ଭୁବନେଶ୍ୱର/ଖଣ୍ଡଗିରି: ବିଏମ୍ସିର ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ ମିଶ୍ରଙ୍କୁ ରକ୍ତାକ୍ତ ଅବସ୍ଥାରେ ଜଟଣୀ ଥାନା ପୁଲିସ ଉଦ୍ଧାର କଲା। ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ପିସିଆର୍ ପହଞ୍ଚିଲା। ଗୁରୁତର ମନୋଜଙ୍କୁ ପିସିଆର୍ରେ ଆଣି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କଲା। ସେଠାରେ ଡାକ୍ତର ଆଶୁ ଚିକିତ୍ସା କରିଥିଲେ। ମନୋଜଙ୍କ ମୁଣ୍ଡ, ହାତ, ଗୋଡ଼ରେ ଆଘାତ ଲାଗି ରକ୍ତ ବାହାରୁଥିବାରୁ ବ୍ୟାଣ୍ଡେଜ୍ ବି କରିଥିଲେ। କିନ୍ତୁ କେଇ ମିନିଟ୍ର ଚିକିତ୍ସା ପରେ ମନୋଜ ଆଖି ବୁଜିଥିଲେ। ମନୋଜଙ୍କୁ ଯଦି ଆବଶ୍ୟକୀୟ ଚିକିତ୍ସା ତୁରନ୍ତ ଯୋଗାଇ ଦିଆଯାଇଥାନ୍ତା ହୁଏତ ସେ ବଞ୍ଚିଯାଇପାରିଥାନ୍ତେ। କିନ୍ତୁ କମିସନରେଟ୍ ପୁଲିସ ନିୟମ ମନୋଜକୁ ବଞ୍ଚାଇ ପାରିଲାନି ବୋଲି ଏବେ ଅଭିଯୋଗ ହେଲାଣି। ମନୋଜଙ୍କୁ ଗୁରୁତର ଅବସ୍ଥାରେ ଯାଁଳାରୁ ପ୍ରାୟ ୨୦କିମି ଦୂରରେ ଥିବା କ୍ୟାପିଟାଲ ହସ୍ପିଟାଲକୁ ଅଣାଗଲା ଅଥଚ ନିକଟରେ ଥିବା ଏମ୍ସ, ଆମ୍ରି, ସମ୍ ହସ୍ପିଟାଲକୁ ନିଆଗଲାନି। ଏପରିକି ରାସ୍ତାରେ କାନୁନ୍ଗୋ ଡାଏବେଟିସ୍ ହସ୍ପିଟାଲ ଏବଂ ବିବେକାନନ୍ଦ ହସ୍ପିଟାଲ ଥିଲେ ବି ପିସିଆର୍ ମନୋଜଙ୍କୁ ସେଠାରେ ଭର୍ତ୍ତି କଲାନି।
କ୍ୟାପିଟାଲ ହସ୍ପିଟାଲରେ କିଛି ସମୟ ମୃତ୍ୟୁ ସହ ସଂଗ୍ରାମ କରି ହାରି ଯାଇଥିଲେ। ଠିକ୍ ସମୟରେ ଚିକିତ୍ସା ପାଇଥିଲେ ମନୋଜ ବଞ୍ଚି ଯାଇପାରିଥାନ୍ତେ। କିନ୍ତୁ ତାହା ହେଲାନି। କମିସନରେଟ୍ ପୁଲିସ ସଡ଼କ ଦୁର୍ଘଟଣା ନେଇ ବହୁ ସଚେତନତା ସୃଷ୍ଟି କରୁଛି ବୋଲି କହୁଛି। ହେଲମେଟ୍ ନ ପିନ୍ଧିଲେ ମାଡ଼ିବସି ଜରିମାନା ଆଦାୟ କରୁଛି। କିନ୍ତୁ ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କୁ କିପରି ବଞ୍ଚାଇ ହେବ ସେଥିରେ ସକ୍ଷମ ହେଉନି। ବରଂ ଯେଉଁ ଲୋକଙ୍କର ବଞ୍ଚିବାର ସମ୍ଭାବନା ଅଧିକ ରହୁଛି ସେମାନଙ୍କୁ ପିସିଆର୍ ଭ୍ୟାନ୍ରେ ଆଣି ମାରି ଦେଉଥିବା ଅଭିଯୋଗ ହେଲାଣି। ପିସିଆର୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରିବାରେ ସଂପୂର୍ଣ୍ଣ ବିଫଳ ହେଉଥିବା ଜାଣିବା ପରେ ବି ଗୁରୁତରଙ୍କୁ ମାଡ଼ି ମୋକ୍ଚି ପିସିଆର୍ର ପଛ ସିଟ୍ରେ ପକାଇ ଦିଆଯାଉଛି। ମନୋଜଙ୍କ ମୃତ୍ୟୁ ଏବେ ବି ସନ୍ଦେହଜନକ। ଦୁର୍ଘଟଣାରେ ଆହତ ହୋଇଥିଲା କି ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା ତାହା ସ୍ପଷ୍ଟ ହୋଇନି। କିନ୍ତୁ ମନୋଜ ରକ୍ତାକ୍ତ ଅବସ୍ଥାରେ ଜାତୀୟ ରାଜପଥ ଉପରେ ପଡ଼ି ଛଟପଟ ହେଉଥିଲେ। ତାଙ୍କର ହୋସ୍ ଥିଲା। ସେ କଥାବାର୍ତ୍ତା କରୁଥିଲେ। ଯଦି ଆବଶ୍ୟକୀୟ ଚିକିତ୍ସା ତୁରନ୍ତ ଯୋଗାଇ ଦିଆଯାଇଥାନ୍ତା ହୁଏତ ମନୋଜଙ୍କ ଜୀବନ ଯାଇନଥାନ୍ତା। ଏହା ଦୁର୍ଘଟଣା କି ପ୍ରାଣାନ୍ତକ ଆକ୍ରମଣ ଥିଲା ତାହା ଉପରୁ ବି ପର୍ଦ୍ଦାଫାସ ହୋଇପାରିଥାନ୍ତା। କିନ୍ତୁ କମିସନରେଟ୍ ପୁଲିସର ବ୍ୟବସ୍ଥା ମନୋଜଙ୍କ ପାଇଁ କାଳ ହେଲା। ସେ ସବୁଦିନ ପାଇଁ ଆଖି ବୁଜିଦେଲେ। କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ଯୁକ୍ତି ଯେ, ଗୁରୁତରଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିବାକୁ ଆମକୁ କୁହାଯାଇଛି। ସରକାରଙ୍କର କ’ଣ ନିୟମ ଅଛି କି ନାହିଁ ଆମେ ଜାଣିନୁ। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କର ପରିଚୟ ପ୍ରଥମ ପର୍ଯ୍ୟାୟରେ ମିଳୁ ନଥିବାରୁ ଆମେ ଘରୋଇ ହସ୍ପିଟାଲରେ ଭର୍ତ୍ତି କଲେ ଆମକୁ ସେମାନଙ୍କ ଧାର୍ଯ୍ୟ ଫି’ ଦାଖଲ କରିବାକୁ ପଡ଼ିବ। ଏହା ଆମ ପକ୍ଷେ ସମ୍ଭବ ନୁହେଁ। ତେଣୁ ଆମେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରୁଛୁ। ହେଲେ ମନୋଜଙ୍କ କ୍ଷେତ୍ରରେ ରାଜଧାନୀର ସବୁଠୁ ଭଲ ସରକାରୀ ହସ୍ପିଟାଲ ଏମ୍ସ ଘଟଣାସ୍ଥଳରୁ ମାତ୍ର କେଇ କିମି ଦୂରରେ ଥିଲା। ପିସିଆର୍ ଅଧିକାରୀଙ୍କ ମୁଣ୍ଡରେ ଏହା ଜୁଟିଲାନି। ଏପରିକି କମିସନରେଟ୍ ପୁଲିସର ନିୟମ ଅଛି ଯେ, ଗୁରୁତରଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବ। କିନ୍ତୁ ପିସିଆର୍ ଅଧିକାରୀ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚାଇଦେବା ଠିକ୍ ଭାବିଲେ।
ଖୋର୍ଧାର କେଉଁ ପିଚୁ ପ୍ଲାଣ୍ଟ୍କୁ ଯାଇଥିଲେ ମନୋଜ?
ମନୋଜଙ୍କ ପରିବାର ଲୋକଙ୍କ କହିବା କଥା ମନୋଜ ଶୁକ୍ରବାର ରାତି ପ୍ରାୟ ୧୧ଟା ୪୫ରେ ନୂଆପଲ୍ଲୀ ବେହେରା ସାହି ଅଞ୍ଚଳରେ ହେଉଥିବା ପିଚୁ କାମ ତଦାରଖ କରିବାକୁ ଯାଉଛନ୍ତି ବୋଲି କହି ଆସିଥିଲେ। ସେହିଭଳି ତାଙ୍କର କିଛି ସହକର୍ମୀଙ୍କ କହିବା କଥା ରାତି ପ୍ରାୟ ୧ଟାବେଳକୁ ଏକ ଫୋନ୍ କଲ୍ ପାଇ ସେ ଘରକୁ ଯାଉଛନ୍ତି କହି କାମ ଉପରୁ ଚାଲି ଯାଇଥିଲେ। ମାତ୍ର ଆଜି ଭୋର୍ରୁ ଯାଁଳାରେ ଦୁର୍ଘଟଣା ଘଟିଲା ବୋଲି ଜଣାପଡ଼ିବା ପରେ ମାମଲା ପଛରେ କିଛି ରହସ୍ୟ ରହିଥିବା ଅନୁମାନ କରାଯାଉଛି। ମନୋଜ କାହାକୁ ମଧ୍ୟ ଭୁବନେଶ୍ୱର ବାହାରକୁ ଯାଉଥିବା କହି ନଥିଲେ। ତେଣୁ କେଉଁ ପରିସ୍ଥିତିରେ ସେ ରାତି ୧ଟାରେ ଭୁବନେଶ୍ୱର ବାହାରକୁ ଯାଇଥିଲେ, ତାହା ରହସ୍ୟ ହୋଇ ରହିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ମନୋଜ ଖୋର୍ଧାସ୍ଥିତ ଏକ ପିଚୁ ପ୍ଲାଣ୍ଟକୁ ଯାଇଥାଇପାରନ୍ତି। ସେଠାରୁ ଫେରିବା ବାଟରେ ତାଙ୍କୁ ଆକ୍ରମଣ କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଡିସିପି ଅନୁପ ସାହ କହିଛନ୍ତି ଯେ, ମନୋଜଙ୍କ ମୋବାଇଲ୍ ଫୋନ୍ କଲ୍ ରେକର୍ଡ ଯାଞ୍ଚ କରାଯିବ। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ତାଙ୍କ ମୃତ୍ୟୁର କାରଣ ମଧ୍ୟ ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ସାହୁ କହିଛନ୍ତି।
ଦୁର୍ଘଟଣା ଜନିତ ମୃତ୍ୟୁ ନେଇ ସନ୍ଦେହ
ମନୋଜଙ୍କ ମୃତ୍ୟୁକୁ ଦୁର୍ଘଟଣାଜନିତ ବୋଲି ପୁଲିସ କହୁଥିବାବେଳେ କିନ୍ତୁ ପାରିପାର୍ଶ୍ୱିକ ସ୍ଥିତି ଏହା ବୟାନ କରୁନି। ଯଦିଓ କାର୍ର ପଛପାର୍ଶ୍ୱ ଏବଂ ପଛ ଡୋର୍ ନିକଟରେ ଗାଡ଼ି ଘସି ହୋଇଥିବାର ଚିହ୍ନ ରହିଛି କିନ୍ତୁ କାର୍ ଭିତର ପାର୍ଶ୍ୱରେ ସେହିଭଳି କିଛି ଭଙ୍ଗାରୁଜା ହୋଇନାହିଁ। ଏପରିକି କାର୍ ଭିତରେ ବି ରକ୍ତ ଚିହ୍ନ ନାହିଁ। କାର୍ଠାରୁ ପ୍ରାୟ ୧୦ହାତ ଦୂରରେ ମନୋଜ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ଦୁର୍ଘଟଣାସ୍ଥଳରେ ମନୋଜ ଏକା ଥିବାରୁ ତାଙ୍କ ସହିତ କାର୍ରେ ଆଉ କେହି ଥିଲେ କି ନା ଜଣାପଡ଼ିନାହିଁ। ତେବେ ଦୁର୍ଘଟଣା ପରେ ମନୋଜ କାର୍ ଭିତରୁ କେମିତି ପଦାକୁ ଆସିଲେ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାସ୍ଥଳରୁ ଚପଲ ଓ ଅନ୍ୟ କିଛି ଜିନିଷ ସଂଗ୍ରହ କରିଛି। ମୃତଦେହକୁ ଦେଖିଥିବା ଲୋକଙ୍କ କହିବା କଥା ମନୋଜଙ୍କ ମୁହଁରେ ସୃଷ୍ଟି ହୋଇଥିବା ଚିହ୍ନ ମୁଥ ମାଡ଼ ଭଳି ହୋଇଛି। ତେଣୁ ତାଙ୍କ କାର୍କୁ ଧକ୍କା କରିବା ପରେ ତାଙ୍କୁ ତଳକୁ ଟାଣି ନେଇ କେହି ମାଡ଼ ମାରିଥିବା ଅନୁମାନ କରାଯାଉଛି। ସେହିଭଳି ତାଙ୍କ ମୁଣ୍ଡରେ ସୃଷ୍ଟି ହୋଇଥିବା କ୍ଷତ ମଧ୍ୟ ମାଡ଼ ଜନିତ ବୋଲି କୁହାଯାଉଛି। କାର୍ଟି ଯେଉଁ ପରିମାଣରେ ଭାଙ୍ଗିଛି, ସେଭଳି ଦୁର୍ଘଟଣାରେ କାର୍ ଚାଳକ ମୋଟେ କ୍ଷତବିକ୍ଷତ ହେବା କଥା ନୁହେଁ ବୋଲି କୁହାଯାଉଛି। ସାଇଣ୍ଟିଫିକ୍ ଟିମ୍ ଓ ବ୍ୟବଚ୍ଛେଦ କରିବାକୁ ଥିବା ଡାକ୍ତର ମଧ୍ୟ ଆଜି ଘଟଣାସ୍ଥଳ ବୁଲି ଦେଖିଛନ୍ତି।