ ଅଟେ। ଏହି ରୋଗରୁ ଆମ୍ବକୁ କେମିତି ସୁରକ୍ଷିତ ରଖାଯିବ, ସେଥିପାଇଁ ବିଭିନ୍ନ ପ୍ରକାର ପରାମର୍ଶ ଦିଆଯାଉଛି। ଓର୍‌ମାସ ମାର୍କେଟିଂ ଅଧିକାରୀ ସୁଜୟ କର କହିଛନ୍ତି ଯେ ଓର୍‌ମାସ ପକ୍ଷରୁ ଗତବର୍ଷ ଓଡ଼ିଶା ଆମ୍ବ ସଫଲ ଏବଂ ଦିଲ୍ଲୀକୁ ପଠାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଆମ୍ବ ବଜାର କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ମାର୍କେଟିଂ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରସ୍ତୁତି ହୋଇନାହିଁ। ରାଜ୍ୟରେ କେତେ ଉତ୍ପାଦନ ହେବ ଏବଂ ଓର୍‌ମାସ ପକ୍ଷରୁ କେତେ ମାର୍କେଟିଂ ହେବ, ତା’ର ମଧ୍ୟ ରିପୋର୍ଟ ନଥିବାରୁ ବର୍ତ୍ତମାନ ଏହାକୁ ନେଇ କୁହାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।