ମନୀଷ ଅନୁରାଗ ହତ୍ୟା ମାମଲା: ଚାର୍ଜସିଟ୍ ଦାଖଲର ୧୧ ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଜାମିନ

ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

ଭୁବନେଶ୍ବର : ରାଜଧାନୀର ବହୁ ଚର୍ଚ୍ଚିତ ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅମ୍ରିତ ପ୍ରୀତମ ବିଶ୍ବାଳକୁ ଜାମିନ ମିଳିଛି। ହାଇକୋର୍ଟ ଗତକାଲି ଏହି ଜାମିନ ପ୍ରଦାନ କରିଛନ୍ତି। ତଳ କୋର୍ଟରେ ଜାମିନ କାଗଜପତ୍ର ଦାଖଲ କରିବା ପରେ ସର୍ତ୍ତମୂଳକ ଭାବରେ ଜେଲରୁ ମୁକୁଳିବେ ବୋଲି ଜଣାପଡ଼ିଛି। ଗତ ୧୧ ତାରିଖରେ ଇନଫୋସିଟି ଥାନା ପୁଲିସ ଚାର୍ଜସିଟ୍ ଦାଖଲ କରିବା ପରେ ଅଭିଯୁକ୍ତଙ୍କ ପକ୍ଷରୁ ଜାମିନ ଆବେଦନ ହୋଇଥିଲା।

ଗତ ବର୍ଷ ଅକ୍ଟୋବର ୯ ରେ ମନୀଷ ଡ୍ରେସ୍ କିଣିବାକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ତାଙ୍କୁ ବନ୍ଧକ ରଖି ଟଙ୍କା ମଗା ଯାଉଥିବା ନେଇ ସେ ଫୋନ୍ କରି ପରିବାର ଲୋକଙ୍କୁ ଜଣାଇଥିଲେ। ମା’ ତାଙ୍କ ଆକାଉଣ୍ଟକୁ ଦୁଇଟି ପର୍ଯ୍ୟାୟରେ ଟଙ୍କା ପଠାଇଥିଲେ। ୧୦ ତାରିଖ ପୂର୍ବାହ୍ନରେ ପାତ୍ରପଡ଼ା ନମ୍ରକାନି ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର କରା ଯାଇଥିଲା। ଘଟଣା ଦିନ ସେ ପାତ୍ରପଡ଼ାସ୍ଥିତ ସାଉଥ୍ ସିଟି ବାର୍‌କୁ ଅଭିଯୁକ୍ତମାନଙ୍କ ସହ ଯାଇଥିଲେ। ସେଠାରେ ବିଲ୍ ପେମେଣ୍ଟକୁ ନେଇ ସେମାନଙ୍କ ଭିତରେ ବଚସା ହୋଇଥିଲା ଓ ଠେଲାପେଲାରୁ ମନୀଷଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଥିଲା। ମୃତଦେହକୁ ଅଭିଯୁକ୍ତମାନେ ପୋଖରୀରେ ଫିଙ୍ଗି ଦେଇଥିଲେ। ପରେ ଅମ୍ରିତ, କନ୍ଧମାଳ ଅଁଳାପଡ଼ାର ଦୀନେଶ କୁମାର ମହାପାତ୍ର ଓ ପିଅନପଡ଼ାର ମୃତ୍ୟୁଞ୍ଜୟ ମିଶ୍ର ଓରଫ୍ ମୁନାକୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର