ମନୋଜ ଦାସ ଏକ କିଂବଦନ୍ତିର ନାଁ

ଟାଟା ଷ୍ଟିଲ ଭୁବନେଶ୍ବର ସାହିତ୍ୟ ଉତ୍ସବର ଦ୍ବିତୀୟ ଦିବସ

ଭୁବନେଶ୍ବର: ମନୋଜ ଦାସ ଏକ କିଂବଦନ୍ତିର ନାଁ। ସେ ବଞ୍ଚିଥିବା ବେଳେ ଥିଲେ କିଂବଦନ୍ତି, ଏବେ ବି ଅଛନ୍ତି କିଂବଦନ୍ତି ହୋଇ ଓ ଆହୁରି ଅନେକ ବର୍ଷ କିଂବଦନ୍ତି ହୋଇ ରହିବେ। ମନୋଜ ଦାସଙ୍କ ବ୍ୟକ୍ତିତ୍ବର ବହୁତ ଦିଗ ରହିଛି। ପଞ୍ଚମ ଅଧିବେଶନରେ ‘ମନୋଜ ଦାସ, ଏକ ସ୍ମୃତି’ ଶୀର୍ଷକ ଆଲୋଚନାଚକ୍ରରେ ବିଶିଷ୍ଟ କଥାକାର ଗୌରହରି ଦାସ ଏଭଳି କହିଛନ୍ତି। ସେ ଆହୁରି କହିଥିଲେ ଯେ ମଣିଷ ଯାହା ହୋଇଥାଏ, ତାହା ତାକୁ ତା’ର ପିଲା ଦିନ ଗଢ଼ିଥାଏ। ମନୋଜ ଦାସଙ୍କ ‘ସମୁଦ୍ରକୂଳର ଗାଁ’ ବହିକୁ ଯିଏ ପଢ଼ିଥିବେ, ସେମାନେ ମନୋଜ ଦାସଙ୍କ ସାହିତ୍ୟ ବୁଝିପାରିବେ। ତାଙ୍କୁ ବୁଝିବା ପାଇଁ ହେଲେ ତାଙ୍କ ପିଲାଦିନକୁ ବୁଝିବା ଦରକାର।

ବିଶିଷ୍ଟ ଲେଖକ ପ୍ରଫେସର ଯତୀନ୍ଦ୍ର ନାୟକ କହିଥିଲେ ଯେ ମନୋଜ ଦାସଙ୍କୁ ଦେଖିଲେ ଲାଗେ, ଭାରତ ଏକ ଗଳ୍ପପ୍ରାଧାନ୍ୟ ଦେଶ। ମନୋଜ ଦାସଙ୍କ ଗପଗୁଡ଼ିକ ଘଟଣାବହୁଳ। ସେ ଉଭୟ ଇଂରାଜୀ ଓ ଓଡ଼ିଆରେ ଲେଖୁଥିଲେ। ତାଙ୍କ ସାହିତ୍ୟକୁ କିଶୋର, ପିଲାମାନେ, ପରିଣତ ବୟସ୍କ ବ୍ୟକ୍ତି ଓ ଆଧ୍ୟାତ୍ମିକବାଦୀମାନେ ପଢ଼ନ୍ତି। କାରଣ ତାଙ୍କ ଗପରେ ଗାମ୍ଭୀର୍ଯ୍ୟ ଓ ଦର୍ଶନ ଥିଲା। ଲେଖାରେ ପ୍ରେରଣା ନଥିଲେ ଜଣେ ଭଲ ଲେଖକ ହୋଇପାରିବ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି।

ଏହି ଆଲୋଚନାଚକ୍ରରେ ଓଡ଼ିଶା ସାହିତ୍ୟ ଏକାଡେମିର ଉପସଭାପତି ସଂଗ୍ରାମ ଜେନା କହିଥିଲେ ଯେ ମନୋଜ ଦାସ କାହାଣୀ ସାଙ୍ଗରେ ଜନ୍ମ ହୋଇଥିଲେ। ସବୁ ଗପରେ ନିଜ ଗାଁର ଚିତ୍ରକୁ ନେଇ ଲେଖୁଥିଲେ। ତାଙ୍କ ଭଳି ଲୋକପ୍ରିୟତା ହାସଲ କରିବା ଭାରତବର୍ଷରେ ଖୁବ୍‌ କମ୍ ଲେଖକଙ୍କ ଭାଗ୍ୟରେ ରହିଛି। ସେ ମଣିଷ ଭିତରେ ଦେବତା ଓ ପାଶବିକତାକୁ ଦେଖାଇବା ପାଇଁ ସବୁବେଳେ ଚାହିଛନ୍ତି। ସେ ନିଜର ବ୍ୟକ୍ତିଗତ ଜୀବନକୁ ସାର୍ବଜନୀନ କରିଛନ୍ତି। ସେଥିଲାଗି ତାଙ୍କ ଲେଖା ପ୍ରସିଦ୍ଧି ଲାଭ କରିଛି ବୋଲି ଶ୍ରୀ ଜେନା କହିଛନ୍ତି। ଏହି ଅଧିବେଶନ ଶେଷରେ ଦର୍ଶକଙ୍କ ଦ୍ବାରା ପଚରାଯାଇଥିବା କିଛି ପ୍ରଶ୍ନର ଉତ୍ତର ରଖାଯାଇଥିଲା। ସୂଚନାଯୋଗ୍ୟ, ଏହି ଅଧିବେଶନରେ ମନୋଜ ଦାସଙ୍କ ଗପ, ତାଙ୍କ ଜୀବନୀ, ବ୍ୟକ୍ତିତ୍ବ, ସାହିତ୍ୟ ଜଗତ ପ୍ରତି ଅବଦାନ ବିଷୟରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର