ମଞ୍ଜୁ ମହାନ୍ତି, ପ୍ରଭାକର ସ୍ୱାଇଁ ଓ ଅଶୋକ ପଣ୍ଡା ପାଇବେ ‘ଜାନକୀବଲ୍ଲଭ ସ୍ମୃତି ସମ୍ମାନ’

ଭୁବନେଶ୍ୱର: ଓଡ଼ିଶାର ଅନନ୍ୟ ବରପୁତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତିରେ ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ସମାଜସେବା, ଭାଷା ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ସମ୍ବର୍ଦ୍ଧିତ କରାଯିବ। ଏଥିଲାଗି ଆଜି ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ସ୍ମୃତି କମିଟିର ଏକ ବୈଠକ ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସତ୍ୟନଗର ହୋଟେଲ ପାର୍କ ପ୍ରିମିୟମଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ କମିଟି ସମ୍ବର୍ଧିତ ହେବାକୁ ଥିବା ପ୍ରତିଭାମାନଙ୍କ ନାମ ଘୋଷଣା କରିଛି।

ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ସ୍ମୃତି କମିଟିର ସାଧାରଣ ସମ୍ପାଦକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ ସମାଜସେବା କ୍ଷେତ୍ରରେ ଛାତ୍ର ଜୀବନରୁ ନିଜକୁ ସମର୍ପିତ କରିଥିବା ପୁରୀ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମଞ୍ଜୁ ମହାନ୍ତି, ଭାଷା ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପୀ କାର୍ଯ୍ୟ କରିଥିବା କଟକ ଶାରଳା ସାହିତ୍ୟ ସଂସଦର ସଭାପତି ଇଂ. ପ୍ରଭାକର ସ୍ୱାଇଁ ଏବଂ ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ଟାଇମ୍ସ ଅଫ୍ ଇଣ୍ଡିଆର ପୂର୍ବତନ ସହ ସମ୍ପାଦକ ତଥା ପ୍ରଭାବଶାଳୀ ବକ୍ତା ରୋଟାରିଆନ୍‌ ଅଶୋକ ପଣ୍ଡାଙ୍କୁ ସମ୍ବର୍ଧିତ କରାଯିବ। ଆସନ୍ତା ୨୧ ତାରିଖ ସନ୍ଧ୍ୟା ୬ଟାରେ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୭ମ ବାର୍ଷିକ ଶ୍ରାଦ୍ଧ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ।

ଆଜିର ବୈଠକରେ କମିଟିର କୋଷାଧ୍ୟକ୍ଷ ବଦ୍ରିନାଥ ପଟ୍ଟନାୟକ, ସୌରେନ୍ଦ୍ର କୁମାର ମହାପାତ୍ର, ପ୍ରଫେସର୍‌ ବୁଦ୍ଧଦେବ ମିଶ୍ର, କଂଗ୍ରେସ ନେତା ସନତ ଦାସ, ଶାନ୍ତନୁ ସାହୁ, ଜ୍ଞାନଦେବ ବେଉରା, ସମାଜସେବୀ ପାରେଶ୍ୱର ଖଣ୍ଡାୟତରାୟ, ବାସ୍ତୁବିତ୍‌ ମନୋଜ ଲେଙ୍କା, ବିବେକାନନ୍ଦ ପାତ୍ର, କଂଗ୍ରେସ ନେତା ମନୋରଞ୍ଜନ ଦାସ, ଆଲୋକ ମହାନ୍ତି, ରସିକଚାନ୍ଦ ପଟ୍ଟନାୟକ, ସମାଜସେବୀ ବରୁଣରାଜ, ନିବେଦିତା ପଟ୍ଟନାୟକ, ମିତ୍ରା ରାୟ, ଜ୍ୟୋତିଷ କୁମାର ସାହୁ, ମହମ୍ମଦ ସାହାଦୁଲ୍ଲା, ସୁଶାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର