ମାଞ୍ଜା ସୂତା ଲାଗି ୩ ଗୁରୁତର

ପୁରୁଣା ଭୁବନେଶ୍ୱରରେ ଗୁଡ଼ି ସାଜିଛି ବିପଦ

ପୁରୁଣା ଭୁବନେଶ୍ୱର: ପୁଣି ଆତଙ୍କ ସୃଷ୍ଟି କଲାଣି ଗୁଡ଼ି। ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ଉପର ବଜାରଠାରେ ଘଟିଥିବା ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ସୁନ୍ଦରପଦା ଅଞ୍ଚଳର ସଲୀଳ କୁମାର ନନ୍ଦ, ଗ୍ୟାରେଜଛ ଛକର ରାମ ଦାସ ଓ ତାଙ୍କ ପତ୍ନୀ। ସମସ୍ତଙ୍କୁ ବିଏମ୍‌ସି ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ଗୁଡ଼ି ଉଡ଼ାଇବାରେ ବ୍ୟବହୃତ ହେଉଥିବା ମାଞ୍ଜା ସୂତା ଲାଗି ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଭାରତୀୟ ମାଞ୍ଜା ଦିଆ ସୂତା ଏକପ୍ରକାର ଛୁରି ପରି କାମ କରୁଛି। ଅନ୍ୟପକ୍ଷରେ ରାଜଧାନୀର କୋହଳ ପାଟ୍ରୋଲିଂକୁ ମଧ୍ୟ ସ୍ଥାନୀୟ ଲୋକ ଦାୟୀ କରିଛନ୍ତି। ବେଆଇନ୍‌ ଭାବେ ଯେଉଁମାନେ ଗୁଡ଼ି ଉଡ଼ାଇବା ପାଇଁ ଏପରି ସୂତା ବ୍ୟବହାର କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ସୂଚନା ଅନୁଯାୟୀ ସୁନ୍ଦରପଦା ଅଞ୍ଚଳର ସଲୀଳ କୁମାର କୋର୍ଟରୁ ଘରକୁ ଫେରୁଥିବା ବେଳେ ତାଙ୍କ ବେକରେ ମାଞ୍ଜା ସୂତା ଲାଗିଥିଲା। ଫଳରେ ସେ ଗୁରୁତର ଆହତ ହୋଇପଡ଼ିଥିଲେ। ସେହିପରି ଗ୍ୟାରେଜ୍‌ ଛକ ଅଞ୍ଚଳର ରାମ ଦାସ ଓ ପତ୍ନୀ ପୁଅକୁ ଧରି ସ୍କୁଲରୁ ଫେରୁଥିବା ବେଳେ ଉଭୟଙ୍କ ବେକରେ ଗୁଡ଼ି ସୂତା ଲାଗିଥିଲା। ସେମାନେ ବିଏମ୍‌ସି ହସ୍ପିଟାଲରେ ଚିକିତ୍ସା କରାଇ ଘରକୁ ପଳାଇଥିଲେ। ଗତବର୍ଷ ଲକ୍ଷ୍ମୀସାଗର ଥାନା ଅଧୀନ ତେଲୁଗୁ ବସ୍ତିର ଜଣେ ୯ବର୍ଷର ନାବାଳକର ଏଥିଯୋଗୁ ମୃତ୍ୟୁ ହୋଇଥିଲା। ସେହିପରି ସ୍ଥାନୀୟ ଭୀମଟାଙ୍ଗି ବସ୍ତିର ଜଣେ ନାବାଳକ ଟାଉନ୍‌ କ୍ଲବ୍‌ ଖେଳ ପଡ଼ିଆଠାରେ ଗୁଡ଼ିକୁ ଧରିବା ପାଇଁ ଯାଇ ପାଚେରି ଉପରେ ଚଢ଼ିବା ବେଳେ ତା ହାତ ପାପୁଲିରେ ଏକ ବଡ଼ ଲୁହା ଫୁଟି ଯାଇଥିଲା। ରାଜଧାନୀରେ ଗୁଡ଼ି ଉଡ଼ାକୁ ନେଇ ସଚେତନ କରାଯିବା ସହ କଡ଼ା ନିୟମର ଆବଶ୍ୟକ ରହିଛି। ସୂଚନା ଥାଉକି ଗୁଡ଼ି ଉଡ଼ାଇବା ପାଇଁ ବ୍ୟବହାର ହେଉଥିବା ମାଞ୍ଜା ଦିଆ ସୂତାକୁ ଉଚ୍ଚନ୍ୟାଳୟାଳୟ ପକ୍ଷରୁ ବ୍ୟାନ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର