ମନୀଷ ହତ୍ୟା ମାମଲା: ଆଜି ଦାଖଲ ହେବ ସାଉଥ୍‌ ସିଟି ସମେତ ୩ ବାର୍‌ର ତଦନ୍ତ ରିପୋର୍ଟ

ହୋଟେଲ୍‌ରେ ଉପସ୍ଥିତ ସମସ୍ତ କର୍ମଚାରୀ ଓ ମାଲିକଙ୍କୁ ଜେରା

ଭୁବନେଶ୍ୱର : ମନୀଷ ହତ୍ୟା ମାମଲାରେ ପାତ୍ରପଡ଼ାସ୍ଥିତ ହୋଟେଲ ସାଉଥ୍‌ ସିଟି ସମେତ ସମସ୍ତ ୩ ହୋଟେଲ୍‌ର କର୍ମଚାରୀ ବୁଧବାର ପୁଲିସ ପାଖରେ ହାଜର ହୋଇ ବୟାନ ଦେଇଛନ୍ତି। ବିଶେଷ କରି ସାଉଥ୍‌ ସିଟିର ମାଲିକ ଓ କର୍ମଚାରୀଙ୍କୁ ପୁଲିସ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି। ସୂତ୍ର ମୁତାବକ, ସେଦିନ ରାତିରେ ମନୀଷ ଓ ତାଙ୍କ ସାଙ୍ଗମାନେ ହୋଟେଲ୍‌ରେ ମଉଜ ମସ୍ତି କରିବା ସହ ନାଚଗୀତରେ ପଇସା ଉଡ଼ାଇଥିଲେ। ଯେଉଁଥିପାଇଁ ପ୍ରାୟ ୩୫ହଜାର ଟଙ୍କାର ବିଲ୍ ହୋଇଥିଲା। ତେବେ ବିଲ୍ ପୈଠ ପାଳି ଆସିବାରୁ ମନୀଷଙ୍କ ସହିତ ଅମ୍ରିତ ଓ ତା’ର ସାଙ୍ଗ ମୃତ୍ୟୁଞ୍ଜୟଙ୍କର ବଚସା ହୋଇଥିଲା। ଝଗଡ଼ା ପରେ କିଛି ଟଙ୍କା ଦେଇ ଅମ୍ରିତ ଓ ୨ସାଙ୍ଗ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ତେଣୁ ବାଧ୍ୟ ହୋଇ ମନୀଷ ଘରକୁ ଫୋନ୍ କରି ମା’ଙ୍କୁ ୮ହଜାର ଟଙ୍କା ପଠାଇବାକୁ କହିଥିଲେ। ଏହା ପରେ ହୋଟେଲ୍‌ର ବିଲ୍ ପୈଠ କରିବା ପରେ ସେ ଛାଡ଼ ପାଇଥିଲେ।

ଅପରପକ୍ଷରେ ସାଉଥ୍‌ସିଟି ଓ ଅନ୍ୟ ୨ ହୋଟେଲ୍‌ କର୍ତ୍ତୃପକ୍ଷ ପୁଲିସ ହାଜର ହୋଇ ନିଜ ନିଜ ବୟାନ ଦେଇସାରିଥିବାରୁ ଆଜି ପୁଲିସ ତଦନ୍ତ ରିପୋର୍ଟ ଦାଖଲ କରିବ ବୋଲି ସୂଚନା ମିଳିଛି। ସେହିଭଳି କରୋନା ମାର୍ଗଦର୍ଶିକାକୁ ଉଲ୍ଲଂଘନ କରି ରାତି ୪ଟା ପର୍ଯ୍ୟନ୍ତ କିଭଳି ହୋଟଲ୍ ଖୋଲାଥିଲା ଏବଂ ଏହା ପଛରେ ଜଣେ ପୁଲିସ କର୍ମଚାରୀଙ୍କ ସଂପୃକ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପୁଲିସର ତଦନ୍ତ କିନ୍ତୁ କିଛି ଅଲଗା କହୁଥିବା ଜଣାପଡ଼ିଛି। ହୋଟେଲ୍‌ର ପ୍ରକୃତ ମାଲିକଙ୍କ ଠାରୁ ପ୍ରାୟ ୪ଜଣ ଲୋକେ ଲିଜ୍‌ରେ ଆଣି ହୋଟେଲ୍ ଚଲାଉଥିଲେ। ଯେଉଁଥିରେ ଉକ୍ତ କନେଷ୍ଟବଳଙ୍କ ସଂପୃକ୍ତି ନଥିଲା ବୋଲି କୁହାଯାଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ପୁଲିସ ସଂଘର ଉକ୍ତ ସଭାପତିଙ୍କ ସଂପୃକ୍ତି ଯଦି ମିଛ; ତେବେ କେମିତି ଏତେ ରାତି ଯାଏ ହୋଟେଲ୍‌ରେ ଆସର ଜମୁଥିଲା? ଏମିତି କେଉଁ ବ୍ୟକ୍ତି ପୁଲିସକୁ ପ୍ରଭାବିତ କରି ଏଭଳି ବେଆଇନ୍ ନିଶା କାରବାର ଚଳାଇଥିଲେ? ଅପରପକ୍ଷରେ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଥିବାରୁ ପୁଲିସ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଇବ। ମାତ୍ର ଜେରାରୁ ପୁଲିସ ମନୀଷ ମୃତ୍ୟୁକୁ ନେଇ ସେଭଳି କୌଣସି ଠୋସ୍ ପ୍ରମାଣ ପାଇନଥିବା ଜଣାପଡ଼ିଛି। ୩ଜଣଙ୍କୁ ମୁହାଁମୁହିଁ ଜେରା କରିବା ସତ୍ତ୍ବେ ହତ୍ୟାକାଣ୍ଡକୁ ସିଦ୍ଧ କରିବା ପାଇଁ ଅଭିଯୁକ୍ତଙ୍କ ମୁହଁରୁ ସେଭଳି କୌଣସି କଥା ବାହାର କରିପାରିନଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର