ମନୀଷ ମୃତ୍ୟୁ ମାମଲା: ମନଗଢ଼ା କାହାଣୀ ଗପିଲେ ୩ ଅଭିଯୁକ୍ତ

ମିଛଧରା ପରୀକ୍ଷା କରିବ ପୁଲିସ, ରିମାଣ୍ଡ ଅବଧି ସରିଲା, ଜେଲ ଫେରିଲେ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ପୁଲିସ ରିମାଣ୍ଡରେ ଆଣିଥିବା ୩ ଅଭିଯୁକ୍ତ ଅମ୍ରିତ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ଗୁରୁବାର ଦିନ କୋର୍ଟରେ ହାଜର କରାଯିବା ପରେ ପୁଣି ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଦୀର୍ଘ ୭୨ଘଣ୍ଟାର ଜେରା ପରେ ଏହି ହତ୍ୟାକାଣ୍ଡ ସଂପର୍କରେ ଅନେକ ତଥ୍ୟ ପ୍ରମାଣ ହସ୍ତଗତ ହୋଇଥିଲେ ବି ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ପାଇଁ ଏସବୁ ଯଥେଷ୍ଟ ନୁହେଁ ବୋଲି ଜଣାପଡ଼ିଛି। ୩ ଦିନର ରିମାଣ୍ଡ ଅବଧି ମଧ୍ୟରେ ୩ ଅଭିଯୁକ୍ତ ପୁଲିସ ଆଗରେ ଜେରା ବେଳେ ଅନେକ ମନଗଢ଼ା କାହାଣୀ ଗପିବା ସହ ଅମୂଳକ ତଥ୍ୟ ଦେଇଥିବା କୁହାଯାଉଛି। ଦଣ୍ଡରୁ ବର୍ତ୍ତିବା ପାଇଁ ସେମାନେ ଜାଣିଶୁଣି ବହୁ ଜରୁରୀ ତଥା ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲୁଚାଇ ରଖିଛନ୍ତି ବୋଲି ସନ୍ଦେହ କରାଯାଉଛି। ଯେଉଁଥିପାଇଁ ଇନ୍‌ଫୋସିଟି ପୁଲିସ ଆଗାମୀ ଦିନରେ ଅଭିଯୁକ୍ତମାନଙ୍କ ମୁହଁରୁ ସତ ବାହାର କରାଇବା ପାଇଁ ମିଛଧରା ପରୀକ୍ଷା (ଲାଇ ଡିଟେକ୍ସନ୍ ଟେଷ୍ଟ) କରିବ ବୋଲି ଜଣାପଡ଼ିଛି। ଏଥିପାଇଁ କୋର୍ଟରେ ମିଛଧରା ପରୀକ୍ଷା କରାଇବା ପାଇଁ ଆବେଦନ କରାଯିବ। ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କୁ ପୁଣିଥରେ ରିମାଣ୍ଡ୍‌ରେ ଅଣାଯିବ ବୋଲି ଡିସିପି ଉମାଶଙ୍କର ଦାଶ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଅପରପକ୍ଷରେ ମନୀଷଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଡାୟଟମ୍ ରିପୋର୍ଟ ପୁଲିସର ହସ୍ତଗତ ହୋଇଥିଲେ ସୁଦ୍ଧା ତଦନ୍ତରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ଏ ସଂପର୍କରେ କୌଣସି ତଥ୍ୟ ସାର୍ବଜନୀନ କରାଯାଇନାହିଁ କି ଗଣମାଧ୍ୟମକୁ କିଛି ସୂଚିତ କରାଯାଇନାହିଁ। କେବଳ କୋର୍ଟ ଓ ମନୀଷଙ୍କ ପରିବାର ଲୋକଙ୍କୁ ଶବ ବ୍ୟବଚ୍ଛେଦର ରିପୋର୍ଟ ସହ ଅନେକ ଗୋପନୀୟ ତଥ୍ୟ ଜଣାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଠେଲାପେଲା ଓ ଆକ୍ରମଣ ଯୋଗୁଁ ମନୀଷଙ୍କର ମୃତ୍ୟୁ ହୋଇଥିବା ଗତ ଶନିବାର ସାମ୍ବାଦିକ ସମ୍ମିଳନୀରେ ପୁଲିସ ପୂର୍ବରୁ ସୂଚନା ଦେଇଥିଲା। ଏପଟେ ମନୀଷଙ୍କ ପାକସ୍ଥଳୀରେ ହଜମ ହୋଇନଥିବା ଖାଦ୍ୟର ଭିସେରା ପରୀକ୍ଷା ପାଇଁ ହାଇଦ୍ରାବାଦସ୍ଥିତ ଫୋରେନ୍ସିକ୍ ଲ୍ୟାବକୁ ପଠାଯାଇଥିଲା। ତେବେ ଇତିମଧ୍ୟରେ ସପ୍ତାହେରୁ ଅଧିକ ଦିନ ବିତିଗଲେ ମଧ୍ୟ ସେ ସଂପର୍କିତ କୌଣସି ତଥ୍ୟ ପୁଲିସ ପାଖରେ ହସ୍ତଗତ ହୋଇନଥିବା ସୂଚନା ମିଳିଛି।

ସେହିଭଳି ପାତ୍ରପଡ଼ାର ହୋଟେଲ୍ ସାଉଥସିଟି ସମେତ ସମସ୍ତ ୩ଟି ବାର୍‌ର ତଦନ୍ତ ରିପୋର୍ଟ ପୁଲିସ ପ୍ରସ୍ତୁତ କରିଥିବା ବେଳେ ଏନେଇ ଚୂଡ଼ାନ୍ତ ତଥ୍ୟ ଆଜି ଦାଖଲ ହେବାର ଥିଲା। ଏପରିକି ସାଉଥସିଟିର କିଛି କର୍ତ୍ତୃପକ୍ଷ ସେଦିନ ରାତିରେ ମନୀଷ ଓ ତା’ର ବନ୍ଧୁମାନଙ୍କ ସହ ଘଟିଥିବା ବଚସାର ସାକ୍ଷୀ ଭାବେ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି। ମାତ୍ର ହୋଟେଲ୍‌ଗୁଡ଼ିକର ତଦନ୍ତ ରିପୋର୍ଟ ଦାଖଲ ହୋଇଛି କି ନାହିଁ ସେନେଇ ପୁଲିସ ପାଖରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର