ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ୩ ଅଭିଯୁକ୍ତ ଅମ୍ରିତ ପ୍ରୀତମ ବିଶ୍ବାଳ ଓ ତାଙ୍କର ୨ ବନ୍ଧୁ ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ରିମାଣ୍ଡରେ ଆଣି ପୁଲିସ ପଚରାଉଚରା କରିଥିଲେ ମଧ୍ୟ ହତ୍ୟା କେମିତି ହେଲା ତାହା ସ୍ପଷ୍ଟ ହୋଇନାହିଁ। ତେଣୁ ସେମାନଙ୍କ ପାଖରୁ ହତ୍ୟାର ସମସ୍ତ ଟିକିନିଖି ତଥ୍ୟ ଜାଣିବା ପାଇଁ ୩ ଜଣଙ୍କର ମିଛଧରା ପରୀକ୍ଷା କରିବାକୁ କୋର୍ଟରେ ଆବେଦନ କରିଛି ପୁଲିସ।
ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତମାନେ ମନୀଷଙ୍କୁ ଧସ୍ତାଧସ୍ତି କରିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଥିଲା। ୩ଦିନିଆ ରିମାଣ୍ଡରେ ଆଣି ୩ ଅଭିଯୁକ୍ତଙ୍କ ଠାରୁ ଏ ନେଇ ପ୍ରାମାଣିକ ତଥ୍ୟ ଆଦାୟ କରିବା ପାଇଁ ପୁଲିସ ଖୁବ୍ କସରତ୍ କରିଥିଲା। ହେଲେ ଅଭିଯୁକ୍ତମାନେ କେତେବେଳେ ମନଗଢ଼ା କାହାଣୀ ଗପିଥିଲେ ତ’ ଆଉ କେତେବେଳେ ନିଶାସକ୍ତ ଥିବାରୁ ସବୁ ଭୁଲି ଯାଇଥିବା କହି ଫାଙ୍କିଥିଲେ। ତେଣୁ ସେହି କାଳରାତିର ସଂପୂର୍ଣ୍ଣ ରହସ୍ୟ ଜାଣିବା ପାଇଁ ପୁଲିସ ପକ୍ଷରେ ସମ୍ଭବ ହୋଇ ନ ଥିଲା। ଏବେ ରହସ୍ୟ ଭେଦ କରିବାକୁ ମିଛଧରା ପରୀକ୍ଷା ହିଁ ଏକମାତ୍ର ବିକଳ୍ପ ହୋଇଥିବାରୁ ପୁଲିସ ଏହି ଉପାୟ ଆପଣାଇଛି।
ପ୍ରସନ୍ନଙ୍କ ସମ୍ପତ୍ତି ଯାଞ୍ଚ୍ ପାଇଁ ଭିଜିଲାନ୍ସକୁ ସୁପାରିସ୍!
ଅପରପକ୍ଷରେ ସବୁ ନୀତି ନିୟମ ଉଲ୍ଲଂଘନ କରି ହୋଟେଲ ସାଉଥ୍ ସିଟି ବାର୍କୁ ନିଜ ଭାଇଙ୍କ ନାଁରେ ଲିଜ୍ ନେଇ ଚଳାଇବା ଅଭିଯୋଗରେ ଚାକିରିରୁ ବରଖାସ୍ତ ହେବା ସହ ଗିରଫ ହୋଇଥିବା କନେଷ୍ଟବଳ ମହାସଂଘର ସଂପାଦକ ପ୍ରସନ୍ନ କୁମାର ବେହେରାଙ୍କ ଭୁବନେଶ୍ବର ସମେତ ଅନେକ ଅଞ୍ଚଳରେ କୋଟିକୋଟି ଟଙ୍କାର ସଂପତ୍ତି ରହିଥିବା ଜଣାପଡ଼ିଛି। ତେଣୁ ତାଙ୍କର ସଂପତ୍ତି ତାଲିକା ଯାଞ୍ଚ୍ ପାଇଁ ଭିଜିଲାନ୍ସ ପକ୍ଷରୁ ବର୍ତ୍ତମାନ ପ୍ରସନ୍ନଙ୍କ ଦୋକାନ ସମେତ ଏକାଧିକ ଦୋକାନ ସମେତ ଘର ଓ ଅନ୍ୟାନ୍ୟ ସଂପତ୍ତି ତାଲିକା ଏକାଠି କରିଥିବା ଜଣାପଡ଼ିଛି। ଏହାକୁ ଭିତ୍ତି କରି ତାଙ୍କ ଘର ଉପରେ ଚଢ଼ାଉ କରିବାକୁ ଥିବା ପ୍ରସ୍ତୁତ ହେଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।