ମନମୋହିଲା ପାଲା ଓ ଦାସକାଠିଆ, ୬ ଶିଳ୍ପୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ରାଜଧାନୀବାସୀଙ୍କ ମନ ମୋହିଲା ପାଲା ଓ ଦାସକାଠିଆ ପରିବେଷଣ। ରାଜ୍ୟର ବଛା ବଛା ପାଲା ଓ ଦାସକାଠିଆ ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ରାଜଧାନୀବାସୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଅବସର ଥିଲା ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବର ଉଦ୍‌ଘାଟନ ସନ୍ଧ୍ୟା। ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ କେନ୍ଦ୍ରାପଡ଼ାର ସ୍ୱର୍ଣ୍ଣପ୍ରଭା ଲେଙ୍କା ଓ ସାଥୀ, ଯାଜପୁର ଜିଲ୍ଲାର ଅମ୍ରିତା ସାମଲ ଓ ସାଥୀ ଓ କେନ୍ଦୁଝର ଜିଲ୍ଲାର ବାବାଜୀ ଚରଣ ଜେନା ଓ ସାଥୀଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା।

ସେହିପରି ଗଞ୍ଜାମ ଜିଲ୍ଲାର ଦେବେନ୍ଦ୍ର ନାଥ ଦାସ ଓ ସାଥୀଙ୍କ ଦ୍ୱାରା ଦାସକାଠିଆ ପରିବେଷଣ କରାଯାଇଥିଲା। ଏହି ଅବସରରେ ପାଲା ଶିଳ୍ପୀ ଖୋର୍ଦ୍ଧାର ରାମଚନ୍ଦ୍ର କର, ଭଦ୍ରକର ଦାମୋଦର ଦାସ, ଢେଙ୍କାନାଳର ସୁଧାରାଣୀ ପଣ୍ଡା, ଗଞ୍ଜାମର ବଳରାମ ପଣ୍ଡା, ଯାଜପୁରର ନିରୁପମା ପଣ୍ଡା, ଖୋର୍ଦ୍ଧାର ଶ୍ୟାମସୁନ୍ଦର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଦାସକାଠିଆ ଶିଳ୍ପୀ ଗଞ୍ଜାମର ନରସିଂହ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ଅତିଥି ଭାବେ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାଶ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର