ଅସମାହିତ ରହିଗଲା ଅନେକ ରହସ୍ୟ, ମନୀଷଙ୍କ ମୃତ୍ୟୁ କେମିତି ହେଲା ସ୍ପଷ୍ଟ ହେଲାନି

ମାଳମାଳ ପ୍ରଶ୍ନ ଘେରରେ କମିସନରେଟ ପୁଲିସ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କୁ ହୋଟେଲ ସାଉଥ୍‌ସିଟି ବାର୍‌ରେ ବିଲ୍‌ ପେମେଣ୍ଟକୁ ନେଇ ଗଣ୍ଡଗୋଳରୁ ହତ୍ୟା କରାଯାଇଛି ଏବଂ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଡିସିପି ଉମାଶଙ୍କର ଦାଶ ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି। ଏଭଳି ଏକ ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଉପରେ ସାରା ରାଜ୍ୟର ନଜର ରହିଥିଲା। ମନୀଷଙ୍କୁ କେମିତି ହତ୍ୟା କରାଗଲା ଏବଂ ହତ୍ୟାକାଣ୍ଡ ସହିତ ଆଉ କେଉଁମାନେ ସଂପୃକ୍ତ; ପୂରା ରହସ୍ୟ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ରହିଥିଲା। କିନ୍ତୁ ୬ ଦିନର ତନାଘନା ପରେ ମଧ୍ୟ ମାମଲାର ଅନେକ ଦିଗ ଉପରୁ ପୁଲିସ ପରଦା ଉଠାଇ ପାରି ନଥିବା ଆଲୋଚନା ହେଉଛି। ସ୍ପେସାଲ ସ୍କ୍ବାଡ୍ ସମେତ ତିନିଟି ଥାନାର ପୁଲିସ ତଦନ୍ତରେ ସାମିଲ ହୋଇଥିଲେ ହେଁ ଡିସିପିଙ୍କ ସାମ୍ବାଦିକ ସମ୍ମିଳନୀରୁ ଅନେକ ପ୍ରଶ୍ନର ଉତ୍ତର ମିଳି ପାରିନାହିଁ। ତେବେ ଡିସିପି କହିଛନ୍ତି; ଘଟଣାର ତଦନ୍ତ ଜାରି ରହିଛି। ଚୂଡ଼ାନ୍ତ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏବଂ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ଅଧିକ ଜେରା କରାଯିବା ପରେ ପୂରା ରହସ୍ୟର ଉନ୍ମୋଚନ ହେବ ।

ବାର୍‌ ଭିତରେ ପ୍ରକୃତରେ କ’ଣ ଘଟିଥିଲା?
୯ ତାରିଖ ସନ୍ଧ୍ୟାରେ ତିନି ଅଭିଯୁକ୍ତ ଅମ୍ରିତ, ଦିନେଶ ଓ ମୃତ୍ୟୁଞ୍ଜୟ ଇନଫୋସିଟି ଅଞ୍ଚଳରୁ ମନୀଷ ଅନୁରାଗଙ୍କୁ କାର୍‌ରେ ନେଇ ଲକ୍ଷ୍ମୀସାଗର ଥାନା ଅଞ୍ଚଳର କେଉଁ ବାର୍‌କୁ ଆସିଥିଲେ? ସେଠାରେ କେତେ ସମୟ ରହିଥିଲେ? ସାଉଥ୍ ସିଟି ହୋଟେଲ ଓ ବାର୍‌କୁ କେତେବେଳେ ଯାଇଥିଲେ? ସେଠାରେ କେତେ ସମୟ ରହିଥିଲେ? କେତେ ଟଙ୍କା ବିଲ୍ ହୋଇଥିଲା? ମନୀଷ ମା’ଙ୍କଠାରୁ ୮ ହଜାର ଟଙ୍କା ମଗାଇ ଦେବା ପୂର୍ବରୁ କେତେ ଟଙ୍କା ପେମେଣ୍ଟ ହୋଇଥିଲା? ମନୀଷ କରିଥିଲେ ନା ଆଉ କିଏ? କେଉଁ ଅଭିଯୁକ୍ତ ସହ ଗଣ୍ଡଗୋଳ ହୋଇଥିଲା? ଜଣଙ୍କ ସହ ନା ତିନି ଜଣଙ୍କ ସହ?

 

ସିସିଟିଭିରେ ରହସ୍ୟମୟୀ ଯୁବତୀ କିଏ?
ବିଳମ୍ବିତ ରାତିରେ ହୋଟେଲ ସାଉଥ୍‌ ସିଟିରୁ ମନୀଷ ଚାଲିଚାଲି ବାହାରୁଥିବାବେଳେ ତାଙ୍କ ଆଗେଆଗେ ଜଣେ ଯୁବତୀ ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ପ୍ରଶ୍ନ ଉଠୁଛି ଏହି ଯୁବତୀ ଜଣକ କିଏ? ସେ ଜଣେ ଅଭିଯୁକ୍ତର ବାନ୍ଧବୀ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା କେତେ ସତ? କାର୍‌ରେ ୪ ଜଣ ଆସିଥିବା ବେଳେ ଯୁବତୀ ଜଣକ ସେମାନଙ୍କ ସହ ଆସିଥିଲେ ନା ଅନ୍ୟ କେଉଁଥିରେ ଆସିଥିଲେ? ଯୁବତୀଙ୍କୁ ନେଇ ବାର୍ ଭିତରେ କିଛି ଗଣ୍ଡଗୋଳ ହୋଇଥିଲା କି? ମନୀଷଙ୍କ ହତ୍ୟା ପଛରେ ଏହି ଯୁବତୀଙ୍କର କିଛି ଭୂମିକା ରହିଛି କି?

ମନୀଷଙ୍କ ମୋବାଇଲ ଫୋନ୍ ଗଲା କୁଆଡ଼େ?
ମନୀଷଙ୍କ ହତ୍ୟା ସଂପର୍କରେ ତାଙ୍କ ମୋବାଇଲ ଫୋନ୍‌ରୁ ବଡ଼ ସୁରାକ୍‌ ପାଇବ ବୋଲି ପୁଲିସ ଆଶା ରଖିଥିଲା। ତେଣୁ ଯେଉଁ ପୋଖରୀରୁ ମନୀଷଙ୍କ ଶବ ମିଳିଥିଲା, ସେଠାରେ ମୋବାଇଲ ଫୋନକୁ ତନ୍ନତନ୍ନ କରି ଖୋଜିଥିଲା ପୁଲିସ। ମାତ୍ର ଫୋନ୍ ମିଳିଥିଲା। ପ୍ରଶ୍ନ ଉଠୁଛି ସେହି ମୋବାଇଲ ଫୋନରେ ଗଣ୍ଡଗୋଳ ସମୟର କିଛି ପ୍ରମାଣ ରଖିଥିଲେ କି ମନୀଷ? ଯାହାକୁ ଅଭିଯୁକ୍ତମାନେ ଜାଣିଶୁଣି ନଷ୍ଟ କରିଦେଲେ। ଅଭିଯୁକ୍ତମାନେ ତାକୁ କେଉଁଠି ଫିଙ୍ଗିଛନ୍ତି ନା ଲୁଚାଇ ରଖିଛନ୍ତି? ଏଯାଏ ଏହାର ରହସ୍ୟ ମଧ୍ୟ ଉନ୍ମୋଚନ କରିପାରିପାରି ନାହିଁ ପୁଲିସ।

ମନୀଷ ହୋଟେଲରୁ ବାହାରି କୁଆଡ଼େ ଯାଉଥିଲେ?
ବିଶ୍ବସ୍ତ ସୂତ୍ରର ସୂଚନା ଅନୁଯାୟୀ ହୋଟେଲ ସାଉଥ୍‌ସିଟିରେ ବିଲ୍‌କୁ ନେଇ ପାଟିତୁଣ୍ଡ ହେବା ପରେ ମନୀଷ ରାଗି ଯାଇ ହୋଟେଲରୁ ଏକୁଟିଆ ବାହାରି ଯାଇଥିଲେ ଏବଂ ଜଣେ ବାଇକ୍‌ ଚାଳକଙ୍କୁ ଲିଫ୍ଟ ମାଗି ଘର ଅଭିମୁଖେ ଯାଉଥିଲେ। ତେବେ ପରେ ଅମ୍ରିତ ତାଙ୍କୁ ଫୋନ୍ କରି ଡକାଇଥିଲା। ଏହା ପରେ ପୁଣି ଗଣ୍ଡଗୋଳ ହୋଇଥିଲା।ଆଜି କିନ୍ତୁ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟ‌ରେ କିଛି ସୂଚନା ଦେଇ ନ ଥିଲେ ଡିସିପି। ପ୍ରକୃତରେ ଏମିତି କିଛି ଘଟିଥିଲା ନା ନାହିଁ? ଯଦି ଘଟିଥିଲା, ତେବେ ମନୀଷଙ୍କୁ ଜାତୀୟ ରାଜପଥରୁ ବାଇକ୍‌ରେ ଲିଫ୍ଟ ଦେଇଥିବା ବ୍ୟକ୍ତି କିଏ? ଏହି ବ୍ୟକ୍ତିଙ୍କ ସାମ୍ନାରେ ମନୀଷଙ୍କ ଉପରେ ଆକ୍ରମଣ ହୋଇଥିଲା କି? ଗଣ୍ଡଗୋଳ ହେବା ଦେଖି ସେ ସଙ୍ଗେସଙ୍ଗେ ପୁଲିସକୁ ଖବର ଦେଇନଥିଲେ କାହିଁକି? ଏଭଳି ଅନେକ ପ୍ରଶ୍ନର ଉତ୍ତର ଦେଇନାହିଁ ପୁଲିସ।

ହୋଟେଲ ବାହାରେ କାହା ସହ ଗଣ୍ଡଗୋଳ ହୋଇଥିଲା?
ପୁଲିସର କହିବା ଅନୁଯାୟୀ; ବିଲ୍‌ ପେମେଣ୍ଟକୁ ନେଇ ମନୀଷ ଓ ଅମ୍ରିତଙ୍କ ସହ ହୋଟେଲ୍ ଭିତରେ ବଚସା ହୋଇଥିଲା। ପରେ ହୋଟେଲ ବାହାରେ ମଧ୍ୟ ଏହି କଥାକୁ ନେଇ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଆକ୍ରମଣ ପର୍ଯ୍ୟନ୍ତ କଥା ଯାଇଥିଲା। ତେବେ ପ୍ରଶ୍ନ ଉଠୁଛି, କନ୍ଧମାଳରୁ ଆସିଥିବା ଦୁଇ ଅଭିଯୁକ୍ତ ଦୀନେଶ ଓ ମୃତ୍ୟୁଞ୍ଜୟକୁ ମନୀଷ ସିଧାସଳଖ ଚିହ୍ନି ନ ଥିଲେ। ସେମାନେ ଅମ୍ରିତର ସାଙ୍ଗ ହୋଇଥିବା ବେଳେ ପ୍ରକୃତରେ ମନୀଷ ସହିତ ସେମାନଙ୍କ ଗଣ୍ଡଗୋଳ ହୋଇଥିଲା କି? ଏହି ଦୁଇଜଣଙ୍କୁ ଅମ୍ରିତ କାହିଁକି ଡକାଇଥିଲା? ମନୀଷକୁ ହୋଟେଲକୁ ଡକାଇ ‌ହତ୍ୟା କରିବାକୁ ଅମ୍ରିତ ପୂର୍ବରୁ ଯୋଜନା କରିଥିଲା ନା ମାରୁମାରୁ ସେମାନେ ମନୀଷକୁ ମାରିଦେଲେ?

ମନୀଷଙ୍କ ମୃତ୍ୟୁ କେମିତି ହେଲା?
ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଶ୍ବାସରୁଦ୍ଧ ହୋଇ ମନୀଷଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା। କିନ୍ତୁ ଅମ୍ରିତ ଓ ତା’ର ୨ ସାଙ୍ଗ ତଣ୍ଟିଚିପି ମାରିଥିଲେ ନା ଅନ୍ୟ କେଉଁ ଉପାୟ ଆପଣାଇଥିଲେ? ଧରା ପଡ଼ିଥିବା ୩ ଅଭିଯୁକ୍ତଙ୍କଠାରୁ ପୁଲିସ ଏ ନେଇ କିଛି ସ୍ବୀକୋରୋକ୍ତି ପାଇଛି କି? ଏହିସବୁ ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିଲା ନାହିଁ।

ସମ୍ବନ୍ଧିତ ଖବର