ରିମାଣ୍ଡରେ ଆଣି ୩ ଅଭିଯୁକ୍ତଙ୍କୁ ମାରାଥନ୍ ଜେରା: ପୋଖରୀ କୂଳରେ ହିଁ ମନୀଷଙ୍କୁ ମାରିଥିଲେ

ମନୀଷ ଅନୁରାଗ ହତ୍ୟା ମାମଲା

ଭୁବନେଶ୍ୱର : ପାତ୍ରପଡ଼ା ନମ୍ରକାଣି ପୋଖରୀ କୂଳରେ ହିଁ ମନୀଷଙ୍କୁ ହତ୍ୟା କରାଯାଇଥିଲା। ହୋଟେଲ ସାଉଥ୍‌ସିଟି ବାର୍‌ରୁ ବାହାରି ଗଣ୍ଡଗୋଳ ହେବା ପରେ ମନୀଷ ଓ ୩ ଅଭିଯୁକ୍ତ କିଛି ବାଟ ଗୋଡ଼ାଗୋଡ଼ି ହୋଇଥିଲେ। ଏହାପରେ ସମସ୍ତେ ପୋଖରୀ କୂଳରେ ପହଞ୍ଚିଥିଲେ। ଆଉ ସେଠାରେ ମନୀଷଙ୍କୁ ହତ୍ୟା କଲା ପରେ ତାଙ୍କ ଶବକୁ ପୋଖରୀକୁ ଫିଙ୍ଗି ଦେଇଥିଲେ। ଆଜି ୩ ଅଭିଯୁକ୍ତଙ୍କୁ ମାରାଥନ୍ ଜେରାବେଳେ ପୁଲିସ ଆଗରେ ସେମାନେ ଏହି ସତ ଉଗାରିଛନ୍ତି। ତେବେ ମନୀଷଙ୍କୁ ସେମାନେ କେମିତି ହତ୍ୟା କଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରୁନାହିଁ। ତେଣୁ ପୂରା ରହସ୍ୟ ଖୋଲିବା ପାଇଁ ପୁଲିସ ସେମାନଙ୍କ ମିଛଧରା ପରୀକ୍ଷା କରିପାରେ ବୋଲି କୁହାଯାଉଛି। ସେଥିରୁ ଯେଉଁ ତଥ୍ୟ ମିଳିବ ସେହି ଅନୁସାରେ ତଦନ୍ତକୁ ଆହୁରି ଆଗକୁ ନେବା ସହ ଏହି ସମ୍ବେଦନଶୀଳ ମାମଲାରେ ଅଧିକ ପ୍ରମାଣ ଯୋଗାଡ଼ କରିବାକୁ ଚିନ୍ତା କରୁଛି ପୁଲିସ।

 

କେମିତି ମାରିଲେ କହୁ ନାହାନ୍ତି
ହୋଇପାରେ ମିଛଧରା ପରୀକ୍ଷା
ହତ୍ୟାସ୍ଥଳରେ ଆଜି ହୋଇପାରେ ଡେମୋ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କୁ ହତ୍ୟା ମାମଲାରେ ସବିଶେଷ ତଥ୍ୟ ହାସଲ କରିବାକୁ ତିନି ଅଭିଯୁକ୍ତ ଅମ୍ରିତ ପ୍ରୀତମ ବିଶ୍ବାଳ, ଦୀନେଶ କୁମାର ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ଆଜି ୪ ଦିନିଆ ରିମାଣ୍ଡରେ ଆଣିଛି ପୁଲିସ। ଝାରପଡ଼ା ଜେଲ‌ରୁ ଅଣାଯିବା ପରେ ଅପରାହ୍ନ ଗୋଟାଏରୁ ସମସ୍ତଙ୍କୁ ସ୍ପେସାଲ ସ୍କ୍ବାଡ୍, ଇନଫୋସିଟି ଥାନାକୁ ନେଇ ମିଳିତ ଟିମ୍ ମାରାଥନ୍ ଜେରା କରୁଛି। ଏବେ ସୁଦ୍ଧା ହୋଇଥିବା ଜେରାରୁ ଅମ୍ରିତ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ ଜାଣିବାକୁ ପାଇଛି। ତେଣୁ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ହାସଲ ଲାଗି ଅମ୍ରିତକୁ ହିଁ ଅଧିକ ଜେରା କରାଯାଉଛି। ବାର୍‌ରେ ବିଲ୍‌ ପେମେଣ୍ଟକୁ ନେଇ ବଚସା ହେବା ପରେ ମନୀଷଙ୍କୁ ହତ୍ୟା କରା ଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। କିନ୍ତୁ ବାର୍‌ ବିଲ ପେମେଣ୍ଟ କରିବା ନେଇ ସେମାନଙ୍କ ଭିତରେ କଣ କଥାବାର୍ତ୍ତା ହୋଇଥିଲା, କିଏ ବିଲ୍ ଦେବାକୁ ସ୍ଥିର ହୋଇଥିଲା, ବାର୍‌ ବାହାରେ କଣ ଘଟିଥିଲା, ମନୀଷଙ୍କୁ କେଉଁ ସ୍ଥାନରେ କେମିତି ହତ୍ୟା କରାଯାଇଥିଲା, ଏ ସବୁ ଦିଗକୁ ନେଇ ଜେରା ଚଳାଇଛି ପୁଲିସ। କେବଳ ସେତିକି ନୁହେଁ; ବାର୍‌ରେ ଜଣେ ଅଭିଯୁକ୍ତଙ୍କ ବାନ୍ଧବୀଙ୍କ ଉପସ୍ଥିତିକୁ ନେଇ କିଛି ଗଣ୍ଡଗୋଳ ହୋଇଥିଲା କି ନାହିଁ, ତାହା ମଧ୍ୟ ଜାଣିବାକୁ ପୁଲିସ ଚେଷ୍ଟା କରୁଛି।

ପ୍ରଥମେ ୩ ଅଭିଯୁକ୍ତଙ୍କୁ ଅଲଗା ଅଲଗା ଜେରା କରାଯାଉଛି। ଘଟଣା ସଂପର୍କରେ ଅଭିଯୁକ୍ତମାନେ ଭିନ୍ନଭିନ୍ନ ବୟାନ ଦେଉଥିବାରୁ ବୟାନକୁ ମେଳ କରିବା ପାଇଁ ସାମ୍ନାସାମ୍ନି ଜେରା ମଧ୍ୟ କରାଯାଉଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତମାନେ ଗଣ୍ଡଗୋଳ କଥାକୁ ସ୍ବୀକାର କରୁଥିଲେ ମଧ୍ୟ କେମିତି ହତ୍ୟା କଲେ ସେ ସମ୍ପର୍କରେ ମୁହଁ ଖୋଲୁ ନାହାନ୍ତି। ତେଣୁ ପୁଲିସ ପାଇଁ ଏହି ମାମଲା ଏବେ ଚ୍ୟାଲେଞ୍ଜ ହୋଇ ପଡ଼ିଛି। ତେଣୁ ଅଧିକ ତଥ୍ୟପ୍ରମାଣ ଯୋଗାଡ଼ ଲାଗି ହତ୍ୟାଦିନ ଅଭିଯୁକ୍ତମାନେ କାର୍‌ରେ ମନୀଷଙ୍କୁ ସାଙ୍ଗରେ ଧରି ଯେଉଁଠି ଯେଉଁଠି ଯାଇଥିଲେ ପୁଲିସ ସେମାନଙ୍କୁ ସାଙ୍ଗରେ ଧରି ସେହିସବୁ ସ୍ଥାନକୁ ଯିବ ବୋଲି ଜଣାପଡ଼ିଛି। ଏପରିକି ସେମାନଙ୍କୁ ପାତ୍ରପଡ଼ାର ସାଉଥ୍ ସିଟି ବାର୍ ଓ ଗଣ୍ଡୋଗୋଳ ହୋଇଥିବା ଘଟଣାସ୍ଥଳ ସହ ହତ୍ୟାକାଣ୍ଡସ୍ଥଳକୁ ଯାଇ ଡେମୋ ଦେଖାଇବାକୁ କୁହାଯିବ। ଏହାଛଡ଼ା ଗଣ୍ଡଗୋଳ ବେଳେ ଯେଉଁ ବାର୍‌ କର୍ମଚାରୀମାନେ ଉପସ୍ଥିତ ଥିଲେ, ସେମାନଙ୍କୁ ଡକାଯାଇ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଫୋନ୍ ସୁଇଚ୍ ଅଫ୍ କରି ପୋଖରୀରେ ଫିଙ୍ଗି ଦେଇଥିବା ତଦନ୍ତକାରୀ ଟିମ୍ ସ‌ନ୍ଦେହ କରୁଛି। ତେଣୁ ଆସନ୍ତାକାଲି(ମଙ୍ଗଳବାର) ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନିଆଯାଇ ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ସହାୟତାରେ ପୁଣିଥରେ ଫୋନ୍ ଖୋଜା ଯାଇପାରେ ବୋଲି କୁହାଯାଉଛି।

ବାର୍‌ ଡ୍ୟାନ୍ସରଙ୍କ ସହ ଟଙ୍କା ଉଡ଼ାଇଥିଲେ
୯ ତାରିଖ ବିଳମ୍ବିତ ରାତିରେ ସାଉଥ୍‌ସିଟି ବାର୍‌ରେ ମନୀଷ ଓ ସାଙ୍ଗମାନେ କେବଳ ଯେ ଖିଆପିଆ କରିଥିଲେ ତାହା ନୁହେଁ; ସେଦିନ ବାର୍‌ ନାଚଗୀତ ମଧ୍ୟ ହେଉଥିଲା। ଆଉ ସେମାନେ ସେଠାରେ ବାର୍‌ ଡ୍ୟାନ୍ସରଙ୍କ ଉପରେ ଫିଲ୍ମ ଷ୍ଟାଇଲରେ ଟଙ୍କା ଉଡ଼ାଇଥିଲେ। ଏହାର ମଧ୍ୟ ଅଲଗା ବିଲ୍ ତିଆରି ହୋଇଥିଲା। ସେହିପରି ଖାଇବା ଓ ପିଇବାର ମଧ୍ୟ ବିଲ୍ ହୋଇଥିଲା। ତେଣୁ ମୋଟ୍ ୩୪ରୁ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ବିଲ୍ ହୋଇଥିଲା। ସମସ୍ତେ କିଛି କିଛି ଟଙ୍କା ଦେବାକୁ କଥାବାର୍ତ୍ତା ହୋଇଥିଲା। ମୃତ୍ୟୁଞ୍ଜୟ କିଛି ଟଙ୍କା ଦେଇଥିବାବେଳେ ମନୀଷ ମଧ୍ୟ ଦେଇଥିଲେ। କିନ୍ତୁ ଅନ୍ୟମାନେ ଦେଇଥିଲେ କି ଜଣାପଡ଼ି ନାହିଁ। ଶେଷରେ ଆଉ ୮ ହଜାର ଟଙ୍କା ଦରକାର ହୋଇଥିଲା। ଅନ୍ୟମାନେ ଏହି ଟଙ୍କା ମନୀଷଙ୍କୁ ଦେବା ପାଇଁ କହିଥିଲେ। ଏହାକୁ ନେଇ ସେମାନଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ମନୀଷ ଘରୁ ଟଙ୍କା ମଗାଇ ବିଲ୍ ଦେଇଥିଲେ। କିନ୍ତୁ ଏହି କଥାରୁ ଆରମ୍ଭ ହୋଇଥିବା ଗଣ୍ଡଗୋଳକୁ ନେଇ ମନୀଷଙ୍କୁ ହତ୍ୟା କରାଗଲା ବୋଲି ପୁଲିସ ଆଜିର ଜେରାରୁ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର