କରୋନା ବେଳେ ପୁନର୍ଜୀବିତି ହେଲା କଳା: ୟୁ-ଟ୍ୟୁବ୍ ଦେଖି ମନୋଜ ପାଲଟି ଗଲେ ଚିତ୍ରଶିଳ୍ପୀ

ଭୁବନେଶ୍ୱର : କରୋନା ସଂକଟ ବେଳେ ଜୀବନ ଓ ଜୀବିକାକୁ ନେଇ ମଣିଷ ସଂଘର୍ଷ କରୁଛି। କରୋନା ବହୁ ଲୋକଙ୍କ ପାଇଁ ଅଭିଶାପ ପାଲଟି ଯାଇଛି। ବଞ୍ଚିବା ପାଇଁ ସଂଘର୍ଷ କରୁ କରୁ କେହି ନୂଆ ବାଟ‌ରେ ଚାଲିବାକୁ ବାଧ୍ୟ ହେଉଛନ୍ତି। ଏମିତି ସଂଘର୍ଷ ଭିତରେ ବି ସୃଷ୍ଟି ହୋଇଛି ନୂଆ ସମ୍ଭାବନା। ମଣିଷ ଭିତରେ ଛପି ରହିଥିବା ପ୍ରତିଭା ବି ପ୍ରସ୍ଫୁଟିତ ହୋଇଛି। କୌଣସି କାରଣରୁ ବା ପରିସ୍ଥିତିରେ ମଣିଷ ଭିତରୁ ଲୋପ ପାଇ ଯାଇଥିବା କଳା ବି ପୁନର୍ଜୀବିତ ହୋଇଛି। ମନୋଜଙ୍କ କ୍ଷେତ୍ରରେ ବି ସେମିତି ସୁଯୋଗ ସୃଷ୍ଟି ହୋଇଛି। ଦୀର୍ଘ ବର୍ଷ ହେଲା ତାଙ୍କ ଭିତରେ ଲୋପ ପାଇଯାଇଥିବା କଳା ପୁଣି ନୂଆ ଜନ୍ମ ନେଇ ବାହାରକୁ ଆସିଛି। ୟୁଟ୍ୟୁବ୍‌ରୁ ଶିଖି ଶିଖି ସେ ଏବେ ଚିତ୍ରଶିଳ୍ପୀଟିଏ ହୋଇପାରିଛନ୍ତି। ତେଣୁ କରୋନା ସଂକଟ ଭିତରେ ତାଙ୍କୁ ଏକ ନୂଆ ପରିଚୟ ମିଳିଛି ଓ ସେଥିରୁ ତାଙ୍କୁ ରୋଜଗାରର ମାଧ୍ୟମ ମଧ୍ୟ ମିଳିଛି।

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ବୋରିକିନା ପଞ୍ଚାୟତ ଦୁଆ ଗାଁର ପ୍ରଫୁଲ୍ଲ ସାହୁଙ୍କୁ ପୁଅ ହେଉଛନ୍ତି ମନୋଜ କୁମାର ବେହେରା। ପିଲାଦିନୁ ଚିତ୍ରକଳା ପ୍ରତି ଅହେତୁକ ଦୁର୍ବଳତା ଥିଲା। ପ୍ରାଥମିକ ବିଦ୍ୟାଳୟରେ ପଢ଼ିବା ବେଳେ ରଫ୍ ଖାତା ଓ ଷ୍ଟାର୍ ଲାଇନ୍ କଲମରେ ଚିତ୍ର ଆଙ୍କୁଥିଲେ। ଭଲ ନ ହେଲେ ଚିରି ଫିଙ୍ଗି ଦେଉଥିଲେ। ବୟସ ବଢ଼ିବା ସହ ପିଲା ବେଳର ଚିତ୍ର କଳା ପ୍ରତି ମୋହ ଧୀରେଧୀରେ ନିଜ ଭିତରେ ଲୁଚି ଯାଇଥିଲା। ପାଠ ପଢ଼ା ସହ କ୍ୟାରିୟର୍ ଗଠନ ଆଗରେ ଚିତ୍ର କଳା ଉଭେଇ ଯାଇଥିଲା। ଜଗତସିଂହପୁର ଏସ୍‌ଭିଏମ୍ କଲେଜରେ ଯୁକ୍ତ ତିନି ବାଣିଜ୍ୟ ପାଠ ପଢ଼ା ଶେଷ କରିବା ପରେ ବିଇଡି କଲେ। ଏବେ ରସୁଲଗଡ଼ ବ୍ରହ୍ମେଶ୍ମର କଲୋନି ସରସ୍ୱତୀ ଶିଶୁ ମନ୍ଦିରରେ ଶିକ୍ଷକତା କରୁଛନ୍ତି। କରୋନା ଲାଗି ସ୍କୁଲ୍ ବନ୍ଦ ହୋଇଗଲା। ଘରେ ବସି ବସି ୟୁଟ୍ୟୁବ୍ ଦେଖି ସମୟ କାଟିବା ଆରମ୍ଭ କରିଥିଲେ ମନୋଜ। ୟୁଟ୍ୟୁବ୍‌ରେ ବିଭିନ୍ନ ଚିତ୍ର କଳା ଓ ଚିତ୍ର ଶିଳ୍ପୀଙ୍କ ନିଖୁଣ ଚିତ୍ରକଳାକୁ ଦେଖିଥିଲେ। ଅଜାଣରେ ନିଜ ଭିତରେ ଲୁଚି ରହିଥିବା ପ୍ରତିଭା ବାହାରକୁ ଚାଲି ଆସିଥିଲା। ସେ ନିଜେ ବି ଜାଣି ପାରିଲେନି କେତେବେଳେ ସେ କାନ୍‌ଭାସ୍‌ରେ ରଙ୍ଗ ତୂଳୀ ଧରି ଚିତ୍ର ଆଙ୍କିବାରେ ଲାଗିଗଲେ।

ବିଶେଷକରି ସେ ପଟ୍ଟଚିତ୍ର ଓ ମଣ୍ଡଳ ଆର୍ଟ କରିବାରେ ସିଦ୍ଧହସ୍ତ ହୋଇ ପାରିଛନ୍ତି। ପଟ୍ଟଚିତ୍ରରେ ପ୍ରଥମେ ସେ କୋଟି ଓଡ଼ିଆର ମଉଡ଼ମଣୀ ପ୍ରଭୁ ଜଗନ୍ନାଥଙ୍କୁ ଆଙ୍କିଛନ୍ତି। ସେହିଭଳି ଅଦରକାରୀ ବୋତଲ, ନଡ଼ିଆ, ଅଦରକାରୀ କାଗଜ, ପ୍ଲେଟ୍‌, ଶଙ୍ଖ, ବଟଲ୍‌ କ୍ୟାପ୍‌, କେଟିଲ୍‌-କପ୍‌, ଅବଢ଼ା କୁଡୁଆରେ ପଟ୍ଟଚିତ୍ର ଆଙ୍କୁଛନ୍ତି। ତାଙ୍କର ଚିତ୍ରକଳା କୌଣସି ପ୍ରତିଷ୍ଠିତ ଶିଳ୍ପୀଠାରୁ କମ୍ ଆକର୍ଷଣୀୟ ହେଉନାର୍ହି। ଚିତ୍ର ଆଙ୍କିବା ପରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଲୋକେ ତାଙ୍କ ଚିତ୍ରପଟ୍ଟ କିଣିବା ପାଇଁ ବରାଦ କରୁଛନ୍ତି। ତେଣୁ ଏବେ ସୋସିଆଲ୍ ମିଡିଆରୁ ହିଁ ତାଙ୍କୁ ରୋଜଗାର ମିଳିବା ଆରମ୍ଭ ହେଲାଣି। ଘର, ଅଫିସ, ରେଷ୍ଟୁରାଣ୍ଟ ସଜାଇବା ପାଇଁ ତାଙ୍କ ନିକଟକୁ ଅର୍ଡର ଆସୁଛି। ବିଶେଷ କରି ବଟଲ୍ ଆର୍ଟ, କେଟିଲ୍‌-କପ୍‌, ଅବଢ଼ା କୁଡ଼ୁଆରେ ଜଗନ୍ନାଥ, ପଟ୍ଟଚିତ୍ରରେ ଜଗନ୍ନାଥ ଅଧିକ ଲୋକଙ୍କ ପସନ୍ଦ ହେଉଛି। ମନୋଜଙ୍କ କହିବା କଥା ୟୁଟ୍ୟୁବ୍‌ ତାଙ୍କୁ ଏହି ସଫଳତା ଦେଇଛି। ନିଜକୁ ମାନସିକ ଶାନ୍ତି ମିଳୁଛି ଓ ତା ସହ କିଛି ରୋଜଗାର ବି ହେଉଛି। ଏଥିପାଇଁ ତାଙ୍କ ବିଦ୍ୟାଳୟର ସମ୍ପାଦକ ସ୍ୱାଧୀନ ମହାନ୍ତି ପ୍ରେରଣା ଯୋଗାଇଛନ୍ତି ବୋଲି ସେ କହିଛନ୍ତି। ସବୁ କ୍ଷେତ୍ରରେ ସକରାତ୍ମକ ଦିଗଟିକୁ ବାଛିଲେ, ସଫଳତା ନିଶ୍ଚୟ ମିଳିବ ବୋଲି ମନୋଜ କହିଛନ୍ତି ।

ସମ୍ବନ୍ଧିତ ଖବର