ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟାକାଣ୍ଡର ସବୁ ରହସ୍ୟ ଉପରୁ ଏ ପର୍ଯ୍ୟନ୍ତ ପରଦା ହଟାଇ ପାରିନାହିଁ କମିସନରେଟ୍ ପୁଲିସ। ତେବେ ଆସନ୍ତାକାଲି ରିମାଣ୍ଡର ତୃତୀୟ ତଥା ଗୁରୁତ୍ବପୂର୍ଣ୍ଣ ଦିନ ବୋଲି ବିବେଚନା କରି କମିସନେରଟ୍ ପୁଲିସ ତଦନ୍ତ ଚଳାଇଛି। ୩ ଅଭିଯୁକ୍ତ ଅମ୍ରିତ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ଚାରି ଦିନିଆ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା କରିବା ପରେ ତଦନ୍ତକାରୀ ଟିମ୍ ପୁଲିସ ଜାଣିବାକୁ ପାଇଛି ଯେ ୯ ତାରିଖ ସନ୍ଧ୍ୟାରୁ ବିଳମ୍ବିତ ରାତି ମଧ୍ୟରେ ମନୀଷ ଓ ଏହି ୩ ସାଙ୍ଗ ପାତ୍ରପଡ଼ାର ହୋଟେଲ୍ ସାଉଥ୍ ସିଟି ବ୍ୟତୀତ ପଟିଆ ଓ ବମିଖାଲ୍ ଅଞ୍ଚଳରେ ଥିବା ୨ଟି ବାର୍କୁ ଯାଇଥିଲେ। ତେଣୁ ସେଦିନ ରାତିରେ ଏହି ତିନି ବାର୍ରେ ପ୍ରକୃତରେ କ’ଣ କ’ଣ ଘଟିଥିବା ଜାଣିବା ଲାଗି ହୋଟେଲ ସାଉଥ୍ ସିଟି ସମେତ ୩ ବାର୍ କର୍ତ୍ତୃପକ୍ଷଙ୍କୁ ହାଜିରା ଲାଗି ନୋଟିସ୍ ଜାରି କରାଯାଇଛି।
ଗୋଟିଏ ସୂତ୍ରର ସୂଚନା ମୁତାବକ, ସେଦିନ ରାତିରେ ଏହି ୩ଟି ହୋଟେଲ୍ର ମୋଟ ବିଲ୍ ପ୍ରାୟ ୬୭ହଜାର ଟଙ୍କା ହୋଇଥିବା ବେଳେ ସେଥିମଧ୍ୟରୁ ୩୫ହଜାର ଟଙ୍କା କେବଳ ହୋଟେଲ୍ ସାଉଥସିଟିରେ ବିଲ୍ ହୋଇଥିଲା। ୩୫ହଜାର ଟଙ୍କାରୁ ୨୦ ହଜାର ଟଙ୍କା ଅନ୍ୟତମ ଅଭିଯୁକ୍ତ ମୃତ୍ୟଞ୍ଜୟ ମିଶ୍ର ଓରଫ ମୁନ୍ନା ଦେଇଥିବା ବେଳେ ମନୀଷ ଘରୁ ୮ହଜାର ଟଙ୍କା ମଗେଇ ପେମେଣ୍ଟ କରିଥିଲେ। ମାତ୍ର ବାକି ୭ହଜାର ଟଙ୍କା ଅମ୍ରିତ କିମ୍ବା ଦିନେଶ ଦେଇଥିବା ସନ୍ଦେହ କରାଯାଉଛି। ତେବେ ଏନେଇ ପୁଲିସ ଏଯାଏ କୌଣସି ତଥ୍ୟ ପାଇନାହିଁ। ହତ୍ୟାକାଣ୍ଡର ସମସ୍ତ ଟିକିନିଖି ତଥ୍ୟକୁ ପୁଲିସ ଲୋକଲୋଚନକୁ ଆଣିବାକୁ ଚାପ ପଡ଼ୁଥିବାରୁ ନୋଟିସ୍ ହୋଇଥିବା ୩ ହୋଟେଲ୍ ମଧ୍ୟରୁ ସାଉଥସିଟି କର୍ତ୍ତୃପକ୍ଷଙ୍କ ବୟାନ୍ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ବିଚାର କରାଯାଉଛି। ତେଣୁ ସେଦିନ ହୋଟେଲ୍ରେ କ’ଣ କ’ଣ ଘଟିଥିଲା ତା’ର ସବିଶେଷ ତଥ୍ୟ ମଗାଇଛି ପୁଲିସ।
ଅପରପକ୍ଷରେ ମନୀଷ ହତ୍ୟାକାଣ୍ଡ ଏକ ସମ୍ବେଦନଶୀଳ ମାମଲା ହୋଇଥିବାବେଳେ ଏହାଉପରେ ଗଣମାଧ୍ୟମର ନଜର ରହିଥିବାରୁ ପୁଲିସ ଅଭିଯୁକ୍ତଙ୍କୁ ହତ୍ୟାକାଣ୍ଡସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିବା ସମ୍ଭାବନା କମ୍ ଥିବା ଜଣାପଡ଼ିଛି। ସେହିଭଳି ହୋଟେଲ୍ର ସିସିଟିଭିରେ ଥିବା ରହସ୍ୟମୟୀ ଯୁବତୀଙ୍କ ଭୂମିକା ଏବେ ବି ସନ୍ଦେହ ଘେରରେ ଥିବାରୁ ଆସନ୍ତାକାଲି ହୋଟେଲ୍ କର୍ତ୍ତୃପକ୍ଷଙ୍କ ବୟାନ ଆଧାରରେ ପୁଲିସ ଉକ୍ତ ଯୁବତୀଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି। ସେହିଭଳି ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀଙ୍କ ତଦନ୍ତରେ ଉକ୍ତ ୩ ହୋଟେଲ୍ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁଲିସ ଏକ ଚିଠି ଲେଖିଥିବା ଜଣାପଡ଼ିଛି। ହୋଟେଲଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁଲିସ ପ୍ରକ୍ରିୟା ଆରମ୍ଭ କରିଛି।