ଚନ୍ଦ୍ରଶେଖରପୁର: ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ଚନ୍ଦ୍ରଶେଖରପୁର ମଣ୍ଡଳ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ। ଏହି ଅବସରରେ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଦିଗଦର୍ଶନ ଦେଇ ଶ୍ରୀ ସାମଲ କହିଲେ ସମୟ ଆସିଛି ଆମକୁ ତୃଣମୂଳସ୍ତରର ଲୋକଙ୍କ ନିକଟରେ ଡବଲ ଇଞ୍ଜିନ୍ ସରକାରଙ୍କ ସଫଳତା ଓ ଲୋକାଭିମୁଖୀ କାର୍ଯ୍ୟ ପହଞ୍ଚାଇବାକୁ ପଡ଼ିବ। ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ ସହ ଓଡ଼ିଶା ତଥା ଦେଶରେ ଦଳକୁ ସୁଦୃଢ଼ କରିବାକୁ ହେବ। ଏଥିପାଇଁ ନିଷ୍ଠାର ସହ କାର୍ଯ୍ୟ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ।
ଲୋକଙ୍କ ନିକଟରେ ସରକାରଙ୍କ ସଫଳତା ପହଞ୍ଚାଅ: ମନମୋହନ
ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ ଉତ୍ତର ଭୁବନେଶ୍ୱରର ବିକାଶ ପାଇଁ ଆମେ ସମସ୍ତେ ମିଳିତ ଭାବେ ଉଦ୍ୟମ ଜାରି ରଖିବା ଆବଶ୍ୟକ। ସମସ୍ତ କାର୍ଯ୍ୟକର୍ତ୍ତା ଉଚ୍ଚାରଣ ଓ ଆଚରଣରେ ସଂଯମତା ରକ୍ଷା କରି ଏକ ମନ, ଏକ ପ୍ରାଣ ହୋଇ ସେବା ମନୋବୃତ୍ତି ରଖି କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମିଶ୍ର ଅତିଥିଭାବେ ଯୋଗଦେଇ ଉତ୍ତର ଭୁବନେଶ୍ୱରକୁ ଶ୍ରେଷ୍ଠ କରିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ନଗେନ କୁମାର ବିଶୋଇ, ଉପସଭାପତି ନିର୍ମଳ କୁମାର ରାଉତରାୟ, ସମ୍ପାଦକ ଶିଶିର କୁମାର ମହାରଣା, ବରିଷ୍ଠ ନେତା କ୍ଷୀରୋଦ ଜେନା, କୁନା ଜେନା, ପ୍ରଦୀପ ଜେନା, କୁନାଲ ରାଉତ, ଦିଲ୍ଲୀପ ମହାନ୍ତି, ଯଶୋଧାରା ପ୍ରଧାନ, ନିର୍ମଳ କୁମାର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।