ମନୀଷ ମୃତ୍ୟୁ ମାମଲା: ଆଜିଠୁ ୪ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ଭୁବନେଶ୍ୱର : ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ କମିସନରେଟ ପୁଲିସ ମୁଖ୍ୟ ଅଭିଯୁକ୍ତ ଅମ୍ରିତ ପ୍ରୀତମ ବିଶ୍ବାଳ ଏବଂ ତା’ର ୨ ସାଙ୍ଗ ଦିନେଶ ମହାପାତ୍ର ଓ ମୃତ୍ୟଞ୍ଜୟ ମିଶ୍ରଙ୍କୁ ରିମାଣ୍ଡରେ ଆଣିବ। ଆସନ୍ତାକାଲିଠାରୁ ୩ ଅଭିଯୁକ୍ତଙ୍କୁ ୪ଦିନିଆ ରିମାଣ୍ଡରେ ଆଣିବା ଲାଗି ଭୁବନେଶ୍ବର ଜେଏମ୍‌ଏଫ୍‌ସି ଅନୁମତି ଦେଇଛନ୍ତି।

ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବା ପାଇଁ ଇନ୍‌ଫୋସିଟି ପୁଲିସ ଭୁବନେଶ୍ବର ଜେଏମ୍‌ଏଫ୍‌ସିରେ ଆବେଦନ କରିଥିଲା। ଆଜି ଜେଏମ୍‌ଏଫ୍‌ସି ମାମଲାର ଗୁରୁତ୍ବ ଅନୁଭବ କରି ୪ଦିନିଆ ରିମାଣ୍ଡରେ ଆଣିବାକୁ ଅନୁମତି ଦେଇଛନ୍ତି। ହତ୍ୟାକାଣ୍ଡର ପ୍ରକୃତ ତଥ୍ୟ ଓ କ୍ରାଇମ୍ ସିନ୍‌ର ସମସ୍ତ ପୂରା ଥିଓରିକୁ ଚାର୍ଜସିଟ୍‌ରେ ଦାଖଲ କରିବା ପାଇଁ ଆସନ୍ତାକାଲିଠାରୁ ଇନ୍‌ଫୋସିଟି ପୁଲିସ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ।

ଅପରପକ୍ଷରେ ଏମ୍ସ ପକ୍ଷରୁ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ବନ୍ଧୁମାନଙ୍କ ଆକ୍ରମଣରେ ମନୀଷଙ୍କ ମୃତ୍ୟୁ ହୋଇଛି ବୋଲି ପୁଲିସ ଗତକାଲି ସୂଚନା ଦେଇଥିଲା। ତେଣୁ ଏହି ଦୁଇଟି ତଥ୍ୟକୁ ଅନୁଶୀଳନ କଲେ, ଉଭୟ ପ୍ରାଥମିକ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟରେ କୌଣସି ତାଳମେଳ ନାହିଁ। ତେଣୁ ଚାର୍ଜସିଟ୍ ଦାଖଲ କରିବା ସମୟରେ ଏହା ପୁଲିସ ପାଇଁ ଏକ ବଡ଼ ଅନ୍ତରାୟ ସୃଷ୍ଟି ହେବ ବୋଲି କୁହାଯାଉଛି। ତେଣୁ ସୋମବାରରୁ ରିମାଣ୍ଡରେ ଆଣିବା ପରେ ହତ୍ୟାକାଣ୍ଡ ଘଟିଥିବା ପାତ୍ରପଡ଼ାର ହୋଟେଲ୍ ସାଉଥ୍‌ ସିଟିଠୁ ଆରମ୍ଭ କରି ନମ୍ରକାନି ପୋଖରୀରେ ମନୀଷଙ୍କ ମୃତ ଶରୀର ଫୋପାଡ଼ିବା ପର୍ଯ୍ୟନ୍ତ ସବୁ କିଛି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବ।

ଅପରପକ୍ଷରେ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ କହିଛନ୍ତି, ପୁଲିସ ସାମ୍ବାଦିକ ସମ୍ମିଳନୀ କରି ଯେଉଁସବୁ ତଥ୍ୟ ଦେଇଛି ତାହା ସ୍ପଷ୍ଟ ଏବଂ ଯଥେଷ୍ଟ ନୁହେଁ। ୩ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ଏକାଧିକ ଦଫାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। କାରଣ ଦଫା ୩୬୪(କ) ହେଉଛି ମୁଣ୍ଡ ଜାମିନ ରଖି ଟଙ୍କା ମାଗିବା। ମାତ୍ର ମନୀଷଙ୍କ କ୍ଷେତ୍ରରେ ସେ ନିଜେ ସାଙ୍ଗଙ୍କ ସହ ବ୍ୟାଚେଲର ପାର୍ଟି ଯାଇଥିବା ପୁଲିସ ସୂଚନା ଦେଇଛି। ମାତ୍ର ବିଲ୍‌କୁ ନେଇ ବଚସା ହେବା ପରେ ଅଘଟଣ ଘଟିଲା। ତେଣୁ ଏଠାରେ ଏ ଦଫା କାହିଁକି? ସେହିଭଳି ଦଫା ୩୦୨ ଅର୍ଥାତ ହତ୍ୟା କରିବା। ପୁଲିସ କହୁଛି ଯେ ଠେଲାପେଲା ଓ ଆକ୍ରମଣ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ହେଲେ କେଉଁସ୍ଥାନରେ ସାଙ୍ଗମାନେ ଆକ୍ରମଣ କଲେ। ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲେ ବି ଶରୀରର ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ଅଙ୍ଗରେ କାହିଁକି କ୍ଷତ ଚିହ୍ନ ନାହିଁ। ଯାହା ଦ୍ବାରା ପୁଲିସର ତଦନ୍ତ ପ୍ରକ୍ରିୟାରେ କେଉଁଠି ତ୍ରୁଟି ରହୁଛି ବୋଲି ଅନୁଭୂତ ହେଉଥିବା ସେ କହିଛନ୍ତି। ଖାଲି ଏତିକି ନୁହେଁ, ମନୀଷଙ୍କ ସାଙ୍ଗମାନେ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରୁଥିଲେ ନା ଏମିତି ଆକ୍ରମଣ କରୁ କରୁ ଆକସ୍ମିକ ଭାବେ ମୃତ୍ୟୁ ଘଟିଲା ତା’ ମଧ୍ୟ ସ୍ପଷ୍ଟ ହୋଇନାହିଁ। ସେହିଭଳି ପୋଖରୀରେ ପଡ଼ିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ ଜଣାପଡ଼ିଥିବାରୁ ତାଙ୍କ ବନ୍ଧୁମାନେ ତାଙ୍କ ଶବକୁ କେମିତି ନେଇ ପୋଖରୀରେ ଫୋପାଡ଼ିଲେ। ଆଉ ଶବ ଫୋପାଡ଼ିବା ପରେ ହୋଟେଲ ସ୍ବାଗତ ଇନ୍ ପର୍ଯ୍ୟନ୍ତ ଓ ପରେ କନ୍ଧମାଳ ପର୍ଯ୍ୟନ୍ତ କେମିତି ଗଲେ ଏଭଳି ମାଳ ମାଳ ପ୍ରଶ୍ନ ରହିଥିବା ଶ୍ରୀ ଦାସ କହିଛନ୍ତି। ଏହାଛଡ଼ା ମନୀଷଙ୍କ ମୃ୍ତ୍ୟୁ ଘଟିବା ପରେ ତାଙ୍କୁ କାହିଁକି ଡାକ୍ତରଖାନା ନିଆଗଲାନି ଏବଂ ଘରଲୋକ ବା ପୁଲିସକୁ ସୂଚନା ଦିଆଗଲାନି ସେ ଦିଗକୁ ନେଇ ପୁଲିସ ମଧ୍ୟ ତଦନ୍ତ କରିବ ବୋଲି ସେ କହିଛନ୍ତି।

ଯୋଜନାବଦ୍ଧ ହତ୍ୟା: ଓକିଲ
ମନୀଷ ଅନୁରାଗଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ତାଙ୍କ ଓକିଲ ଅଭିଯୋଗ କରାଯାଇଛି। ବ୍ୟାଚେଲର୍‌ ପାର୍ଟିରେ ମନୀଷଙ୍କର ଦୁଇ ଜଣ ଅଚିହ୍ନା ବନ୍ଧୁ ଥିବାରୁ ସେ ଏଭଳି ଯୁକ୍ତ ବାଢ଼ିଛନ୍ତି। ଗତକାଲି ୩ ଅଭିଯୁକ୍ତଙ୍କ ସଂପର୍କରେ ଡିସିପି ଉମାଶଙ୍କର ଦାଶ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ। ଏହି ହତ୍ୟାକାଣ୍ଡ ଉଦ୍ଦେଶ୍ୟମୂଳକ ତଥା ସୁଚିନ୍ତିତ ଷଡ୍‌ଯନ୍ତ୍ର କି ନୁହେଁ, ତା’ର କୌଣସି ତଥ୍ୟ ପ୍ରମାଣ ହସ୍ତଗତ ହୋଇନଥିବାରୁ ଡିସିପି ଶ୍ରୀ ଦାଶ କିଛି ସ୍ପଷ୍ଟ କରିନଥିଲେ। ତେଣୁ ତଦନ୍ତ ପୂରା ହୋଇନାହିଁ ବୋଲି ମନୀଷଙ୍କ ପରିବାର ଓକିଲ କହିଛନ୍ତି। ତାଙ୍କ କହିବାନୁସାରେ, ମନୀଷଙ୍କ ବ୍ୟାଚେଲର ପାର୍ଟିକୁ କାହିଁକି ଅମ୍ରିତ ୨ ଜଣ ଅଚିହ୍ନା ଯୁବକ ଦୀନେଶ ଓ ମୃତ୍ୟୁଞ୍ଜୟଙ୍କୁ ଡାକିଥିଲେ। ଖାଲି ସେତିକି ନୁହେଁ, ହୋଟେଲ୍‌ରେ ଖାଦ୍ୟପେୟ ବାବଦକୁ ଖର୍ଚ୍ଚ ହୋଇଥିବା ବିଲ୍‌ର ଟଙ୍କା ପୈଠ ବେଳେ ମନୀଷ ଓ ଅମ୍ରିତଙ୍କର ଯେତେବେଳେ ବଚସା ହୋଇଥିଲା, ସେତେବେଳେ ୨ ଅଚିହ୍ନା ବନ୍ଧୁ କାହିଁକି ଅଟକାଇଲେ ନାହିଁ। ଏସବୁ କଥାରୁ ସ୍ପଷ୍ଟ ଅନୁମାନ ହେଉଛି ଯେ ମନୀଷଙ୍କୁ ହତ୍ୟା କରିବାକୁ ସେମାନେ ପୂର୍ବରୁ ଯୋଜନା କରିଥିଲେ। ସେଥିପାଇଁ ଦୀନେଶ ଓ ମୃତ୍ୟୁଞ୍ଜୟ ଝଗଡ଼ାକୁ ସମର୍ଥନ କରି ହତ୍ୟାକାଣ୍ଡ ଘଟାଇଥିଲେ। ତେଣୁ ମନୀଷଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟମୂଳକ ଥିଲା ବୋଲି ସେ କହିଛନ୍ତି। ତେଣୁ ଏ ଦିଗରେ ପୁଲିସ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିପାରେ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର