ଆମ୍ବ ବଜାର ମାନ୍ଦା: ପଚୁଛି, ଫିଙ୍ଗା ହେଉଛି; ଲକ୍‌ଡାଉନ୍ ଉଠିବା ଅପେକ୍ଷାରେ ବେପାରୀ

ଭୁବନେଶ୍ବର : ଚଳିତବର୍ଷ ଆମ୍ବ ଅମଳ ଭଲ ହୋଇଛି। ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ପ୍ରାୟ ୨୦ ଶତକଡ଼ା ଆମ୍ବ ଅମଳ ବଢ଼ିଛି। କିନ୍ତୁ ବଜାର ମାନ୍ଦା। ଠିକ୍‌ ବିକ୍ରି ସମୟରେ କରୋନା ଲକ୍‌ଡାଉନ୍‌ ଆମ୍ବ ବଜାର ଉପରେ ଚଡ଼କ ପକାଇଛି। ଫଳରେ ବିକ୍ରି ହୋଇ ନପାରି ବେପାରୀଙ୍କ ପାଖରେ ପ୍ରଚୁର ଆମ୍ବ ପଛି ସଢ଼ି ନଷ୍ଟ ହେଉଛି। ତେଣୁ ବେପାରୀ ଏବେ ଲକ୍‌ଡାଉନ୍‌ ଉଠିବା ଅପେକ୍ଷା‌ରେ ରହିଛନ୍ତି।

ବ୍ୟବସାୟୀମାନଙ୍କ କହିବା କଥା, ସକାଳ ୭ଟାରୁ ୧୧ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ରହିଛି। ମାତ୍ର ଚାରି ଘଣ୍ଟାର ବେପାର। ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସମୟ ନିଅଣ୍ଟ ପଡ଼ୁଛି। ଏଣେ ଲକ୍‌ଡାଉନ୍‌ ଯୋଗୁଁ ବହୁ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି। ତେଣୁ ସ୍ବାଭାବିକ ଭାବେ ଫଳ ବେପାର ମାନ୍ଦା ରହୁଛି। ତେବେ ଆମ୍ବ କଥା ଭିନ୍ନ। ଏହା କେବଳ ବର୍ଷକୁ ଏହି ଋତୁରେ ହିଁ ମିଳେ। ତେଣୁ ଲୋକଙ୍କ ଆଗ୍ରହ ରହିଛି। କିନ୍ତୁ ବଜାର କଟକଣା ଓ ଲୋକଙ୍କ ରୋଜଗାର ହ୍ରାସ ଚଳିତ ବର୍ଷ ଆମ୍ବ ବେପାରକୁ ପୂରା ମାନ୍ଦା କରିଦେଇଛି। ୟୁନିଟ୍-୧ ହାଟର ଆମ୍ବ ବ୍ୟବସାୟୀ ରଞ୍ଜନ ପ୍ରଧାନଙ୍କ କହିବାନୁଯାୟୀ ଗୋଦାମରୁ ୫ ଟ୍ରେ’ ଆମ୍ବ ଆଣିଲେ ବି ସବୁ ବିକ୍ରି ହୋଇପାରୁନାହିଁ। ବହୁ ଆମ୍ବ ନଷ୍ଟ ହୋଇଯିବାରୁ ପିଙ୍ଗିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ପୂର୍ବରୁ ୨୦ ଟ୍ରେ ଆମ୍ବ ବିକ୍ରି ହେଉଥିବା ସ୍ଥାନରେ ଏବେ ୫ ଟ୍ରେ’ ଆମ୍ବ ସରୁନି। ଅମଳ ଓ ବିକ୍ରି ମଧ୍ୟରେ ବହୁ ଫରକ ଡୁମଡୁମାସ୍ଥିତ କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ ସଂସ୍ଥାନରେ ଏବର୍ଷ ଆମ୍ବ ଅମଳ ଭଲ ହୋଇଛି। ଫାର୍ମ ସୁପରିନ୍‌ଣ୍ଟେଣ୍ଡେଣ୍ଟ ଡ. ସୁଶାନ୍ତ କୁମାର ଜଟଙ୍କ ସୂଚନାନୁସାରେ, ସେଠ‌ାରେ ୨୫ପ୍ରଜାତିର ୧୫୦୦ରୁ ଅଧିକ ଆମ୍ବ ଗଛ ରହିଛି। ଏବର୍ଷ ୨୦ଟନ୍‌ରୁ ଅଧିକ ଆମ୍ବ ଅମଳ ହେବ ବୋଲି ଆକଳନ କରାଯାଇଛି। ତେଣୁ ୫.୬୦ ଲକ୍ଷ ଟଙ୍କାରେ ଟେଣ୍ଡର୍‌ ଦିଆଯାଇଛି। ଏହି ଅମଳ ଏକ ଭଲ ରେକର୍ଡ ବୋଲି ସେ କହିଛନ୍ତି।

ସେହିପରି ଆଇଗଣିଆସ୍ଥିତ କେନ୍ଦ୍ରୀୟ କୃଷି ଉଦ୍ୟାନ ପରୀକ୍ଷା କେନ୍ଦ୍ରରେ ୩୭୦ଟନ୍‌ ଆମ୍ବ ଅମଳ ହେବ ବୋଲି ଆକଳନ କରାଯାଇଛି। ପ୍ରଧାନ ବୈଜ୍ଞାନିକ ଡ. କୁନ୍ଦନ କିଶୋରଙ୍କ ସୂଚନାନୁସାରେ, ଏଠାରେ ୪ ହଜାରରୁ ଅଧିକ ପ୍ରାୟ ୫୦ ପ୍ରକାରର ଆମ୍ବଗଛ ରହିଛି। ଚଳିତ ବର୍ଷ ୧୫ଲକ୍ଷ ଟଙ୍କାରେ ଟେଣ୍ଡର୍‌ ଦିଆଯାଇଛି। ଏବେ ପ୍ରତିଦିନ ୪୦ରୁ ୫୦କୁଇଣ୍ଟାଲ ଆମ୍ବ ତୋଳା ହେଉଛି। କିଲୋ ପିଛା ୫୦ଟଙ୍କାରୁ ଆରମ୍ଭ କରି ୧୫୦ଟଙ୍କା ପର୍ଯ୍ୟନ୍ତ ରହିଛି। ଟେଣ୍ଡର ନେଇଥିବା ମୁକ୍ତାର ଅଲ୍ଲୀଙ୍କ କହିବାନୁଯାୟୀ, ଲକଡାଉନ ଯୋଗୁଁ ଅଳ୍ପ ସମୟ ଦୋକାନ ଖୋଲା ରହୁଥିବାରୁ ବିକ୍ରି ମାନ୍ଦା ହେଉଛି ଓ ବହୁ ଆମ୍ବ ନଷ୍ଟ ହେଉଛି।

ସମ୍ବନ୍ଧିତ ଖବର