ଭୁବନେଶ୍ବର: ମଣିପୁର ହିଂସାକାଣ୍ଡ ଓ ମହିଳାଙ୍କୁ ଉଲଗ୍ନ ଚଲାଇବା ମାମଲା ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଛି। ମହିଳାଙ୍କ ପ୍ରତି ଏଭଳି ଆଚରଣ ପ୍ରତିବାଦରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ବରେ ଆୟୋଜିତ ଏହି ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ରାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ରାମ ମନ୍ଦିରଠାରେ ଛାତ୍ର କଂଗ୍ରେସର ସମସ୍ତ କର୍ମକର୍ତ୍ତା ଓ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତୃବୃନ୍ଦ କ୍ୟାଣ୍ଡେଲ ଜଳାଇ ମଣିପୁର ହିଂସାରେ ପ୍ରାଣ ହରାଇଥିବା ଜନତାଙ୍କ ଆତ୍ମାର ସଦ୍ଗତି କାମ କାମନା କରିଥିଲେ। ମଣିପୁରରେ ଶୀଘ୍ର ହିଂସା ବନ୍ଦ ହେବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ।
ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ମଣିପୁର ଓ ଦେଶରେ ମୋଦୀ ଶାସନରେ ମହିଳାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ହିଂସାକାଣ୍ଡର ଗୋଟିଏ ଦିନ ପରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଦୁର୍ବୃତ୍ତମାନେ ଚଲାଇଥିଲେ। ଏହି ଘଟଣାକୁ ଚପାଇ ଦିଆଯାଇଥିଲା। ଏହାର ୨ମାସ ପରେ ଭିଡିଓ ଭାଇରାଲ୍ ହେବା ପରେ ସ୍ଥାନୀୟ ସରକାର ଓ କେନ୍ଦ୍ର ସରକାରଙ୍କ ଅସଲ ରୂପ ଦେଶବାସୀ ଦେଖିଲେ। ମହିଳାଙ୍କ ସୁରକ୍ଷା ପ୍ରତି ମୋଦୀ ସରକାର ଉଦାସୀନ। କଂଗ୍ରେସ ଦଳ ସବୁବେଳ ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପ୍ରତି ସଚେତନ ଥାଏ। କିନ୍ତୁ ମୋଦୀ ସରକାରରେ ଏହାର ଅଭାବ ଦେଖିବାକୁ ମିଳୁଛି ବୋଲି ଉପସ୍ଥିତ କର୍ମକର୍ତ୍ତାମାନେ ଦାବି କରିଥିଲେ।
ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ ରାଉତରାୟ, ଶିବାନନ୍ଦ ରାୟ, ମାନସ ଚୌଧୁରୀ, ନବଜ୍ୟୋତି ପଟ୍ଟନାୟକ, ବିଶ୍ବଜିତ ଦାସ, ସୁବ୍ରତ ମହାପାତ୍ର, ଅଜୟ ସାହୁ, ମହମ୍ମଦ ଗୁଲ୍ଫାନ, ଉପାସନା ମିଶ୍ର, ରାଜଦୀପ ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ସିପିଆଇ ପକ୍ଷରୁ ମଣିପୁର ସଂହତି ଦିବସ
ଭୁବନେଶ୍ୱର: ଆଜି ଭୁବନେଶ୍ବରରେ ସିପିଆଇ ପକ୍ଷରୁ ମଣିପୁର ସଂହତି ଦିବସ ପାଳିତ ହୋଇଯାଇଛି। ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ରିଲିଫ୍ କ୍ୟାମ୍ପରେ ଥିବା ଲକ୍ଷାଧିକ ଲୋକଙ୍କ ଥଇଥାନ ଦାବିରେ ଏହି ଦିବସ ପାଳିତ ହୋଇଯାଇଛି। ଏଥିସହିତ ମଣିପୁରର ଲୋକଙ୍କୁ ସମବେଦନା ଜଣାଇବା ପାଇଁ ସେଠାକୁ ଯାଇଥିବା ଭାରତୀୟ ମହିଳା ଫେଡେରେସନର ସାଧାରଣ ସଂପାଦିକା ଆନ୍ନି ରାଜା ଓ ଅନ୍ୟ ନେତାଙ୍କ ବିରୋଧରେ ଯେଉଁ ଦେଶଦ୍ରୋହ ଅଭିଯୋଗ ଅଣାଯାଇଛି, ତାହାକୁ ପ୍ରତ୍ୟାହାର କରିବା ସହ ମାମଲାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଆଦି ଦାବି କରି ସିପିଆଇ ଏହି ସଂହତି ଦିବସ ପାଳନ କରିଛି। ଏହି ଅବସରରେ ଦଳର ଜୋନ୍ ସଂପାଦକ ସୁର ଜେନାଙ୍କ ନେତୃତ୍ୱରେ ସିପିଆଇ ନେତା ଓ କର୍ମୀମାନେ ଭଗବତୀ ଭବନରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଥିଲେ। ମଣିପୁର ହିଂସା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ଦାୟୀ ବୋଲି ଦଳ ପକ୍ଷରୁ କୁହାଯାଇଛି। ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ସେଠାକୁ ନଯାଇ ବିଦେଶ ଗସ୍ତ କରିଥିଲେ। ଏଥିରୁ ମଶିପୁର ରାଜ୍ୟ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅବହେଳା ସ୍ପଷ୍ଟ ଜଣାପଡ଼ିଛି ବୋଲି ସିପିଆଇ ଅଭିଯୋଗ କରିଛି। ଏହି ଶୋଭାଯାତ୍ରାରେ ବସନ୍ତ ପାଇକରାୟ, ବିଜୟ ମହାନ୍ତି, ପ୍ରମୋଦିନୀ ପାଇକରାୟ, ସତୀଶ ମିଶ୍ର, ସଂଘମିତ୍ରା ଜେନା, ନୃସିଂହ ବେହେରା, ଶଙ୍କର ବାରିକ, କୈଳାଶ ପୁହାଣ, ସର୍ବେଶ୍ୱର ମାର୍ଥା ପ୍ରମୁଖ ଯୋଗ ଦେଇଥିଲେ।
ଆପ୍ର ଧାରଣା
ଭୁବନେଶ୍ୱର: ମଣିପୁର ହିଂସା ପ୍ରତିବାଦରେ ଆମ୍ ଆଦମି ପାର୍ଟି ଓଡ଼ିଶା ପକ୍ଷରୁ ଆଜି ଲୋୟର ପିଏମଜିରେ ଧାରଣା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ତଫା ଓ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି। ମଣିପୁରରେ ଦୀର୍ଘ ତିନି ମାସ ଧରି ଚାଲିଥିବା ହିଂସାକୁ ରୋକିବାରେ ବିଜେପି ସରକାରର ବିଫଳ ହୋଇଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ସାମାଜିକ ଗଣମାଧ୍ୟମରୁ ମଣିପୁର ହିଂସା ସମ୍ପର୍କିତ ଭିଡିଓ ହଟାଇବା ସହିତ ସଂସଦରେ ଏ ସମ୍ପର୍କରେ ଆଲୋଚନା ନ କରିବା ପାଇଁ ଆପ୍ର ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହକୁ ପୂରା ଅଧିବେଶନରୁ ବହିସ୍କୃତ କରାଯିବା ବିଜେପି ସରକାରର ବିଫଳତାକୁ ସ୍ପଷ୍ଟ କରୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହି ପ୍ରତିବାଦ ସଭାରେ ଦଳର ରାଜ୍ୟ ସାଧାରଣ ସଂପାଦକ ସୌମ୍ୟରଞ୍ଜନ ସ୍ୱାଇଁ, ସୁବାସ ରାଉତ, ସଞ୍ଜୀବ ମହାନ୍ତି, ଦୁର୍ଗା ପରିଡ଼ା, ଆଶିଷ ପାଣ୍ଡେ, ଦେବାଶିଷ ପାଣିଗ୍ରାହୀ, ସନ୍ଦୀପ୍ତ ଦାସ, ମନୋଜ ମହାନ୍ତି, ମାନସ ପଣ୍ଡା, ଅନୁପମା ସେଠୀ, ଅମିୟ ଶର୍ମା, ସୋମନାଥ ରାଉତ, ଶ୍ରୀଧର ସାହୁ, ସୁନୀଲ ଷଡ଼ଙ୍ଗୀ, ଜୟସୂର୍ଯ୍ୟ କାନୁନଗୋ, ଲିପୁନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।